ନର ଓ ନାରାୟଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଅଂଶାବତାର। ଏମାନେ କେବେବି ଅଲଗା ହେଉ ନଥିବା ଦୁଇ ଭାଇ। ସାଧନା ଓ ତପସ୍ୟା ଏମାନଙ୍କର ମୁଖ୍ୟକର୍ମ। ଏମାନେ ଏକାଠି ତପସ୍ୟା କରନ୍ତି। ଆବଶ୍ୟକ ସମୟରେ ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷା ପାଇଁ ନର ଓ ନାରାୟଣ ମନୁଷ୍ୟ ଓ ଦେବତାମାନଙ୍କର ସହାୟତା କରନ୍ତି। ଏମାନେ ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷାକାରୀ ବିଷ୍ଣୁତତ୍ତ୍ୱର ଅବତାର ହୋଇଥିଲେ ମଧ୍ୟ, ତପସ୍ୟାରୁ ବିରତ ହୁଅନ୍ତି ନାହିଁ। ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନଙ୍କ ମତରେ ଏହି ଦ୍ୱୈତ ଅବତାରଙ୍କ ଚେତନା ଅବିରତ ସାଧନା ପାଇଁ ପ୍ରେରଣା ଯୋଗାଏ। ଏଥି ସହ ଏହି ଅବତାର ତତ୍ତ୍ୱରେ ଲୁଚି ରହିଛି ପିଣ୍ଡବ୍ରହ୍ମାଣ୍ଡ ସାଧନାର ଏକ ଗୂଢ଼ ରହସ୍ୟ।
‘ନୃ’ ଧାତୁରୁ ତିଆରି ହୋଇଛି ନର ଶବ୍ଦ। ‘ନୃ’ ଧାତୁର ଅର୍ଥ ନେବା ବା ପାଇବା। ତେଣୁ ଯିଏ ଆତ୍ମୋନ୍ନତି ପାଇବା ପାଇଁ ଯୋଗ୍ୟ, ସେ ହେଉଛି ନର। ଅଧିକାଂଶ ମଣିଷ ନିଜର ସଂପୂର୍ଣ୍ଣ ଶରୀରକୁ ଗୋଟିଏ ନରରୂପ ଭାବେ ଗ୍ରହଣ କରନ୍ତି। କିନ୍ତୁ ଶରୀରରୂପୀ ପିଣ୍ଡବ୍ରହ୍ମାଣ୍ଡରେ ଥିବା କୋଟି କୋଟି କୋଷିକା ହେଉଛନ୍ତି ଜଣେ ଜଣେ ନର। ପ୍ରତ୍ୟେକ କୋଷିକାର ଆତ୍ମୋନ୍ନତିର ସମ୍ଭାବନା ଅଛି। କେବଳ ଆବଶ୍ୟକ ନାରାୟଣଙ୍କ ସହ ଏକତ୍ର ସାଧନା। ‘ନାରାୟଣ’ ଶବ୍ଦ ଦୁଇ ପ୍ରକାରରେ ସୃଷ୍ଟି ହୋଇଛି ବୋଲି କୁହାଯାଏ। ‘ନାର’ର ଅର୍ଥ ଜଳ। ତାହା ‘ଅୟନ’ ବା ଆଶ୍ରୟ ସହ ମିଶି ହୋଇଛି ‘ନାରାୟଣ’ ଶବ୍ଦ। ‘ନାର’ର ଅର୍ଥ ମଧ୍ୟ ନରସମୂହ। ତାହା ସହିତ ‘ଅୟନ’ ମିଶିଲେ ହୁଏ ‘ନାରାୟଣ’। ତେଣୁ ନାରାୟଣ ଶବ୍ଦର ଗୋଟିଏ ଅର୍ଥ ହେଉଛି- ସୃଷ୍ଟିର ଆରମ୍ଭରେ ଯିଏ ଜଳରେ ଶୟନ କରିଥିଲେ। ଏହାର ଆଉ ଏକ ଅର୍ଥ ହେଉଛି- ନରମାନଙ୍କର ଆଶ୍ରୟ।
ସୃଷ୍ଟିର ଆରମ୍ଭରେ ଯେଉଁ ଚେତନା ଜଳ ମଧ୍ୟରେ ଶୟନ କରିଥିଲା ବା ଅକର୍ମ ଭାବରେ ଥିଲା, ତାହା ନାରାୟଣ। ପ୍ରତ୍ୟେକ ମଣିଷର ମୂଳ ଚେତନା ନିଜର ସୃଷ୍ଟିର ଆରମ୍ଭ ବା ପ୍ରାରମ୍ଭିକ ଭ୍ରୂଣ ଅବସ୍ଥାରେ ଗର୍ଭ ମଧ୍ୟରେ ଜଳ ଭିତରେ ଶୟନ କରିଥାଏ। ପରବର୍ତ୍ତୀ ସମୟରେ ଏହି ଚେତନା ଶରୀରର ସମସ୍ତ କୋଷିକା ବା ନରମାନଙ୍କର ସନ୍ତୁଳନ ରକ୍ଷାକାରୀ ପାଳନକର୍ତ୍ତା ହୁଏ। ଏହି ଚେତନାକୁ ଚିହ୍ନିବା ହେଉଛି ନାରାୟଣ ଅବତାରଙ୍କୁ ଅନୁଭବ କରିବା। ପିଣ୍ଡ ବ୍ରହ୍ମାଣ୍ଡର ଯେ କୌଣସି କୋଷିକାର ଚେତନା ଏହି ନାରାୟଣ ଅନୁଭବ ସହ ଯୋଡ଼ି ହୋଇଗଲେ ପାଲଟି ଯାଏ ‘ନର’ ଅବତାରରେ।
‘ନର’ ଓ ‘ନାରାୟଣ’ଙ୍କର ଏକତ୍ର ତପସ୍ୟା ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କୁ ଶରୀର ଓ ଶରୀରସ୍ଥ ଚେତନାକୁ ଏକାଠି କରି ସାଧନାରେ ଲିପ୍ତ ହେବାର ବାଟ ଦେଖାଏ। ନର ଚେତନା ସାଧକଙ୍କୁ ପିଣ୍ଡବ୍ରହ୍ମାଣ୍ଡରେ ମୂଳ ତତ୍ତ୍ୱର ସୂକ୍ଷ୍ମାତିସୂକ୍ଷ୍ମ ଅବସ୍ଥିତିର ଅନୁଭବ କରାଏ। ସାଧକଙ୍କ ନାରାୟଣ ଅନୁଭବ ପିଣ୍ଡବ୍ରହ୍ମାଣ୍ଡର ଚେତନାର ବ୍ୟାପ୍ତିର ଦର୍ଶନ କରାଏ। ଏହି ଦୁଇ ଅନୁଭବ ଏକାଠି ହେଲେ ଧ୍ୟାନ ବା ତପସ୍ୟାର ଜ୍ଞାନାଗ୍ନି ଦ୍ୱାରା ସାଧନାରେ ସନ୍ତୁଳନ ବା ବିଷ୍ଣୁତତ୍ତ୍ୱର ଆବିର୍ଭାବ ସମ୍ଭବ ହୁଏ।