ଶ୍ରାମଦ୍‌ଭଗବଦ୍‌ଗୀତାରେ ଭଗବାନ ଶ୍ରୀକୃଷ୍ଣ ସ୍ୱାଧ୍ୟାୟକୁ ଏକପ୍ରକାର ଯଜ୍ଞ ଭାବେ ବର୍ଣ୍ଣନା କରିଛନ୍ତି। ଜନ୍ମ ହେବା ପରଠାରୁ, ଜାଣତରେ ହେଉ କି ଅଜାଣତରେ, ଆମେ ସମସ୍ତେ ଅଧ୍ୟୟନ କରିଚାଲୁ। ଅଧ୍ୟୟନର ଅର୍ଥ, ଜାଣିବା ବା ଶିକ୍ଷା ଗ୍ରହଣ କରିବା। ଅଧିକାଂଶ ସମୟରେ ଆମେ ବାହ୍ୟ ତତ୍ତ୍ୱମାନଙ୍କଠାରୁ ହିଁ ଜ୍ଞାନ ଆହରଣ କରୁ, କାରଣ ଏହା ଆମର ଜୀବନ ନିର୍ବାହରେ ସହାୟକ ହୁଏ। ବାହ୍ୟତତ୍ତ୍ୱମାନଙ୍କୁ ଅଧ୍ୟୟନ କରି ଚାଲିଥିବା ମଣିଷ ଅଧିକାଂଶ ସମୟରେ ଭୁଲିଯାଏ, ଯେ ତା ନିଜ ମଧ୍ୟରେ ଏପରି କିଛି ତତ୍ତ୍ୱ ଅଛି ଯାହାକୁ ବ୍ୟବହାର କରି ସେ ବାହ୍ୟତତ୍ତ୍ୱମାନଙ୍କୁ ଅଧ୍ୟୟନ କରିପାରୁଛି।

Advertisment

ଜୀବନରେ ଅବିରତ ଚାଲିଥିବା ଅଧ୍ୟୟନର କର୍ତ୍ତା ହେଉଛୁ ଆମେ ନିଜେ। କର୍ତ୍ତାକୁ ନଜାଣି ଅଧ୍ୟୟନକର୍ମର କାରଣ ଓ ଉଦ୍ଦେଶ୍ୟକୁ ଠିକ୍ ଭାବେ ବୁଝିହୁଏ ନାହିଁ। ସ୍ୱାଧ୍ୟାୟ ହେଉଛି ସାଧାରଣ ଅଧ୍ୟୟନ ପ୍ରକ୍ରିୟାର ଠିକ୍ ଓଲଟା। ଏହା ନିଜଦ୍ୱାରା ନିଜର ଅଧ୍ୟୟନ, ଯାହାକୁ ଭଗବାନ ଶ୍ରୀକୃଷ୍ଣ ଯଜ୍ଞ ଭାବେ ବର୍ଣ୍ଣନା କରିଛନ୍ତି।
ସ୍ୱାଧ୍ୟାୟ ଯଜ୍ଞରେ ସାଧକଙ୍କର ପରିଚୟ ଆହୁତି ଭାବେ ବ୍ୟବହୃତ ହୁଏ। ବାହ୍ୟତତ୍ତ୍ୱମାନଙ୍କଦ୍ୱାରା ପ୍ରଦତ୍ତ ପରିଚୟକୁ ଆମେ ନିଜ ପରିଚୟ ଭାବେ ମାନିନେଇ ଏହାକୁ ବ୍ୟବହାର କରିଚାଲୁ। ସ୍ୱାଧ୍ୟାୟ ଦ୍ୱାରା ନିଜକୁ ଜାଣିବା ଓ ବୁଝିବା ଆରମ୍ଭ ହେଲେ ଏହି ବାହ୍ୟପରିଚୟଗୁଡ଼ିକ ଜ୍ଞାନାଗ୍ନିରେ ଭସ୍ମୀଭୂତ ହେବା ଆରମ୍ଭ କରନ୍ତି। ସ୍ୱାଧ୍ୟାୟ-ଯଜ୍ଞର ବିଭିନ୍ନ ସୋପାନରେ ସାଧକକୁ ନିଜର ଭିନ୍ନଭିନ୍ନ ପ୍ରକାରର ପରିଚୟର ଗୋଟିଏ ପରେ ଗୋଟିଏ ପରସ୍ତକୁ ଆହୁତି ଦେବାକୁ ହୁଏ। ଏହି ସାଧନାଯଜ୍ଞ ପ୍ରକ୍ରିୟାଦ୍ୱାରା ସାଧକ ଶେଷରେ ନିଜର ଏକକ ପରିଚୟକୁ ଆହୁତି ଦେଇ, ମୂଳ ସର୍ବବ୍ୟାପକ ଚିରନ୍ତନ ପରିଚୟ ପ୍ରାପ୍ତ ହୁଅନ୍ତି।

