ପିଣ୍ତ-ବ୍ରହ୍ମାଣ୍ତ: ଗୀତାରେ ଯଜ୍ଞ

ଯଜ୍ଞ ହେଉଛି ଭାରତୀୟ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ସାଧନାର ଅବିଚ୍ଛେଦ୍ୟ ଅଙ୍ଗ। ପିଣ୍ଡବ୍ରହ୍ମାଣ୍ଡ ସାଧକ ମଧ୍ୟ ଯଜ୍ଞ କରନ୍ତି। ସମସ୍ତ ଯଜ୍ଞର ଫଳ ପ୍ରାପ୍ତ କରନ୍ତି। କିନ୍ତୁ ପିଣ୍ଡବ୍ରହ୍ମାଣ୍ଡସାଧକଙ୍କ ପାଇଁ ସମସ୍ତ ଯଜ୍ଞ ହେଉଛି ଅନ୍ତଃକର୍ମ, ଏହା କୌଣସି ବାହ୍ୟକର୍ମ ନୁହେଁ। ଅର୍ଥାତ୍ ଧ୍ୟାନାବସ୍ଥାରେ ନିଜର ଅନ୍ତଃକରଣରେ ହିଁ ସମସ୍ତ ଯଜ୍ଞକର୍ମ ସମାପିତ କରନ୍ତି ପିଣ୍ଡବ୍ରହ୍ମାଣ୍ଡ ସାଧକମାନେ।

ଯଜ୍ଞ ଶବ୍ଦ ଆସିଛି ‘ଯଜ୍‌’ ଧାତୁରୁ, ଯାହାର ଅର୍ଥ ପ୍ରଦାନ କରିବା, ସଙ୍ଗ କରିବା, ଦେବତ୍ୱର ଉପାସନା କରିବା। ଏହି ସବୁ କର୍ମ ସମ୍ପାଦିତ ହେଲେ ତାହା ଯଜ୍ଞ ପଦବାଚ୍ୟ। ଏହି ଅର୍ଥରେ ସଂସାରର ସମସ୍ତ କର୍ମ ହେଉଛି ଗୋଟିଏ ଗୋଟିଏ ଯଜ୍ଞ। ଦେବତ୍ୱ ବା ଦେବତା ଶବ୍ଦର ମୂଳ ହେଉଛି ‘ଦିବ୍‌’ ଧାତୁ, ଯାହାର ଅର୍ଥ କ୍ରୀଡ଼ା କରିବା। ତେଣୁ ଯେଉଁ ଚେତନା ଆମ ପିଣ୍ଡବ୍ରହ୍ମାଣ୍ଡ ଓ ବାହ୍ୟ ବ୍ରହ୍ମାଣ୍ଡରେ ସର୍ବତ୍ର କ୍ରୀଡ଼ା ବା ବିଚରଣ କରେ, ତାହାହିଁ ଦେବତା। ଯେକୌଣସି ଉପାୟରେ ଏହି ସର୍ବବ୍ୟାପକ ଚେତନା ସହ ଏକାକାର ହେବାର ପ୍ରୟାସ ହେଉଛି ଯଜ୍ଞ। ଏହି ଅନୁଭବ ହେଉଛି ଯଜ୍ଞର ଉପାସନା ଅର୍ଥରେ ପ୍ରୟୋଗ। କାରଣ ଉପାସନାର ପ୍ରକୃତ ଅର୍ଥ ହେଉଛି ନିକଟବର୍ତ୍ତୀ ହେବା।

ଶ୍ରୀମଦ୍‌ଭଗବଦ୍‌ଗୀତାର ଚତୁର୍ଥ ଅଧ୍ୟାୟ, ୨୩ତମ ଶ୍ଳୋକରେ ଓ ଏହା ପରର ସାତଟି ଶ୍ଳୋକରେ ଯଜ୍ଞର ମହତ୍ତ୍ୱ ଓ ବିଭିନ୍ନ ସାଧନାପଥ ଅନୁଯାୟୀ ୧୨ ପ୍ରକାର ଯଜ୍ଞର ବର୍ଣ୍ଣନା କରାଯାଇଛି। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଆଗରେ ବର୍ଣ୍ଣନା କରିଥିବା ଏହିସବୁ ଯଜ୍ଞ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ନିତାନ୍ତ କରଣୀୟ। ଏହି ସବୁ ଯଜ୍ଞ ନକରି ସାଧକ କେବେହେଲେ ଚରମ ସିଦ୍ଧି ବା ସମାଧି ଅବସ୍ଥା ପାଇ ପାରନ୍ତି ନାହିଁ। ଜାଣତରେ ହେଉ ବା ଅଜାଣତରେ, ସାଧନା ପଥରେ ନିମଜ୍ଜିତ ପିଣ୍ଡବ୍ରହ୍ମାଣ୍ଡ ସାଧକ ଏହି ଗୀତାବର୍ଣ୍ଣିତ ଯଜ୍ଞ ସ୍ୱତଃସ୍ଫୂର୍ତ୍ତ ଭାବେ କରି ଚାଲନ୍ତି। ଏଭଳି ବି ସାଧକ ଅଛନ୍ତି, ଯେଉଁମାନେ ଏହିସବୁ ଯଜ୍ଞ ବିଷୟରେ ଆଗରୁ କିଛି ନ ଜାଣିଥିଲେ ମଧ୍ୟ, ସିଦ୍ଧିଲାଭ ପରେ ବୁଝି ପାରନ୍ତି ଯେ ଧ୍ୟାନ ମାଧ୍ୟମରେ ସେ ଏହି ସମସ୍ତ ଯଜ୍ଞ କରୁଥିଲେ। ଯଜ୍ଞର ବାହ୍ୟ ପରିପ୍ରକାଶ ନ ହେଉଥିଲେ ବି ସାଧନା ସମୟରେ ଯଜ୍ଞର ପ୍ରକ୍ରିୟା ସାଧକଙ୍କ ଭିତରେ ଅହରହ ଚାଲିଥିଲା। ଆଉ ଭଗବାନ ଶ୍ରୀକୃଷ୍ଣ ଏକଥା କହିଛନ୍ତି ଯେ ଯାହାଙ୍କ ଆସକ୍ତି ସର୍ବଥା ନଷ୍ଟ ହୋଇଯାଇଛି, ଯେ ଦେହାଭିମାନରୁ ମୁକ୍ତ ଓ ଯାହାଙ୍କର ଚିତ୍ତ ସର୍ବଦା ସ୍ୱରୂପଜ୍ଞାନରେ ଅବସ୍ଥିତ, କେବଳ ଯଜ୍ଞ ନିମିତ୍ତ କର୍ମ କରୁଥିବା ସେହି ମନୁଷ୍ୟର ସମସ୍ତ କର୍ମସଂସ୍କାର ନଷ୍ଟ ହୋଇଯାଏ। ଅର୍ଥାତ୍‌, ଏହାଦ୍ୱାରା ସାଧକ ମୁକ୍ତ ହୁଅନ୍ତି।

ସମ୍ବନ୍ଧିତ ଖବର