ବ୍ୟାକରଣ ଓ ଆଧ୍ୟାତ୍ମିକ ସାଧନା- ଅନେକେ ଏହି ଦୁଇଟି ମଧ୍ୟର ଗୂଢ଼ ସଂପର୍କକୁ ଠଉରାଇ ପାରନ୍ତି ନାହିଁ। ଭାବନ୍ତି, ବ୍ୟାକରଣ ହେଉଛି ପିଲାଦିନେ ମାଡ଼ି ପଡ଼ୁଥିବା ବସ୍ତାନି-ବୋଝର ଏକ ଅଂଶ ମାତ୍ର। କିନ୍ତୁ ପିଣ୍ଡବ୍ରହ୍ମାଣ୍ଡ-ସିଦ୍ଧମାନେ ବ୍ୟାକରଣକୁ ସାଧନାର ଏକ ଗହନ ଅଙ୍ଗ ଭାବେ ଗ୍ରହଣ କରନ୍ତି। ଏହି ସର୍ବବ୍ୟାପକ ବ୍ରାହ୍ମୀସ୍ଥିତିର ଅନୁଭୂତି ପାଇଥିବା ସିଦ୍ଧମାନଙ୍କ ମତରେ- ଜାଣତରେ ହେଉ ଅବା ଅଜାଣତରେ, ପ୍ରତ୍ୟେକ ସାଧକଙ୍କୁ ସାଧନାର ଧ୍ୟାନପଥରେ ବ୍ୟାକରଣର ଗୂଢ଼ ରହସ୍ୟର ଅନୁଭୂତି ମିଳିଥାଏ।

Advertisment

ବ୍ୟାକରଣଜ୍ଞାନ ସାଧକଙ୍କ ସାଧନାର ମୂଳଦୁଆକୁ ସୁଦୃଢ଼ କରେ। ବ୍ୟାକରଣ ମାଧ୍ୟମରେ ସାଧକ ନିଜର ଓ ବ୍ରହ୍ମାଣ୍ଡର ପରିଚୟ ଏବଂ ଏହାର ବିଭିନ୍ନ ତତ୍ତ୍ୱମାନଙ୍କ ମଧ୍ୟରେ ଥିବା ସଂପର୍କକୁ ଜାଣି ପାରନ୍ତି। ମହର୍ଷି ପାଣିନି ବ୍ୟାକରଣର ଆଦିଗୁରୁ। ଅନେକେ ଏହି ମହାନ ସିଦ୍ଧପୁରୁଷଙ୍କୁ କେବଳ ଜଣେ ଭାଷାବିତ୍ ଓ ବ୍ୟାକରଣାଚାର୍ଯ୍ୟ ବୋଲି ମନେ କରନ୍ତି। କିନ୍ତୁ ତାଙ୍କ ନାଆଁ ଆଗରେ ଲାଗିଥିବା ମହର୍ଷି ଉପାଧି ତାଙ୍କର ଉଚ୍ଚତମ ଆଧ୍ୟାତ୍ମିକ ସ୍ଥିତିକୁ ଦର୍ଶାଏ। ସେ ଥିଲେ ଜଣେ ସମାଧିସ୍ଥିତି ଉପଲବ୍‌ଧି କରିଥିବା ଦିବ୍ୟଋଷି। ତାଙ୍କ ରଚିତ ବ୍ୟାକରଣ ଗ୍ରନ୍ଥ ‘ଅଷ୍ଟାଧ୍ୟାୟୀ’ ପାଇଁ ସେ ପ୍ରସିଦ୍ଧ। ମନରେ ପ୍ରଶ୍ନ ଉଠେ, ସିଦ୍ଧସାଧକ ପାଣିନି ନିଜର ପରପିଢ଼ିକୁ ସାଧନାର ପଥ ଶିଖାଇବା ବଦଳରେ, ବ୍ୟାକରଣ ବୁଝାଇଲେ କାହିଁକି? ଏହାର ଉତ୍ତର ମିଳେ, ‘ଅଷ୍ଟାଧ୍ୟାୟୀ’ର ଭାଷ୍ୟରେ ଥିବା ତାଙ୍କ ପରିଚୟରୁ।

ପାଣିନିଙ୍କ ବ୍ୟାକରଣର ଏହି ମହାଭାଷ୍ୟ ରଚନା କରିଛନ୍ତି ମହର୍ଷି ପତଞ୍ଜଳି। ନିର୍ବିକଳ୍ପ ସମାଧିକୁ ମଣିଷ ଜୀବନର ମୂଳଲକ୍ଷ୍ୟ ଭାବେ ପ୍ରତିପାଦିତ କରିଥିବା ପତଞ୍ଜଳି, ବ୍ୟାକରଣ ପ୍ରତି ଏତେଟା ଆକର୍ଷିତ ହେବାର କାରଣ କେବେବି ଛୋଟ ହୋଇ ନ ପାରେ। ସେ ଯୋଗସାଧନା ବା ପିଣ୍ଡବ୍ରହ୍ମାଣ୍ଡ ସାଧନାର ପରମସ୍ଥିତି ଉପଲବ୍‌ଧି କରିଥିଲେ। ସେ ଠିକ୍ ଭାବେ ବ୍ୟାକରଣଜ୍ଞାନ ସହ ସାଧନାର ଅଭିନ୍ନ ସଂପର୍କକୁ ଦେଖିପାରିଥିଲେ। ନିଜ ସାଧନାଲବ୍‌ଧ ଦିବ୍ୟଦୃଷ୍ଟି ମାଧ୍ୟମରେ ସେ ଆଧ୍ୟାତ୍ମିକ ଚେତନାର ବିକାଶରେ ପାଣିନିଙ୍କ ବ୍ୟାକରଣର ମହତ୍ତ୍ୱ ବୁଝିପାରିଥିଲେ।

ଭାଷା ବି ସୃଷ୍ଟି ହୋଇଛି ସେହି ମୂଳ ସର୍ବବ୍ୟାପକ ବ୍ରହ୍ମତତ୍ତ୍ୱରୁ। ତେଣୁ ଭାଷାର ବ୍ୟାକରଣ ଓ ବ୍ରହ୍ମାଣ୍ଡର ବ୍ୟାକରଣ ପୃଥକ୍ ହୋଇପାରିବ ନାହିଁ। ବିନ୍ଦୁଏ ଜଳରୁ ସାଗରର ବିଶାଳ ବ୍ୟାପ୍ତିର ପରିଚୟ ମିଳିପାରେ। ଭାଷା ହେଉଛି ଆଦିନାଦର ବ୍ୟାପ୍ତି। ଏହି ବ୍ୟାପ୍ତିର ରହସ୍ୟ ଭେଦ କରେ ବ୍ୟାକରଣ। ତେଣୁ ବ୍ୟାକରଣକୁ ବୁଝିବା ଓ ଅନୁଭବ କରିବା ହେଉଛି, ବ୍ରହ୍ମାଣ୍ଡକୁ ପ୍ରକୃତ ଅର୍ଥରେ ଦର୍ଶନ କରିବା। ଏହାହିଁ ଥିଲା ମହର୍ଷି ପାଣିନି ଓ ମହର୍ଷି ପତଞ୍ଜଳିଙ୍କ ବ୍ୟାକରଣପ୍ରେମର କାରଣ।