ଶ୍ରୀମଦ୍ଭଗବଦ୍ଗୀତାରେ ଭଗବାନ ଶ୍ରୀକୃଷ୍ଣ ଦ୍ରବ୍ୟଯଜ୍ଞ କଥା କହିଛନ୍ତି। କିନ୍ତୁ ପିଣ୍ଡବ୍ରହ୍ମାଣ୍ଡ-ସିଦ୍ଧମାନଙ୍କ ମତରେ, ଗୀତାବର୍ଣ୍ଣିତ ଏହି ଦ୍ରବ୍ୟଯଜ୍ଞ ପାଇଁ ସାଧକଙ୍କୁ ବାହ୍ୟ ବ୍ରହ୍ମାଣ୍ଡରେ କୌଣସି ଦ୍ରବ୍ୟ ଖୋଜିବା ଆବଶ୍ୟକ ହୁଏ ନାହିଁ। ‘ଦ୍ରୁ’ ଧାତୁର ଅର୍ଥ ବୃଦ୍ଧି ପାଇବା। ଏଥିରୁ ନିର୍ମିତ ‘ଦ୍ରବ୍ୟ’ ଶବ୍ଦ ସେହି ଉପାଦାନଗୁଡ଼ିକୁ ଦର୍ଶାଏ, ଯାହାର ବୃଦ୍ଧି ସମ୍ଭବ। ନ୍ୟାୟଶାସ୍ତ୍ରରେ ୯ ପ୍ରକାର ଦ୍ରବ୍ୟର ବର୍ଣ୍ଣନା ଅଛି। ସେଗୁଡ଼ିକ ହେଉଛନ୍ତି- ପଞ୍ଚତତ୍ତ୍ୱ ବା କ୍ଷିତି, ଅପ୍, ତେଜ, ମରୁତ୍ ଓ ବ୍ୟୋମ ଏବଂ କାଳ, ଦିଗ, ମନ ଓ ଆତ୍ମା। ଏଗୁଡ଼ିକର ଆହୁତି ବା ପାର୍ଥକ୍ୟର ବିଲୟ ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କର ଦ୍ରବ୍ୟଯଜ୍ଞ। ପିଣ୍ଡବ୍ରହ୍ମାଣ୍ଡ ସାଧନାରେ ଏହି ଆହୁତି ଆଉ ଏକ ସହଜ ଉପାୟରେ ଦିଆଯାଏ।
ସ୍ଥୂଳ ଭାବରେ ଅନୁଭବ କଲେ, ଆମ ଶରୀର କୋଷିକାମାନଙ୍କର ସମଷ୍ଟି। ପ୍ରତ୍ୟେକ କୋଷିକାରେ ଆମର ଗୁଣତତ୍ତ୍ୱ ବିଦ୍ୟମାନ, ଯାହାର ବର୍ଦ୍ଧିତ ଅବସ୍ଥା ଆମର ପରିଚୟକୁ ଜନ୍ମ ଦେଇ ପାରିବ। ଆଉ ଟିକିଏ ସୂକ୍ଷ୍ମ ଦର୍ଶନ ସାଧକଙ୍କୁ ଅନୁଭବ କରାଏ, ଯେ ସଜୀବ କୋଷିକାଗୁଡ଼ିକ ତଥାକଥିତ ନିର୍ଜୀବ ଅଣୁମାନଙ୍କର ସମଷ୍ଟି। ବିଭିନ୍ନ ପରମାଣୁ ମିଳିତ ହୋଇ ବା ବର୍ଦ୍ଧିତ ହୋଇ ଅଣୁଗୁଡ଼ିକୁ ନିର୍ମାଣ କରିଛନ୍ତି। ନ୍ୟୁଟ୍ରନ୍, ପ୍ରୋଟନ ଓ ଇଲେକ୍ଟ୍ରନମାନଙ୍କର ବିଭିନ୍ନ ପ୍ରକାରର ସମଷ୍ଟି ହେଉଛି ଅଣୁମାନଙ୍କର ବିଭିନ୍ନତାର କାରଣ। ଏହି ତିନିଟି ମୂଳ ସୃଷ୍ଟିକଣିକା ହେଉଛନ୍ତି ଶକ୍ତିର ସ୍ଥୂଳ ରୂପାନ୍ତରଣ। ଏହି ଅନୁଭୂତି ଯେକୌଣସି ସାଧକଙ୍କୁ ଦ୍ରବ୍ୟମାନଙ୍କର ପାର୍ଥକ୍ୟ ଦର୍ଶନରୁ ମୁକ୍ତ କରି ଚିରନ୍ତନ ଏକାତ୍ମତା ଆଡ଼କୁ ନେଇଯାଇ ପାରେ। ଏହାଦ୍ୱାରା ପାର୍ଥକ୍ୟରୂପୀ ଦ୍ରବ୍ୟ-ଚେତନାକୁ ଆହୁତି ଦିଆଯାଏ ବା ନିଃଶେଷ କରାହୁଏ। ଉପରୋକ୍ତ ପିଣ୍ଡବ୍ରହ୍ମାଣ୍ଡ ସାଧନାର ଉପାୟ ବା ଯଜ୍ଞକୁ ଅନେକେ ଆଧ୍ୟାତ୍ମିକ ପ୍ରକ୍ରିୟା ଭାବେ ଗ୍ରହଣ କରିବାକୁ ନାପସନ୍ଦ କରିପାରନ୍ତି। କହି ପାରନ୍ତି, ଏହା ଧର୍ମଶାସ୍ତ୍ର-ବିଚ୍ୟୁତ ବିଜ୍ଞାନ। କିନ୍ତୁ ଉପରୋକ୍ତ ଅନୁଭୂତି କେବଳ ବିଜ୍ଞାନୀଙ୍କ ପରୀକ୍ଷାଗାରର ନିଷ୍କର୍ଷ ନୁହେଁ। ଏହା ପିଣ୍ଡବ୍ରହ୍ମାଣ୍ଡ-ସିଦ୍ଧମାନଙ୍କର ଧ୍ୟାନାନୁଭୂତି ମଧ୍ୟ। ଏହି ଅନୁଭୂତି ନ୍ୟାୟଶାସ୍ତ୍ର ବର୍ଣ୍ଣିତ ୯ ପ୍ରକାର ଦ୍ରବ୍ୟର ପ୍ରକାରଭେଦକୁ ବି ବିଲୟ କରାଏ। ବ୍ରହ୍ମର୍ଷି କଣାଦ ଉପରୋକ୍ତ ସାଧନା ଯଜ୍ଞର ଅନୁଭୂତି ପାଇଥିଲେ। ପିଣ୍ଡବ୍ରହ୍ମାଣ୍ଡ ସାଧନାରେ ଦ୍ରବ୍ୟଯଜ୍ଞ ବିନା ଲକ୍ଷ୍ୟପ୍ରାପ୍ତି ହୁଏ ନାହିଁ। ଦ୍ରବ୍ୟଯଜ୍ଞ ହେଉଛି- ମୁକ୍ତି, ନିର୍ବାଣ, ନିର୍ବିକଳ୍ପ ସମାଧିର ଦ୍ୱାର। ଦ୍ରବ୍ୟଯଜ୍ଞରୁ ପ୍ରାପ୍ତ ଚରୁ ହେଉଛି ସମାଧିର ଆଭାସ।