ହିମାଚଳ ପ୍ରଦେଶ ଅନ୍ତର୍ଗତ ମ୍ୟାକ୍ଲିଓଡ୍ଗଞ୍ଜର ପିଙ୍କି ହରୟାନଙ୍କ ବାଲ୍ୟକାଳ କଟିଥିଲା ପିତାମାତାଙ୍କ ସହ ରାସ୍ତାରେ ବୁଲି ବୁଲି ଭିକ ମାଗିବାରେ ଓ ଦରକାର ପଡ଼ିଲେ ଅଳିଆଗଦାରୁ ଖାଦ୍ୟ ସଂଗ୍ରହ କରି ଖାଇବାରେ। ଆଜି କିନ୍ତୁ ସେ ବିଦେଶରୁ ଡାକ୍ତରି ଡିଗ୍ରି ହାସଲ କରି ସ୍ବଦେଶ ଫେରିଆସିଛନ୍ତି ଏବଂ ଏଠାରେ ଡାକ୍ତରୀ ସେବା ଆରମ୍ଭ କରିବା ଲାଗି ପ୍ରସ୍ତୁତି କରୁଛନ୍ତି। ପିଙ୍କିଙ୍କ ଜୀବନର ରୂପାନ୍ତର ଏକ ବଳିଷ୍ଠ ଉଦାହରଣ ଯାହା ଦର୍ଶାଇଥାଏ ପାଠ ପଢ଼ିବାର ସୁଯୋଗ କିପରି ଗୋଟିଏ ପରିବାରକୁ ଦାରିଦ୍ର୍ୟର ଦୁଷ୍ଟ ଚକ୍ରରୁ ମୁକ୍ତ ହେବାରେ ସାହାଯ୍ୟ କରିଥାଏ।
୨୦୦୪ ମସିହାର କଥା। ତିବ୍ବତୀୟ ସାଧୁ ତଥା ଧର୍ମଶାଳାର ଏକ ବଦାନ୍ୟ ସଂସ୍ଥାର ଅଧ୍ୟକ୍ଷ ଲୋବସାଙ୍ଗ ଜାମୟାଙ୍ଗ ପିଙ୍କିଙ୍କୁ ଭିକ ମାଗୁଥିବାର ଦେଖିଥିଲେ। କିଛି ଦିନ ପରେ ସେ ପିଙ୍କି ରହୁଥିବା ବସ୍ତିକୁ ଯାଇ ତାଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରାଇବା ଲାଗି ତାଙ୍କ ପିତାମାତାଙ୍କୁ ବୁଝାଇଥିଲେ। ଏହି କଠିନ କାର୍ଯ୍ୟରେ ସଫଳତା ମିଳିବା ପରେ ପିଙ୍କି ଧର୍ମଶାଳାରେ ଖୋଲିଥିବା ଉକ୍ତ ବଦାନ୍ୟ ସଂସ୍ଥାର ହଷ୍ଟେଲ୍ରେ ରହି ଦୟାନନ୍ଦ ପବ୍ଲିକ୍ ସ୍କୁଲ୍ରେ ପାଠପଢ଼ା ଆରମ୍ଭ କରିଥିଲେ। ପିଙ୍କି ଶୀଘ୍ର ବୁଝିଗଲେ ଯେ ପାଠ ଦ୍ବାରା ହିଁ ତାଙ୍କ ପରିବାର ଦାରିଦ୍ର୍ୟରୁ ମୁକ୍ତ ହୋଇପାରିବ। ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ‘ନିଟ୍’ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହେଲେ। ତେବେ ଘରୋଇ ମେଡିକାଲ୍ କଲେଜର ବ୍ୟୟବହୁଳ ଦେୟ ଦେବା ସମ୍ଭବ ନଥିଲା, କିନ୍ତୁ ୟୁନାଇଟେଡ୍ କିଙ୍ଗଡମ୍ର ଅନ୍ୟ ଏକ ବଦାନ୍ୟ ସଂସ୍ଥାର ସାହାଯ୍ୟ ବଳରେ ସେ ୨୦୧୮ରେ ଚୀନର ଏକ ସମ୍ମାନଜନକ ମେଡିକାଲ୍ କଲେଜରେ ନାମ ଲେଖାଇଲେ। ନିକଟରେ ସେ ଏମ୍ବିବିଏସ୍ ପାଠ୍ୟକ୍ରମ ସମାପ୍ତ କରି ଧର୍ମଶାଳା ଫେରିଛନ୍ତି। ୨୦ ବର୍ଷର ଏହି ଅବିଶ୍ବସନୀୟ ଜୀବନଯାତ୍ରା ଭିତରେ ସେ ନିଜ ଛୋଟ ଭାଇଭଉଣୀଙ୍କୁ ମଧ୍ୟ ପାଠ ପଢ଼ିବା ଲାଗି ପ୍ରୋତ୍ସାହିତ କରିଛନ୍ତି। ପିଙ୍କି ଏବେ ଭାରତରେ ଡାକ୍ତରୀ ପେସାରେ ପ୍ରବେଶ କରିବା ଲାଗି ଆବଶ୍ୟକ ଫରେନ୍ ମେଡିକାଲ୍ ଗ୍ରାଜୁଏଟ୍ ଏକ୍ଜାମିନେସନ୍ (ଏଫ୍ଏମ୍ଜିଇ) ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।
ପିଙ୍କିଙ୍କ ପରି ଅନେକଙ୍କୁ ଶିକ୍ଷିତ କରାଇଥିବା ଲୋବସାଙ୍ଗ ଜାମୟାଙ୍ଗ କହନ୍ତି, ଅଭାବଗ୍ରସ୍ତ ପିଲାମାନେ ଶିକ୍ଷାଲାଭ କରି ଯେପରି ସ୍ବାଭିମାନର ଜୀବନ ଜିଇପାରିବେ ସେହି ଲକ୍ଷ୍ୟ ନେଇ ସେ ଉକ୍ତ ସଂସ୍ଥା ଆରମ୍ଭ କରିଥିଲେ। ସେହି ପିଲାମାନେ ପାଠ ପଢ଼ି ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିବା ତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ତାଙ୍କ ମତରେ ପିଲାମାନଙ୍କୁ ‘ଟଙ୍କା ରୋଜଗାରର ମେସିନ୍’ ଭଳି ବ୍ୟବହାର କରିବା ଅନୁଚିତ। ବରଂ ପିଲାମାନଙ୍କୁ ଭଲ ମଣିଷ ହେବା ଲାଗି ଉତ୍ସାହିତ କରିବା ଜରୁରି।