ବ୍ୟାକରଣ ଅନୁଯାୟୀ ସଂଯୋଜକ ଅବ୍ୟୟ ହେଉଛି ସେହି ଶବ୍ଦ, ଯାହା ବାକ୍ୟାଂଶ, ଉପବାକ୍ୟ ବା ବାକ୍ୟମାନଙ୍କୁ ଯୋଡ଼େ। ଏହା ତିନି ପ୍ରକାରର- ସମନ୍ୱୟ ସଂଯୋଜକ, ଅଧୀନସ୍ଥ ସଂଯୋଜକ ଓ ସହସମ୍ବନ୍ଧ ସଂଯୋଜକ। ଓ, କିନ୍ତୁ, ତଥା, ଯଦି, ଯଦି ନୁହେଁ, ତା’ହେଲେ, ବର୍ତ୍ତମାନରେ ଇତ୍ୟାଦି ସମନ୍ୱୟ ସଂଯୋଜକ ଭାବେ ବ୍ୟବହାର ହୁଏ। କିଛି ଅଧୀନସ୍ଥ ସଂଯୋଜକର ଉଦାହରଣ ହେଉଛି- ‘ଯେ, ଯେତେ, ଯେଉଁଠି, ସେଥିପାଇଁ, କାରଣ, ଯଦି’ ଇତ୍ୟାଦି। ସହସମ୍ବନ୍ଧ ସଂଯୋଜକର ଉଦାହରଣ ଭାବେ ‘ଏହା... ତାହା, ନୁହେଁ... ବରଂ, ଏଠି... ସେଠି’ ଇତ୍ୟାଦିକୁ ଗ୍ରହଣ କରାଯାଇପାରେ। (ସଂଯୋଜକର ଆକ୍ଷରିକ ଅର୍ଥ ଯାହା ମିଳନ ଘଟାଏ)।

Advertisment

ପିଣ୍ଡବ୍ରହ୍ମାଣ୍ଡ ସାଧନାରେ, ସଂଯୋଜକ ଅବ୍ୟୟର ତତ୍ତ୍ୱକୁ ଧ୍ୟାନରେ ବ୍ୟବହାର କରାଯାଏ। ମନ କେବେ ବି ବର୍ତ୍ତମାନରେ ରହେ ନାହିଁ। ମନରେ ଉଠୁଥିବା ବିଭିନ୍ନ ଚିନ୍ତନ ଲହରୀ ସବୁ ସମୟରେ ଅନ୍ୟ ଲହରୀ ସହିତ ଯୋଡ଼ି ହୁଅନ୍ତି। ଏହା ଦ୍ୱାରା ମନ ସବୁବେଳେ ବିରାଟ ଚିନ୍ତନ ଲହରୀର ଶୃଙ୍ଖଳରେ ବୁଡ଼ି ରହେ। ଗୋଟିଏ ଲହରୀକୁ ଶାନ୍ତ କରିବା ସହଜ, କିନ୍ତୁ ଏକ ଆରେକ ସହ ଯୋଡ଼ି ହୋଇ ରହିଥିବା ଚିନ୍ତନ ଲହରୀକୁ ଶାନ୍ତ କରିବା କଷ୍ଟକର। ମନକୁ ଏହି ଚିନ୍ତନ ଲହରୀ ସମୂହର ଯୋଡ଼ି ହୋଇଥିବା ସ୍ଥିତିରୁ ମୁକ୍ତ କରିବାରେ ସାହାଯ୍ୟ କରେ ସଂଯୋଜକ ଅବ୍ୟୟ ଜ୍ଞାନ।

ଆମ ମନରେ ଆଲୋଡ଼ିତ ହେଉଥିବା ସବୁ ଚିନ୍ତା ଓ ଘଟଣା ହେଉଛି ବାକ୍ୟାଂଶ, ଉପବାକ୍ୟ ଭଳି। ସଂଯୋଜକମାନେ ଯୋଡ଼ି ହୋଇ ନିଜର ବ୍ୟାପ୍ତି ଓ ପରିସର ବଢ଼ାନ୍ତି। ଭଲକରି ଚିନ୍ତା କଲେ ବୁଝିହୁଏ, ଯେ ସଂଯୋଜକ ଶବ୍ଦମାନଙ୍କୁ ବ୍ୟବହାର କରି ହିଁ ଆମ ମନ ଭାବନା ରାଇଜରେ ବହୁ ଦୂରକୁ ଉଡ଼ିଚାଲେ। ଧ୍ୟାନରେ ଏକାଗ୍ରତା ପାଇଁ ସାଧକଙ୍କୁ ଏହି ସଂଯୋଜକମାନଙ୍କୁ ବାଦ୍‌ଦେବା ଅଭ୍ୟାସ କରିବାକୁ ପଡ଼େ। ଯେମିତି ‘ମୁଁ ଧ୍ୟାନ କରୁଛି’- ଏହି ସ୍ଥିତିରେ ସ୍ଥିର ହେବା ପାଇଁ ହେଲେ ସାଧକଙ୍କୁ ‘ଧ୍ୟାନ କଲେ ଏହା ହେବ’ ଆଦି ଅନ୍ୟ ଚିନ୍ତନ ସହିତ ସଂପର୍କ ବିଚ୍ଛିନ୍ନ କରିବାକୁ ହୁଏ। ଏହି ଦୁଇଟି ଅବସ୍ଥା ମଧ୍ୟର ସଂଯୋଜକକୁ ଦୂରେଇ ଦେଲେ ସାଧକଙ୍କ ଏକାଗ୍ରତା ଧ୍ୟାନରେ ହିଁ ସୀମିତ ରହେ। ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନେ ଏହି ସଂଯୋଜକ ବିଲୟ ପାଇଁ ଆଉ ଏକ ଉପାୟ ମଧ୍ୟ ବତାଇ ଥାଆନ୍ତି। ଏହା ହେଉଛି ସଂଯୋଜକମାନଙ୍କ ମଧ୍ୟରେ ଏକାତ୍ମତା ଦର୍ଶନ। ଏଥିପାଇଁ ସାଧକଙ୍କୁ ସମସ୍ତ ଚିନ୍ତନକୁ ଯୋଡ଼ୁଥିବା ବିଭିନ୍ନ ପ୍ରକାର ସଂଯୋଜକମାନଙ୍କର ସ୍ରଷ୍ଟାକୁ ଅନୁଭବ କରିବାକୁ ହୁଏ। କିଛି ସମୟ ସୂକ୍ଷ୍ମ ଅନୁଧ୍ୟାନ କଲା ପରେ ବୁଝି ହୁଏ, ଯେ ଆମେ ନିଜେ ହିଁ ସମସ୍ତ ସଂଯୋଜକଙ୍କୁ ସୃଷ୍ଟି କରୁଛୁ ଏବଂ ଏହାକୁ ମନର ବିଭିନ୍ନ ଚିନ୍ତନକୁ ଯୋଡ଼ିବା ପାଇଁ ବ୍ୟବହାର କରୁଛୁ। ଏହି ଅନୁଭୂତ ଦର୍ଶନ ସମସ୍ତ ପ୍ରକାର ସଂଯୋଜକଙ୍କର ଆତ୍ମବିଲୟ କରାଏ ଏବଂ ସାଧକଙ୍କୁ ଆତ୍ମସ୍ଥିତିରେ ଏକାଗ୍ର ହେବାରେ ସାହାଯ୍ୟ କରେ।