ପିଣ୍ତ-ବ୍ରହ୍ମାଣ୍ତ: ଗୀତାରେ ଯଜ୍ଞ-୧୧

ଯୋଗ ମଧ୍ୟ ଏକ ଯଜ୍ଞ। ଭଗବାନ ଶ୍ରୀକୃଷ୍ଣ ଏକଥା କହିଛନ୍ତି ଶ୍ରୀମଦ୍‌ଭଗବଦ୍‌ଗୀତାରେ। ଅନେକେ ଯୋଗକୁ କେବଳ ଆସନ, ପ୍ରାଣାୟାମ ଭଳି ବାହ୍ୟକ୍ରିୟାରେ ସୀମିତ ରଖନ୍ତି। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଓ ମହର୍ଷି ପତଞ୍ଜଳି ଯୋଗକୁ ଚେତନାର ଉଚ୍ଚସ୍ତରର ସାଧନା ଭାବରେ ବର୍ଣ୍ଣନା କରିଛନ୍ତି। ସେମାନଙ୍କ ଦୃଷ୍ଟିରେ ଯୋଗର ଅର୍ଥ ଓ ଉଦ୍ଦେଶ୍ୟ ବୁଝିବାକୁ ଚେଷ୍ଟା କଲେ ଜାଣି ହୁଏ, ଯେ ଯୋଗ ହେଉଛି ଏପରି ଏକ ଯଜ୍ଞ- ଯାହା ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କୁ ସମାଧିସ୍ଥିତି ଆଡ଼କୁ ନେଇଯାଏ। ଏହା ହେଉଛି ଚେତନାର ଏପରି ଏକ ଅନ୍ତଃକର୍ମ, ଯେଉଁଠି ସାଧନାର ଅଗ୍ନିରେ ପାର୍ଥକ୍ୟରୂପୀ ମାୟା ଆହୁତି ଭାବେ ଭସ୍ମୀଭୂତ ହୁଏ।
‘ଯୁଗ୍‌’ ଧାତୁରୁ ସୃଷ୍ଟି ହୋଇଥିବା ଯୋଗ ଶବ୍ଦର ପ୍ରକୃତ ଅର୍ଥ- ଯୋଡ଼ିହେବା ବା ଯୁକ୍ତ ହେବା। ଭଗବାନ ଶ୍ରୀକୃଷ୍ଣ ସମଭାବକୁ ଯୋଗ ଭାବେ ଦର୍ଶାଇଛନ୍ତି। କେବଳ ସମାନ ପ୍ରକାରର ତତ୍ତ୍ୱ ବା ବସ୍ତୁ ହିଁ ଯୋଡ଼ି ହୋଇ ପାରନ୍ତି; ଯୋଗାବସ୍ଥା କିମ୍ବା ଯୁକ୍ତାବସ୍ଥା ପ୍ରାପ୍ତ କରିପାରନ୍ତି। ଅସମାନ ତତ୍ତ୍ୱମାନଙ୍କର ମିଳନ ବା ଯୋଗ ସମ୍ଭବ ନୁହେଁ। କିନ୍ତୁ ଆମେ ସବୁବେଳେ ଆମ ବାହ୍ୟବ୍ରହ୍ମାଣ୍ଡ ଓ ପିଣ୍ଡବ୍ରହ୍ମାଣ୍ଡରେ ଏକ ପାର୍ଥକ୍ୟମୟ ସୃଷ୍ଟିର ଅନୁଭବ କରୁ। ଏହି ପାର୍ଥକ୍ୟ ଦର୍ଶନ ଥିବା ଯାଏ ଯୋଗସ୍ଥିତି ଲାଭ କରିବା ଅସମ୍ଭବ। ଭଗବାନ ଶ୍ରୀକୃଷ୍ଣ ଯୋଗକୁ ଏକ ଯଜ୍ଞ ଭାବେ ବର୍ଣ୍ଣନା କରି ଏହି ପାର୍ଥକ୍ୟ ଦର୍ଶନକୁ ଆହୁତି ଦେବାପାଇଁ ପ୍ରବର୍ତ୍ତାଇଛନ୍ତି।

ଚିତ୍ତ ବା ମୂଳ ଚେତନାର ବୃତ୍ତି ବା ବିକ୍ଷିପ୍ତତା ହେଉଛି ପାର୍ଥକ୍ୟ ଦର୍ଶନର କାରଣ। ଏହା ହେଉଛି ମହର୍ଷି ପତଞ୍ଜଳିଙ୍କ ଅନୁଭୂତ ଦର୍ଶନ। ପିଣ୍ଡବ୍ରହ୍ମାଣ୍ଡ ସାଧକ ଅଷ୍ଟାଙ୍ଗଯୋଗର ଅନ୍ତରଙ୍ଗ କ୍ରିୟା, ଯଥା- ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧିି ମାଧ୍ୟମରେ ଚିତ୍ତର ବୃତ୍ତିକୁ ନିରୋଧ କରି ଏହି ଯୋଗଯଜ୍ଞ କରିଥାନ୍ତି। ଗୀତା ବର୍ଣ୍ଣିତ ଦ୍ରଷ୍ଟାଭାବ ଦ୍ୱାରା ମଧ୍ୟ ଏହା ସମ୍ଭବ ହୁଏ। ଅନାସକ୍ତ ଦ୍ରଷ୍ଟା ପାଇଁ ସବୁକିଛି ସମାନ ହୋଇଯାଏ। ଚିତ୍ତ ବୃତ୍ତିବିହୀନ ହେଲେ, ଜଣେ ଅନାସକ୍ତ ଦ୍ରଷ୍ଟାସ୍ଥିତି ଲାଭ କରେ। ଏହି ସ୍ଥିତିରେ ଚେତନାର ବ୍ୟାପ୍ତି ଆରମ୍ଭ ହୁଏ। ଚେତନାର ବ୍ୟାପ୍ତି ବୃଦ୍ଧି ପାଇଁ ସାଧକ ପ୍ରଥମେ ନିଜ ପିଣ୍ଡବ୍ରହ୍ମାଣ୍ଡ ଓ ପରେ ବାହ୍ୟବ୍ରହ୍ମାଣ୍ଡର ବିଭିନ୍ନ ତତ୍ତ୍ୱକୁ ସମାନ ଭାବେ ଗ୍ରହଣ କରିବା ଆରମ୍ଭ କରେ। ସେମାନଙ୍କୁ ନିଜ ଚେତନାରେ ଏକାକାର କରିବା ବା ଯୋଗ କରିବା ଆରମ୍ଭ କରେ। ଏହା ହେଉଛି ଯୋଗର ପ୍ରକୃତ ଅନୁଭୂତ ପ୍ରକ୍ରିୟା। ଚେତନାର ଏହି ଯୌଗିକ ବ୍ୟାପ୍ତି ପ୍ରକ୍ରିୟା ବଢ଼ି ବଢ଼ି ଦିନେ ସାଧକଙ୍କୁ ଆଦି ଚେତନାର ପାର୍ଥକ୍ୟହୀନ ଅନନ୍ତ ସ୍ଥିତି ଅନୁଭବ କରାଏ।

ସମ୍ବନ୍ଧିତ ଖବର