କିଛି ଯୋଗୀ ଅପାନବାୟୁରେ ପ୍ରାଣବାୟୁକୁ ଆହୁତି ଦିଅନ୍ତି। ଠିକ୍ ସେହିଭଳି, ଅନ୍ୟ କିଛି ଯୋଗୀ ପ୍ରାଣବାୟୁରେ ଅପାନ ବାୟୁର ହବନ କରନ୍ତି। ଆଉ କିଛି ପ୍ରାଣ ଓ ଅପାନର ଗତିକୁ ରୁଦ୍ଧ କରି ଥାଆନ୍ତି। ଏହିସବୁ ପ୍ରକ୍ରିୟାକୁ ଶ୍ରୀମଦ୍ଭଗବଦ୍ଗୀତାରେ ଯଜ୍ଞ ଭାବେ ଗ୍ରହଣ କରାଯାଇଛି। ସାଧାରଣ ଅର୍ଥରେ ଏହି ଯଜ୍ଞକୁ ଅଷ୍ଟାଙ୍ଗଯୋଗର ପ୍ରାଣାୟାମ ଅଭ୍ୟାସ ଭାବେ ଗ୍ରହଣ କରାଯାଏ। ପ୍ରାଣାୟାମ ହେଉଛି ଅଷ୍ଟାଙ୍ଗଯୋଗର ଚାରିଟି ବହିରଙ୍ଗ କ୍ରିୟା ମଧ୍ୟରୁ ଅନ୍ୟତମ। ସ୍ଥୂଳ ଅର୍ଥରେ, ଗୀତାରେ ବର୍ଣ୍ଣିତ ଏହି ପ୍ରାଣାୟାମ ଯଜ୍ଞ ନିଃଶ୍ୱାସ ପ୍ରଶ୍ୱାସର ନିୟନ୍ତ୍ରଣକୁ ଦର୍ଶାଏ, ଯାହା ସାଧକଙ୍କୁ ଶ୍ୱାସହୀନ ସମାଧି ସ୍ଥିତିକୁ ନେଇ ଯାଇପାରେ। ଶ୍ୱାସ ଶାନ୍ତ ହେଲେ ମନ ଶାନ୍ତ ହୁଏ। ଶ୍ୱାସାତୀତ ଅବସ୍ଥା ହେଉଛି ମନାତୀତ ସ୍ଥିତି।
ଏହି ଯଜ୍ଞର ଆଉ ଏକ ଗୂଢ଼ ରହସ୍ୟ ଅନୁଭବ କରନ୍ତି ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନେ। ଆହୁତି ଦେବାର ଅର୍ଥ ବିଲୟ ହେବା। ପାର୍ଥକ୍ୟ ଥିଲେ ହିଁ ଗତି ଥାଏ। ଗତି ଏକ ଆପେକ୍ଷିକ ତତ୍ତ୍ୱ। ପାର୍ଥକ୍ୟହୀନ ସ୍ଥିତି ହେଉଛି ଗତିହୀନ ଅବସ୍ଥା। ଏହି ଯଜ୍ଞ ଉଦାହରଣ ମାଧ୍ୟମରେ, ଭଗବାନ ଶ୍ରୀକୃଷ୍ଣ ପାର୍ଥକ୍ୟବିହୀନ ସ୍ଥିତି ଅନୁଭବ କରିବାର ପ୍ରକ୍ରିୟା ଦର୍ଶାଇଛନ୍ତି। ସ୍ଥୂଳ ପାର୍ଥକ୍ୟମୟ ଅବସ୍ଥାରେ ସାଧକ ନିଜ ଶରୀରରେ ପଞ୍ଚବାୟୁର ଅନୁଭବ କରନ୍ତି। ପ୍ରାଣବାୟୁର ବିଭିନ୍ନ ରୂପ ହେଉଛି ମୂଳ ଜୀବନୀଶକ୍ତି ପ୍ରାଣର ରୂପାନ୍ତରଣ ମାତ୍ର; ଏକଥା ଅନୁଭବ କରି ପାରନ୍ତି ନାହିଁ। ପ୍ରାଣ ଓ ଅପାନ- ଏହି ଦୁଇଟିଯାକ ଶବ୍ଦର ମୂଳ ଧାତୁ ହେଉଛି ‘ଅନ୍’, ଯାହାର ଅର୍ଥ ବଞ୍ଚିବା। ତେଣୁ ଏକଥା ସ୍ପଷ୍ଟ ଯେ ପ୍ରାଣ ଓ ଅପାନ ମୂଳତଃ ସମାନ। ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ନାହିଁ। ତେଣୁ ଗୋଟିକରେ ଅନ୍ୟଟିର ବିଲୟ ସମ୍ଭବ। ଏମାନଙ୍କ ମଧ୍ୟରେ ଥିବା ଏକାତ୍ମତାକୁ ଅନୁଭବ କଲେ, ସ୍ୱତଃ ଶ୍ୱାସର ଗତି ବିଲୟ ହୁଏ; ଯେମିତି ପାଣିରେ ପାଣିର ଗତି ମୂଲ୍ୟହୀନ। ସ୍ଥଳର ସାପେକ୍ଷତାରେ ହିଁ ଜଳର ଗତି ଦୃଶ୍ୟମାନ ହୁଏ। ପ୍ରାଣର ଏକାତ୍ମତା ଅନୁଭବ ହେଉଛି ପ୍ରକୃତ ଶ୍ୱାସରୁଦ୍ଧ ଅବସ୍ଥା। ଶ୍ୱାସର ଏହି ଗତିହୀନ ଏକାତ୍ମତା ସାଧକଙ୍କୁ ସମାଧି ସ୍ଥିତିର ପରମ ଏକାତ୍ମତା ଆଡ଼କୁ ବାଟ କଢ଼ାଏ।