ମରିନାହିଁ ମହାରଥୀ, ସରିନାହିଁ ରାଜନୀତି। ୧୦୦ ଘୋଡ଼ା ୧୦୦ ହାତୀ ଏକା ଲଢ଼ିବ ମହାରଥୀ। ପିପିଲି ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ ହୋଇଛି। ଶୋକ ବ୍ୟକ୍ତ କଲାବେଳେ ଦଳମତ ନିର୍ବିଶେଷରେ ଗୃହର ସଦସ୍ୟମାନେ ତାଙ୍କର ଏହି କଥାକୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ। ଆଉ ତାଙ୍କର ବ୍ୟକ୍ତିତ୍ବ ଓ ରାଜନୈତିକ ନେତୃତ୍ବକୁ ମନେ ପକାଇ କ୍ଷୋଭ ପ୍ରକାଶ କରିଥିଲେ। ଅମର ଆତ୍ମାର ସଦଗତି କାମନା କରିବା ସହିତ ଏକ ମିନିଟ୍ ନିରବ ପ୍ରାର୍ଥନା ପରେ ଗୋଟିଏ ଦିନ ପାଇଁ ମହାରଥୀଙ୍କ ସମ୍ମାନାର୍ଥେ ଗୃହକୁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି।
ରବିବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶୋକ ପ୍ରସ୍ତାବ ଆଗତ କରି ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ସ୍ବର୍ଗତ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲା ଖୋରାପଦାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଶା ବିଧାନସଭାକୁ ୭ ଥର ନିର୍ବାଚିତ ହୋଇଛନ୍ତି। ୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯। ୧୯୯୦ ମସିହାରେ ସେ ସରକାରୀ ଦଳ ଉପମୁଖ୍ୟ ସଚେତକ ଦାୟିତ୍ବ ତୁଲାଇଥିବାବେଳେ ୨୦୦୦ ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ ପଦରେ ଥିଲେ। ୨୦୧୧ରୁ ୨୦୧୨ କୃଷି ମନ୍ତ୍ରୀ, ୨୦୧୪ରୁ ୨୦୧୭ କୃଷି ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଓ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୦ ଅକ୍ଟୋବର ୪ ତାରିଖରେ ୬୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଏହି ଦିବଂଗତ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ତାଙ୍କ ପରିବାର ସମେତ ରାଜ୍ୟର ଅପୂରଣୀୟ କ୍ଷତି ହୋଇଛି।
ଦିନକ ପାଇଁ ଗୃହ ମୁଲତବୀ ରାଜ୍ୟର ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ
ମହାରଥୀ କହିଲେ, ଲୋକେ ତାଙ୍କୁ ହିଁ ଚିହ୍ନୁଥିଲେ: ବାଚସ୍ପତି
ପଦି ପଦି ବୋଲି କାହାକୁ ଡାକିବି: ତାରା
କାନ୍ଦି ପକାଇଲେ ବିଜେପି ବିଧାୟିକା କୁସୁମ ଟେଟେ
ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ, ଏ ଗୃହର ସଦସ୍ୟ ଥିବା ସ୍ବର୍ଗତ ମହାରଥୀ ଆମ ଗହଣରେ ନାହାନ୍ତି। ୧୯୮୫ ମସିହାରେ ପ୍ରଥମ ଥର କରି ଏ ଗୃହକୁ ସେ ନିର୍ବାଚିତ ହୋଇ ଆସିଥିଲେ। ୭ ଥର ନିର୍ବାଚିତ ହୋଇ ଆସିବା ସାଧାରଣ ରାଜନେତାଙ୍କ ଭାଗ୍ୟରେ ଜୁଟି ନଥାଏ। ତାଙ୍କ ବିୟୋଗରେ ସେ ଅତ୍ୟନ୍ତ ଦୁଃଖିତ। ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି। ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମହାରଥୀଙ୍କ ଲୋକପ୍ରିୟତା ସମ୍ପର୍କରେ ମନେ ପକାଇ କହିଥିଲେ, '୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟ୍ରେ ସେ ନିଜେ ମନ୍ତ୍ରୀ ଥିଲେ। ଥରେ ପୁରୀ ଯିବା ବିଜୁ ବାବୁଙ୍କ ସହ ପୁରୀ ଯିବା ବାଟରେ ପିପିଲିରୁ ନଟୁ ମହାରଥୀଙ୍କୁ (ପ୍ରଦୀପ ମହାରଥୀଙ୍କ ଶ୍ରଦ୍ଧା ନାମ) ନେବା ପାଇଁ ବିଜୁ ବାବୁ କହିଲେ। ପିପିଲିରେ ଆମ ଗାଡ଼ି ପହଞ୍ଚିବା ପରେ ଦେଖିଲୁ ବିଶାଳ ଜନତା ଆମକୁ ଅପେକ୍ଷା କରିଛନ୍ତି। ସେହିଦିନ ମୁଁ ଜାଣିଥିଲେ ସ୍ବର୍ଗତ ମହାରଥୀ ତାଙ୍କ ନିର୍ବାଚନ ମଣ୍ଡଳୀରେ କେତେ ଜନପ୍ରିୟ ଥିଲେ। ଲୋକଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ସବୁ ସ୍ତରକୁ ଯାଉଥିଲେ। ସେ କେବଳ ରାଜନେତା ନଥିଲେ ସଫଳ ଚାଷୀ ମଧ୍ୟ ଥିଲେ। ସେ ମୋତେ ବଡ଼ ଭାଇ ବୋଲି ସମ୍ମାନ ଦେଉଥିଲେ ଓ ମୁଁ ମଧ୍ୟ ସାନଭାଇ ଭଲି ଶ୍ରଦ୍ଧା କରୁଥିଲି। ଚିରଦିନ ପାଇଁ ଏ ସମ୍ପର୍କ ମନେରହିବ।' ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୋକ ପ୍ରସ୍ତାବରେ କହିଥିଲେ, ଗୃହର ବରିଷ୍ଠ ସଦସ୍ୟଙ୍କ ବିୟୋଗରେ ସମସ୍ତେ ମର୍ମାହତ। ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ପାଠ ପଢ଼ିବା ବେଳରୁ ହିଁ ସେ ନେତୃତ୍ବ ନେବା ଆରମ୍ଭ କରିଥିଲେ। ପରେ ରାଜନୀତିକୁ ଆସି ସଫଳ ହୋଇଥିଲେ। ବିଜେଡି ସଦସ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ ମହାରଥୀ ନାମ ହିଁ ଯଥେଷ୍ଟ। ବିଧାନସଭା ଗୃହକୁ ପ୍ରଦୀପ ମହାରଥୀ ପଶିବା ମାତ୍ରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ‘ପଦି ପଦି’ ବୋଲି ଡାକନ୍ତି। ଏବେ କାହାକୁ ଡାକିବି ବୋଲି ଶ୍ରୀ ବାହିନୀପତି ଭାବବିହ୍ବଳ ହୋଇ କହିଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଗୃହରେ ମହାରଥୀ କିପରି ଭିନ୍ନ ଶୈଳୀରେ ବ୍ୟବହାର କରନ୍ତି ସେ ସମ୍ପର୍କରେ ମନେ ପକାଇଥିଲେ। ତାଙ୍କ ବିୟୋଗରେ ସମସ୍ତ ସଦସ୍ୟ ମର୍ମାହତ ବୋଲି କହିଥିଲେ।
