କେତେକ ନିୟତାହାର କରୁଥିବା ସାଧକ ପ୍ରାଣବାୟୁକୁ ପ୍ରାଣରେ ଆହୁତି ଦିଅନ୍ତି। ଯଜ୍ଞବିଦ୍ ଯଜ୍ଞ ଦ୍ୱାରା ପାପ ନାଶ ହୁଏ ବୋଲି ଜାଣନ୍ତି। ଏହା କୁହାଯାଇଛି ଶ୍ରୀମଦ୍ଭଗବଦ୍ଗୀତାରେ। ‘ପା’ ଧାତୁ, ଯାହାର ଅର୍ଥ ରକ୍ଷା କରିବା, ସେଥିରୁ ତିଆରି ହୋଇଛି ପାପ ଶବ୍ଦ। ତେଣୁ ପାପ ଶବ୍ଦର ଅର୍ଥ ହେଉଛି, ମନୁଷ୍ୟ ଯାହାଠାରୁ ନିଜକୁ ସର୍ବଦା ରକ୍ଷା କରେ। ପ୍ରତ୍ୟେକ ମନୁଷ୍ୟଙ୍କର ପ୍ରକୃତ ମୂଳ ପରିଚୟ ହେଉଛି, ସର୍ବବ୍ୟାପକ ଅନନ୍ତ ବ୍ରାହ୍ମୀସ୍ଥିତି। ନିଜର ଏକକ ପାର୍ଥକ୍ୟପୂର୍ଣ୍ଣ ପରିଚୟକୁ ବଜାୟ ରଖିବାପାଇଁ, ନିଜର ଏହି ମୂଳ ପରିଚୟଠାରୁ ସବୁବେଳେ ମଣିଷ ନିଜକୁ ଦୂରେଇ ରଖେ। ସେଇଥିପାଇଁ ସିଦ୍ଧମାନଙ୍କ ମତରେ, ପାର୍ଥକ୍ୟମୟ ମାୟାରେ ବଞ୍ଚିବା ହେଉଛି ପାପ। ଯଜ୍ଞକୁ ପ୍ରକୃତ ଅର୍ଥରେ ଜାଣିଥିବା ସାଧକମାନେ ଏହି ପାର୍ଥକ୍ୟରୂପୀ ମାୟାର ବିଲୟକୁ ଯଜ୍ଞ ଭାବେ ଗ୍ରହଣ କରନ୍ତି।
ଏହି ପାର୍ଥକ୍ୟରୂପୀ ମାୟାର ଆହୁତି ବା ବିଲୟ ପାଇଁ କିଛି ପିଣ୍ଡବ୍ରହ୍ମାଣ୍ଡ ସାଧକ ନିୟତାହାର ସହ ପ୍ରାଣବାୟୁକୁ ପ୍ରାଣରେ ଆହୁତି ଦିଅନ୍ତି। ‘ନି’ ଉପସର୍ଗ ଓ ‘ଯମ୍’ ଧାତୁରୁ ନିର୍ମିତ ନିୟତ ଶବ୍ଦର ଅର୍ଥ–ନିବୃତ୍ତ କରିବା। ‘ଆ’ ଉପସର୍ଗ ସହ ‘ହୃ’ ଧାତୁ ମିଳିତ ହୋଇ ତିଆରି ହୋଇଥିବା ଆହାର ଶବ୍ଦର ଅର୍ଥ– ହରଣ କରିବା। ତେଣୁ ନିୟତାହାରକୁ ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନେ ଏହାର ସାଧାରଣ ଅର୍ଥ ବଦଳରେ, ସାଧନାର ଏକ ସୂତ୍ର ଭାବେ ଗ୍ରହଣ କରନ୍ତି। ଏହି ଦିବ୍ୟଦ୍ରଷ୍ଟା ସିଦ୍ଧମାନଙ୍କ ମତରେ, ପାର୍ଥକ୍ୟ ଦର୍ଶନରୁ ନିବୃତ୍ତ ହୋଇ ନିଜର ପୃଥକ୍ ଏକକ ପରିଚୟକୁ ହରଣ କରିବା ବା ବିଲୟ କରିବା ହେଉଛି ନିୟତାହାର। ଧ୍ୟାନରେ ଏହି ପ୍ରକାର ନିୟତାହାରରେ ନିମଜ୍ଜିତ ସାଧକ ପ୍ରାଣବାୟୁକୁ ପ୍ରାଣରେ ଆହୁତି ଦେଇପାରନ୍ତି। ପ୍ରାଣ ହେଉଛି ସେହି ତତ୍ତ୍ୱ, ଯାହା ଆମକୁ ଓ ବ୍ରହ୍ମାଣ୍ଡକୁ ବଞ୍ଚାଇ ରଖିଛି। ଆମେ କିନ୍ତୁ ଆମର ଶ୍ୱାସ ପ୍ରଶ୍ୱାସ ବା ପ୍ରାଣବାୟୁକୁ ଆମର ଜୀବନର କାରଣ ଭାବେ ଅନୁଭବ କରୁ। ଉପନିଷଦରେ ପ୍ରାଣକୁ ସର୍ବବ୍ୟାପକ ବ୍ରହ୍ମ ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରାଣବାୟୁ ମଧ୍ୟ ଏହି ସର୍ବବ୍ୟାପକ ବ୍ରହ୍ମରୂପୀ ପ୍ରାଣର ଅଂଶ ବା ଏକ ରୂପାନ୍ତରଣ। ଏହି ଅନୁଭବ ଦ୍ୱାରା ସାଧକ ନିଜର ପ୍ରାଣବାୟୁକୁ ପ୍ରାଣରେ ଆହୁତି ଦେଇ ପାରନ୍ତି। ସାଧକଙ୍କ ପାଇଁ ପ୍ରାଣବାୟୁ ଓ ପ୍ରାଣର ପାର୍ଥକ୍ୟ ପ୍ରକୃତ ଅର୍ଥରେ ବିଲୟ ହୁଏ। ଏହି ଆହୁତି ମାଧ୍ୟମରେ ପିଣ୍ଡବ୍ରହ୍ମାଣ୍ଡ ସାଧକ ନିର୍ବିକଳ୍ପ ବ୍ରାହ୍ମୀସ୍ଥିତିର ନିକଟତର ହୁଅନ୍ତି।