ଇନ୍ଦ୍ରିୟମାନଙ୍କର ସମସ୍ତ କ୍ରିୟା ଓ ପ୍ରାଣର ସମସ୍ତ କ୍ରିୟାକୁ, ଜ୍ଞାନ ଦ୍ୱାରା ପ୍ରକାଶିତ ଆତ୍ମସଂଯମ ଯୋଗ ରୂପକ ଅଗ୍ନିରେ ଆହୁତି ଦେବା ହେଉଛି ଗୀତାରେ ବର୍ଣ୍ଣିତ ଆଉ ଏକ ପ୍ରକାର ଯଜ୍ଞ। ଏହା ମଧ୍ୟ ଏକ ଅନ୍ତଃଯଜ୍ଞ, ଯେଉଁଥିରେ କୌଣସି ବାହ୍ୟ ଉପାଦାନ କିମ୍ବା ପ୍ରକ୍ରିୟା ବ୍ୟବହାର ହୁଏ ନାହିଁ। ଏହି ଯଜ୍ଞରେ ଆତ୍ମସଂଯମ ଯୋଗ ହେଉଛି ଅଗ୍ନି। କିନ୍ତୁ ଏହି ଅଗ୍ନି ଜ୍ଞାନରୁ ଉତ୍ପତ୍ତି ହୋଇଥିବା ଆବଶ୍ୟକ। ଏହି ଯଜ୍ଞରେ ବ୍ୟବହୃତ ସଂଯମ କୌଣସି ବାହ୍ୟଜ୍ଞାନ ନୁହେଁ, ବରଂ ନିଜ ଅନୁଭବରୁ ପ୍ରାପ୍ତ ଆତ୍ମଜ୍ଞାନ ଦ୍ୱାରା ପରିଚାଳିତ ହୋଇଥାଏ। ନିଜସ୍ୱ ଅନୁଭବ ବା ଆତ୍ମଜ୍ଞାନ ସହ ପ୍ରକୃତ ଯୁକ୍ତାବସ୍ଥା ସମ୍ଭବ, କାରଣ ଏହା ଆମର ଅନ୍ତର୍ନିହିତ ଦର୍ଶନ।
ପ୍ରାଣ ହେଉଛି ଆମ ଜୀବନର କ୍ରିୟମାଣ ଶକ୍ତି। ଏହା ଶରୀରରେ ବିଭିନ୍ନ ପ୍ରକାରରେ ପ୍ରକାଶିତ ହୋଇଥାଏ। ପ୍ରାଣର ଶକ୍ତି ଇନ୍ଦ୍ରିୟମାନଙ୍କୁ କ୍ରିୟାଶୀଳ କରାଏ। କର୍ମର ବିଭିନ୍ନତା କାରଣରୁ ଇନ୍ଦ୍ରିୟମାନଙ୍କ ମଧ୍ୟରେ ବିଭିନ୍ନତା ଅନୁଭୂତ ହୋଇଥାଏ। ଠିକ୍ ସେହିଭଳି, ପ୍ରାଣ ମଧ୍ୟ ଶରୀରରେ ପୃଥକ୍ ପୃଥକ୍ ଉପାୟରେ ପରିବ୍ୟାପ୍ତ ହୋଇଥିବାରୁ, ଆମେ ଏହାର ବିଭିନ୍ନତା ଅନୁଭବ କରୁ। ପ୍ରାଣର ଏକାତ୍ମତାକୁ ଶରୀରର କୋଣ ଅନୁକୋଣରେ ଅନୁଭବ କରିପାରୁନା। କିନ୍ତୁ ଯଦି ଇନ୍ଦ୍ରିୟ ଓ ପ୍ରାଣର ସମସ୍ତ କର୍ମକୁ ବାଦ୍ ଦିଆଯାଏ ବା ସେଗୁଡ଼ିକର ବିଲୟ ହୁଏ, ତା’ହେଲେ ସାଧକ ଶରୀରରେ ଚେତନାର ଏକାତ୍ମତାକୁ ଅନୁଭବ କରିବା ଦିଗରେ ଅଗ୍ରସର ହୋଇପାରିବ। ଏଥିପାଇଁ ଆବଶ୍ୟକ ଧ୍ୟାନରୁ ପ୍ରାପ୍ତ ଜ୍ଞାନ ଦ୍ୱାରା ପରିଚାଳିତ ଆତ୍ମସଂଯମ ସହ ଯୁକ୍ତାବସ୍ଥା। ‘ସମ୍’ ଧାତୁ- ଯାହାର ଅର୍ଥ ସମାନତା ଓ ‘ଯମ୍’ ଧାତୁ- ଯାହାର ଏକ ଅର୍ଥ ବର୍ଦ୍ଧିତ କରିବା, ଏ ଦୁଇଟି ମିଳିତ ହୋଇ ସଂଯମ ଶବ୍ଦ ତିଆରି କରିଛନ୍ତି।
ଇନ୍ଦ୍ରିୟ ଓ ପ୍ରାଣର ପ୍ରକାରଭେଦରେ ବିଭାଜିତ ସମସ୍ତ କର୍ମକୁ ଖଣ୍ଡିତ ଓ ବିଭିନ୍ନ ଭାବରେ ଗ୍ରହଣ ନ କରି, ସେମାନଙ୍କ ପରିଧିକୁ ବର୍ଦ୍ଧିତ କରିବା ହେଉଛି ଏହି ଯଜ୍ଞର ଆତ୍ମସଂଯମ ଯୋଗ। ଏହା ମାଧ୍ୟମରେ ସାଧକ ଅନୁଭବ କରିପାରନ୍ତି, ଯେ ଇନ୍ଦ୍ରିୟ ଓ ପ୍ରାଣର ସବୁ କ୍ରିୟା ମସ୍ତିଷ୍କସ୍ଥ ଚେତନାର ପରିପ୍ରକାଶ। ଏହି ଜ୍ଞାନରୁ ଜାତ ଯୁକ୍ତାବସ୍ଥା ଦ୍ୱାରା କର୍ମର ପାର୍ଥକ୍ୟାନୁଭୂତିର ବିଲୟ ହୁଏ ବା ଏହା ଆହୁତି ଦିଆଯାଏ। ଏହା ସାଧକଙ୍କୁ ଚିରନ୍ତନ ଏକାତ୍ମତାର ଅନୁଭୂତି ଆଡ଼କୁ ଆଉ ଏକ ପାଦ ଆଗେଇ ନିଏ।