ଅନେକେ କହନ୍ତି, ନିଜଦ୍ୱାରା ଶାସ୍ତ୍ର ଅଧ୍ୟୟନ ସ୍ୱାଧ୍ୟାୟ। କିନ୍ତୁ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଏହା ମଧ୍ୟ ବାହ୍ୟ ଅଧ୍ୟୟନ; ସ୍ୱାଧ୍ୟାୟ ନୁହେଁ। ଆଦିଶଙ୍କର ହୁଅନ୍ତୁ କି ଗୌତମବୁଦ୍ଧ, ସମସ୍ତେ ଶାସ୍ତ୍ରଜ୍ଞ ଥିଲେ। କିନ୍ତୁ ସେମାନେ ବାହ୍ୟସ୍ରୋତରୁ ପ୍ରାପ୍ତ ଜ୍ଞାନରେ ସନ୍ତୁଷ୍ଟ ନହୋଇ, ଧ୍ୟାନରୂପୀ ସ୍ୱାଧ୍ୟାୟ ଯଜ୍ଞଦ୍ୱାରା ସିଦ୍ଧିଲାଭ କରିଥିଲେ। ସେମାନେ ପ୍ରାପ୍ତ କରିଥିବା ନିର୍ବିକଳ୍ପ ଚେତନାର ବର୍ଣ୍ଣନା ତାଙ୍କ ପୂର୍ବର ସିଦ୍ଧମାନେ ଶାସ୍ତ୍ରରେ ଲିପିବଦ୍ଧ କରିଥଲେ ମଧ୍ୟ, ଏହି ଦିବ୍ୟପୁରୁଷମାନେ ବୁଝିପାରିଥିଲେ, ଯେ ତାହା ପୂର୍ବସୂରୀମାନଙ୍କ ସ୍ୱାଧ୍ୟାୟ ଯଜ୍ଞର ଫଳ। ସେଇଥିପାଇଁ ସେମାନେ ବାହ୍ୟଜ୍ଞାନରେ ସନ୍ତୁଷ୍ଟ ନହୋଇ ସ୍ୱାଧ୍ୟାୟ ସାଧନା କରିଥିଲେ। ନିଜର ସମସ୍ତ ବାହ୍ୟ ଜ୍ଞାନ ଓ ପରିଚୟକୁ ସ୍ୱାଧ୍ୟାୟ ଯଜ୍ଞରେ ଭସ୍ମୀଭୂତ କରି ଆତ୍ମଦର୍ଶନ ଲାଭ କରିଥିଲେ। କିନ୍ତୁ ସେମାନଙ୍କ ଦର୍ଶନ ହେଉଛି ଆମପାଇଁ ବାହ୍ୟଜ୍ଞାନ। ଏକଥା ବୁଝି ଆମକୁ ନିଜସ୍ୱ ସ୍ୱାଧ୍ୟାୟ ଯଜ୍ଞରେ ନିଜକୁ ଆହୁତି ଦେବାକୁ ପଡ଼ିବ। ଏହା ହେଉଛି ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କର ନିର୍ଦ୍ଦେଶ।