ପିଣ୍ତ-ବ୍ରହ୍ମାଣ୍ତ: ପରଶୁରାମ ଅବତାର

ପିଣ୍ଡବ୍ରହ୍ମାଣ୍ଡ ସାଧକ ଧ୍ୟାନ ବଢ଼ାଇ ଚାଲିଲେ ତାଙ୍କ ମଧ୍ୟରେ ତପସ୍ୟାର ଅଗ୍ନି ବା ତପାଗ୍ନି ଜାଗ୍ରତ ହୁଏ। ଏହା ହେଉଛି ‘ଜମ’ ଓ ‘ଅଗ୍ନି’ ଧାତୁ ମିଳିତ ହୋଇ ସୃଷ୍ଟି ହୋଇଥିବା ‘ଜମଦଗ୍ନି’ ଶବ୍ଦ- ଯାହାର ଅର୍ଥ ‘ଅଗ୍ନି ଭକ୍ଷଣକାରୀ’। ଏହି ତପାଗ୍ନି ଏକାଗ୍ରତା ସହ ବିବାହବନ୍ଧନ ବା ଅନ୍ତରଙ୍ଗ ସଂପର୍କ ଦ୍ୱାରା ଯୋଡ଼ି ହୁଏ। ତପଶ୍ଚର୍ଯ୍ୟା ଯୋଡ଼ି ହୁଏ ରେଣୁକାଙ୍କ ସହ ବା ରେଣୁ ଭଳି ଏକାଗ୍ରତା ସହ। ଏହି ଅନ୍ତରଙ୍ଗ ସଂପର୍କରୁ ଜନ୍ମ ନିଏ ମୂଳାଧାରଠାରୁ ବିଶୁଦ୍ଧ ପର୍ଯ୍ୟନ୍ତ ପାଞ୍ଚଚକ୍ରର ଚେତନା। ଏହି ଚେତନା ଜମଦଗ୍ନିଙ୍କ ପାଞ୍ଚ ପୁତ୍ର ଅଟନ୍ତି। ଏମାନଙ୍କ ମଧ୍ୟରେ ପଞ୍ଚମ ପୁତ୍ର ବା ବିଶୁଦ୍ଧଚକ୍ରର ଚେତନା ହେଉଛି ପରଶୁରାମ ଅବତାର। ଏହି ଚେତନା ପାପ-ପୁଣ୍ୟ, ଭଲ-ଖରାପ, ଲାଭ-କ୍ଷତି ଇତ୍ୟାଦି ପାର୍ଥକ୍ୟଠାରୁ ଊର୍ଦ୍ଧ୍ୱରେ। ପରଶୁରାମଙ୍କ ହାତରେ ପରଶୁ ବା କୁଠାର ଥାଏ, ଯାହା ଏହି ଚେତନାର ଶକ୍ତି ଓ କାର୍ଯ୍ୟକୁ ଦର୍ଶାଏ। ପରଶୁ ଏଭଳି ଏକ ଅସ୍ତ୍ର- ଯାହାକୁ ଉଭୟ ଗଠନମୂଳକ କାମ ଏବଂ ନାଶନ ପାଇଁ ବ୍ୟବହାର କରାଯାଇପାରେ। ବିଶୁଦ୍ଧଚକ୍ର ସମାନ ଉପାୟରେ କାମ କରେ।

ବେଳେବେଳେ ଅଧିକ ଏକାଗ୍ରତା ଚେତନାର ବ୍ୟାପ୍ତିରେ ବାଧକ ହୁଏ। ସେତେବେଳେ ଜମଦଗ୍ନିରୂପୀ ତପାଗ୍ନିର ନିର୍ଦ୍ଦେଶରେ ପରଶୁରାମରୂପୀ ଚେତନା ରେଣୁକାରୂପୀ ଏକାଗ୍ରତାକୁ ବି ଦହନ କରିବାକୁ ପଛାଏ ନାହିଁ। ପିଣ୍ଡବ୍ରହ୍ମାଣ୍ଡରେ ଥିବା ବିବିଧ ପ୍ରକାର କାମନାର ଚେତନା ସବୁବେଳେ ନିଜର କ୍ଷେତ୍ର ବିସ୍ତାରକରିବାକୁ ଚେଷ୍ଟା କରିଥାଆନ୍ତି। ଏମାନେ ହିଁ ସେହି କ୍ଷତ୍ରିୟ, ଯେଉଁମାନେ ପିଣ୍ଡବ୍ରହ୍ମାଣ୍ଡର ସନ୍ତୁଳନ ନଷ୍ଟ କରି ଥାଆନ୍ତି। ଏମାନଙ୍କଦ୍ୱାରା ତପସ୍ୟା ଓ ଏକାଗ୍ରତା ମଧ୍ୟ ନଷ୍ଟ ହୁଏ। ଏହି ସମୟରେ ଉଭା ହୁଏ ପରଶୁରାମରୂପୀ ଚେତନା। ଏହା ପିଣ୍ଡବ୍ରହ୍ମାଣ୍ଡରେ ବ୍ୟାପ୍ତ ଚେତନାମାନଙ୍କର ବିବିଧତା ଓ ସେମାନଙ୍କ ବ୍ୟାପ୍ତି ବା କ୍ଷେତ୍ର ସଂପ୍ରସାରଣର ଇଚ୍ଛାକୁ ନାଶ କରେ। ଏହା ଦ୍ୱାରା ସାଧକଙ୍କ ପିଣ୍ଡବ୍ରହ୍ମାଣ୍ଡରେ ପାର୍ଥକ୍ୟରହିତ ବ୍ରାହ୍ମୀସ୍ଥିତି ପାଇବାର ଇଚ୍ଛା ରାଜତ୍ୱ କରେ। ପିଣ୍ଡବ୍ରହ୍ମାଣ୍ଡର ସନ୍ତୁଳନ ନଷ୍ଟକରୁଥିବା ବିଭିନ୍ନ କ୍ଷତ୍ରିୟ ଭାବ ଯେତେବେଳେ ବି ପୁନର୍ବାର ମୁଣ୍ଡ ଟେକନ୍ତି, ବିଶୁଦ୍ଧ ଚକ୍ରର ଚେତନା ସେମାନଙ୍କୁ ସମୂଳ ବିନାଶ କରେ। ଏହି ଜ୍ଞାନର କୁଠାରଧାରୀ ଚେତନା ପିଣ୍ଡବ୍ରହ୍ମାଣ୍ଡର ଅନ୍ଦିକନ୍ଦି ବୁଲିପାରେ ବା ରମଣ କରିପାରେ। ତେଣୁ ଏହାର ନାମ ପରଶୁରାମ। ଅଖଣ୍ଡ ବ୍ରାହ୍ମୀସ୍ଥିତି ପ୍ରାପ୍ତ କରିବାର କାମନାକୁ ଛୋଟ ଛୋଟ କାମନାମାନଙ୍କର ବ୍ୟାପ୍ତି ଦ୍ୱାରା ନଷ୍ଟ ହେବାକୁ ଦିଅନ୍ତି ନାହିଁ ପରଶୁରାମ ଚେତନା ବା ଅବତାର। ସେମାନେ ମୁଣ୍ଡ ଟେକିଲେ ସେମାନଙ୍କୁ ନାଶ କରନ୍ତି। ଏହାହିଁ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କର ପରଶୁରାମ ଅବତାର ତତ୍ତ୍ୱ।

ସମ୍ବନ୍ଧିତ ଖବର