ଦଶ ମହାବିଦ୍ୟାଙ୍କ ମଧ୍ୟରେ ଛିନ୍ନମସ୍ତା ହେଉଛନ୍ତି ସବୁଠାରୁ ଭୟଙ୍କର। କିନ୍ତୁ ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନଙ୍କ ମତରେ, ସେ ହେଉଛନ୍ତି ସାଧନାର ଏକ ଉଚ୍ଚ ଅନୁଭବର ପ୍ରତୀକ। ସେ ନିଜ ମୁଣ୍ଡକୁ ଆପଣା ହସ୍ତରେ ଛେଦନ କରି ନିଜ ହସ୍ତରେ ଧାରଣ କରିଥାଆନ୍ତି। ତାଙ୍କ ଛେଦିତ ବେକରୁ ବାହାରୁଥାଏ ତିନିଟି ରକ୍ତର ଧାରା। ଗୋଟିଏ ରକ୍ତର ଧାରା ଦେବୀଙ୍କ କଟାମୁଣ୍ଡର ପାଟିରେ ପଡ଼ୁଥାଏ ଏବଂ ସେହି କଟା ମୁଣ୍ଡ ଉକ୍ତ ରକ୍ତ ପାନ କରୁଥାଏ। ଅନ୍ୟ ଦୁଇଟି ରକ୍ତର ଝରକୁ ଦେବୀଙ୍କର ଦୁଇ ସହଚରୀ ପାନ କରୁଥାଆନ୍ତି। ଏହି ମହାବିଦ୍ୟା ଏକ ସଙ୍ଗମରତ ଦମ୍ପତିଙ୍କ ଉପରେ ବିରାଜମାନ କରିଥାଆନ୍ତି। ଏହି ଦେବୀଙ୍କର ରୂପରେ ଲୁଚି ରହିଛି ପିଣ୍ଡବ୍ରହ୍ମାଣ୍ଡ ସାଧନାର ଏକ ଦିବ୍ୟ ଅନୁଭବର ଗୂଢ଼ ରହସ୍ୟ ବା ମହାବିଦ୍ୟା।

Advertisment

ପ୍ରତ୍ୟାହାର ବା ଧାରଣା ଦୃଢ଼ ହେଲେ ସାଧକ କେବଳ ଆଜ୍ଞାଚକ୍ରର ଏକକ ଅନୁଭବ ପ୍ରାପ୍ତ ହୁଏ। ଏହି ସମୟରେ ଆଜ୍ଞାଚକ୍ର ଆଉ ଶରୀର ସହ ଜଡ଼ିତ ହୋଇ ଦୃଶ୍ୟମାନ ହୁଏ ନାହିଁ। ଏହା ନିଜ ମୁଣ୍ଡକୁ ନିଜ ହାତରେ କାଟି ଆପଣା ହସ୍ତରେ ଧାରଣ କରିବାକୁ ଦର୍ଶାଏ। ଏହି ସମୟରେ ସାଧକ ଅନୁଭବ କରନ୍ତି ଯେ ତାଙ୍କ ଶରୀରରେ ପରିବ୍ୟାପ୍ତ ଚେତନା ଆଉ ଆଜ୍ଞାଚକ୍ରରୁ ନିମ୍ନଗାମୀ ହୋଇ ପିଣ୍ଡବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ହେଉ ନାହିଁ। ଧ୍ୟାନର ଏହି ଅନୁଭବ ସମୟରେ ଶରୀରସ୍ଥ ସମସ୍ତ ଚେତନା ଊର୍ଦ୍ଧ୍ୱଗାମୀ ହୋଇ ଫୁଆରା ଭଳି ବିଚ୍ଛୁରିତ ହେବା ଆରମ୍ଭ କରେ। ଏହାକୁ ହିଁ ଏହି ମହାବିଦ୍ୟାଙ୍କର ବେକରୁ ବାହାରୁଥିବା ତିନିଟି ରକ୍ତର ଧାରା ରୂପରେ ଦର୍ଶାଯାଇଛି। ଏଥି ମଧ୍ୟରୁ ଗୋଟିଏ ରକ୍ତଧାରାକୁ ଦେବୀଙ୍କ ଖଣ୍ଡିତ ମୁଣ୍ଡ ପାନ କରେ। ଏହା ସୁଷୁମ୍ନା ମାଧ୍ୟମରେ ଊର୍ଦ୍ଧ୍ୱଗାମୀ ଚେତନା ଆଜ୍ଞାଚକ୍ରରେ ପୁନଃମିଳିତ ହେବାକୁ ଦର୍ଶାଏ। ଅନ୍ୟ ଦୁଇଟି ରକ୍ତଧାରାକୁ ପାନ କରନ୍ତି ଏହି ମହାବିଦ୍ୟାଙ୍କର ଦୁଇ ସହଚରୀ। ସାଧକ ଆଜ୍ଞାଚକ୍ରକୁ ଏକକ ବିକଳ୍ପହୀନ ଅବସ୍ଥାରେ ଦର୍ଶନ କଲେ ବୁଝିପାରେ ଯେ ଶରୀରରେ ପରିବ୍ୟାପ୍ତ ଚେତନା ପ୍ରକୃତରେ ମେରୁଦଣ୍ଡସ୍ଥିତ ଇଡ଼ା ଓ ପିଙ୍ଗଳା ନାଡ଼ିମାନଙ୍କ ମଧ୍ୟରେ ବ୍ୟାପ୍ତ ହୁଏ। ଶରୀରସ୍ଥ ଚେତନା ଧାରାକୁ ଇଡ଼ା ଓ ପିଙ୍ଗଳାରେ ଅନୁଭବର ଏହା ହେଉଛି ପ୍ରତୀକ।

ଆମ ଶରୀର ହେଉଛି ଏକ ସଙ୍ଗମ ଅବସ୍ଥା। ଯେକୌଣସି ଜୀବନ୍ତ ଜୀବ ମଧ୍ୟରେ ଜଡ଼ ଓ ଚେତନର ସଙ୍ଗମ ଅହରହ ଜାରି ରହିଛି। ଏହାର ଊର୍ଦ୍ଧ୍ୱରେ ଅଛନ୍ତି ଆଜ୍ଞାଚକ୍ରରୂପୀ ମହାବିଦ୍ୟା ଛିନ୍ନମସ୍ତା। ପିଣ୍ଡବ୍ରହ୍ମାଣ୍ଡର ପ୍ରତି କୋଣ ଅନୁକୋଣରେ ପରିବ୍ୟାପ୍ତ ଏହି ସଙ୍ଗମକୁ ନିଜର ଆସ୍ଥାନ ରୂପେ ଗ୍ରହଣ କରିବାକୁ ହୁଏ। ଏହାକୁ ନିଜ ଜୀବନ୍ତ ସ୍ଥିତିର କାରଣ ଭାବେ ଗ୍ରହଣ କରି ସାଧନା ଦ୍ୱାରା ଏହାର ଊର୍ଦ୍ଧ୍ୱରେ ଅବସ୍ଥିତ ଛିନ୍ନମସ୍ତା ବା ଆଜ୍ଞାଚକ୍ରର ଅନୁଭୂତି ପ୍ରାପ୍ତ କରିବାକୁ ହୁଏ।