ପୁରାକାଳରେ ରାଜଚକ୍ରବର୍ତ୍ତୀ ହେବାପାଇଁ ଅଶ୍ୱମେଧ ଯଜ୍ଞ କରାଯାଉଥିଲା। ଆଜି କୌଣସି ଶାସକଙ୍କ ପାଇଁ ଅଶ୍ୱମେଧ ଯଜ୍ଞ କରିବା ସମ୍ଭବ ନୁହେଁ। କିନ୍ତୁ କାଳ କାଳରୁ ପିଣ୍ଡବ୍ରହ୍ମାଣ୍ଡ ସାଧକମାନେ ନିଜ ଶରୀର ମଧ୍ୟରେ ଅଶ୍ୱମେଧ ଯଜ୍ଞ କରି ଚାଲିଛନ୍ତି। ଆଜି ବି କରୁଛନ୍ତି। ‘ମେଧ୍’ ଧାତୁର ଅର୍ଥ ସଙ୍ଗ କରିବା, ବୁଝିବା ଓ ବଧ କରିବା। ଏଥିରୁ ନିର୍ମିତ ‘ମେଧ’ ଶବ୍ଦ ଯଜ୍ଞକୁ ବୁଝାଏ। ଅଶ୍ୱକୁ ନିଜର କରିବା, ସଂପୂର୍ଣ୍ଣ ରୂପେ ବୁଝିବା ଓ ଶେଷରେ ବଧ କରିବା ହେଉଛି ଅଶ୍ୱମେଧ। ଅଶ୍ୱକୁ ସଂପୂର୍ଣ୍ଣ ରୂପେ ଜାଣିବାପାଇଁ ଏହାର ଗତିର ବ୍ୟାପ୍ତି ମଧ୍ୟ ଜାଣିବା ଆବଶ୍ୟକ ହୁଏ। ସେଇଥିପାଇଁ ଅଶ୍ୱମେଧ ଯଜ୍ଞର ଯଜ୍ଞାଶ୍ୱକୁ ବୁଲିବାପାଇଁ ଛାଡ଼ିଦିଆଯାଏ। ଅଶ୍ୱ ଯେଉଁ ଯେଉଁ ଆଡ଼େ ଯାଏ, ସେଠାରେ ରାଜାଙ୍କର ପ୍ରତିପତ୍ତି ପ୍ରତିପାଦିତ ହୁଏ। ଅଶ୍ୱଟି ଫେରି ସାରିଲା ପରେ ତାହାକୁ ଆହୁତି ଦିଆଯାଏ ବା ବଳି ଦିଆଯାଏ।
ପିଣ୍ଡବ୍ରହ୍ମାଣ୍ଡର ଶାସକ ହେଉଛି ଆଜ୍ଞାଚକ୍ର। ଶରୀରର ସମସ୍ତ କୋଣଅନୁକୋଣକୁ ଆଜ୍ଞାଚକ୍ରର ଅଧୀନସ୍ଥ ବୋଲି ଅନୁଭବ କରିବାର ପ୍ରୟାସ ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ଅଶ୍ୱମେଧ ଯଜ୍ଞ। ଏହି ସାଧନା-ଅଶ୍ୱମେଧ ଯଜ୍ଞରେ ମନକୁ ଅଶ୍ୱ ଭାବେ ବ୍ୟବହାର କରାଯାଏ। ମନ ହେଉଛି କ୍ଷିପ୍ର ଏବଂ ଏହାର ଗତି ତଥା ବ୍ୟାପ୍ତି ପିଣ୍ଡବ୍ରହ୍ମାଣ୍ଡର କୋଣଅନୁକୋଣରେ ପହଞ୍ଚିବା ସମ୍ଭବ। ଧ୍ୟାନର ଏକ ସ୍ଥିତିରେ, ଆଜ୍ଞାଚକ୍ରର ନିର୍ଦ୍ଦେଶରେ, ସାଧକଙ୍କ ମନ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଓ କୋଷିକାମାନଙ୍କ ପାଖରେ ପହଞ୍ଚିବାକୁ ଆରମ୍ଭ କରେ। ଅଶ୍ୱରୂପୀ ମନ ସଂପୂର୍ଣ୍ଣ ଭାବେ ଆଜ୍ଞାଚକ୍ରର ବଶବର୍ତ୍ତୀ ନହେଲେ ଏହା ସମ୍ଭବ ହୁଏ ନାହିଁ। କାରଣ, ଅନ୍ୟଥା ଏହି ମନ ଇତସ୍ତତଃ ହୁଏ। ଶରୀରର କେତେକ ଅଞ୍ଚଳ ବା ତତ୍ତ୍ୱ, ବିନା ଦ୍ୱିଧାରେ ଆଜ୍ଞାଚକ୍ରର ବଶ୍ୟତା ସ୍ୱୀକାର କରି ନିଅନ୍ତି। ଆଉ କେତେକ ସ୍ଥାନରେ ପ୍ରେମଦ୍ୱାରା ମନ ଆଜ୍ଞାଚକ୍ରର ପ୍ରତିପତ୍ତି ପ୍ରତିପାଦନ କରେ। ଅଳ୍ପ କେତୋଟି କ୍ଷେତ୍ରରେ ଆଜ୍ଞାଚକ୍ରର ଆଧିପତ୍ୟ ଦେଖାଇବାପାଇଁ ସାଧକଙ୍କ ଚେତନାକୁ ଲଢ଼ିବାକୁ ପଡ଼େ।
ପିଣ୍ଡବ୍ରହ୍ମାଣ୍ଡରେ ଦିଗ୍ବିଜୟ ପରେ, ସାଧକ ମନରୂପୀ ଅଶ୍ୱକୁ ନିଜ ଆଜ୍ଞାଚକ୍ରରେ ଅନୁଭବ କରନ୍ତି। ଏହି ସମୟରେ କରାହୁଏ ଅଶ୍ୱମେଧ ଯଜ୍ଞର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ। ବଳି ଦେବାକୁ ପଡ଼େ ଏହି ଅଶ୍ୱକୁ। ଅର୍ଥାତ୍ ଏହା ହେଉଛି ସେହି ସମୟ, ଯେତେବେଳେ ସାଧକ ମନର ବିଲୟ କରିବାକୁ ଚେଷ୍ଟା କରନ୍ତି ବା ମନାତୀତ ହେବା ଆରମ୍ଭ କରନ୍ତି। ସାଧନାର ଏହି ସ୍ଥିତିରେ ଏହା ଧ୍ୟାନର ପରାବସ୍ଥା। ଏହି ମନାତୀତ ସ୍ଥିତିରେ ପିଣ୍ଡବ୍ରହ୍ମାଣ୍ଡ ସାଧକ ମନକୁ ମାଧ୍ୟମ ଭାବରେ ବ୍ୟବହାର ନକରି ମଧ୍ୟ ଆଜ୍ଞାଚକ୍ରର ଉପସ୍ଥିତିକୁ ଶରୀରର କୋଣ ଅନୁକୋଣରେ ଅନୁଭବ କରନ୍ତି। ଏହା ଦ୍ୱାରା ଆଜ୍ଞାଚକ୍ରର ପ୍ରକୃତ ଅର୍ଥରେ ସାଧକ ରାଜଚକ୍ରବର୍ତ୍ତୀ ହୋଇଯାଆନ୍ତି।