ସ୍ବର୍ଗତ ମହାରଥୀଙ୍କ ଉଦ୍ଦେଶ୍ୟରେ ଶୋକ ବ୍ୟକ୍ତ କଲାବେଳେ ଗୃହରେ କାନ୍ଦି ପକାଇଥିଲେ ବିଜେପି ବିଧାୟିକା କୁସୁମ ଟେଟେ। କହିଥିଲେ, ସ୍ବର୍ଗତ ମହାରଥୀ ଏ ରାଜ୍ୟର ଜଣେ ଶକ୍ତିଶାଳୀ ନେତା ଥିଲେ। ଜନସାଧାରଣଙ୍କ ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି। ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, ଧଉଳି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ତାଙ୍କର ଅନେକ ଅବଦାନ ରହିଛି। ତାଙ୍କ ମୁହଁ ଟାଣ, କିନ୍ତୁ ତାଙ୍କ ହୃଦୟ ଥିଲା କୋମଳ। ଅତି ଅମାୟିକ ଥିଲା ତାଙ୍କ ବ୍ୟକ୍ତିତ୍ବ। ଶୋକ ପ୍ରସ୍ତାବରେ ଭାଗ ନେଇ ମନ୍ତ୍ରୀ ସୁଶାନ୍ତ ସିଂହ କହିଥଲେ, ସେ ଥିଲେ ଅପ୍ରତିଦ୍ବନ୍ଦ୍ବୀ, ଦିଗ୍ଦର୍ଶକ ଓ ସ୍ପଷ୍ଟବାଦୀ। ତାଙ୍କ ନାମ ହିଁ ଯଥେଷ୍ଟ। ରାଜ୍ୟର ଜଣେ ମନ୍ତ୍ରୀ ଭାବେ ସେ ନିଜକୁ କେବେ ବି ପରିଚୟ ଦେଉନଥିଲେ ଅଥଚ ସବୁବେଳେ ଜଣେ ଚାଷୀ ଓ ଚଷାପୁଅ ଭାବେ କହୁଥିଲେ। ପାର୍ଟି ନୁହେଁ, ମାଟିକୁ ବଡ଼ ବୋଲି ସେ କହୁଥିଲେ। ତାଙ୍କର ଏହି ସ୍ବତନ୍ତ୍ର ବ୍ୟବହାର ସମସ୍ତଙ୍କ ପାଇଁ ସ୍ମୃତି ହୋଇ ରହିବ।
ସ୍ବର୍ଗତ ମହାରଥୀଙ୍କ ସହ ବିତେଇଥିବା ମୁହୂର୍ତ୍ତ ସମ୍ପର୍କରେ ମନେପକାଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ‘୧୯୮୫ ମସିହାରେ ସାରା ଦେଶରେ କଂଗ୍ରେସ ଶାସନ ଚାଲୁଥିବାବେଳେ ସେ ଏକମାତ୍ର ନେତା ଯିଏ କି ଜନତାଦଳରୁ ପିପିଲି ବିଧାୟକ ଭାବେ ଏ ଗୃହକୁ ନିର୍ବାଚିତ ହୋଇ ଆସିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ବହୁତ ଭଲ ପାଉଥିଲେ। ଆମ ସମସ୍ତଙ୍କ ନାମ ପଛରେ ଥିବା ସାଙ୍ଗିଆକୁ ନେଇ କେହି ଚିହ୍ନିବେନି। କିନ୍ତୁ ଯଦି ମହାରଥୀ କହିବ ତାହେଲେ ସାଧାରଣ ଲୋକଟିଏ ପ୍ରଦୀପ ମହାରଥୀଙ୍କୁ ଚିହ୍ନୁଥିଲା। ୧୯୯୫ ମସିହା ନିର୍ବାଚନରେ ମୁଁ ଜିତିଥିଲି କିନ୍ତୁ ସେ ପିପିଲିରୁ ହାରିଯାଇଥିଲେ। ପରେ ଏକାଠି ହୋଇ ଦିଲ୍ଲୀ ଯିବାକୁ ସୁଯୋଗ ମିଳିଥିଲା। ଦିଲ୍ଲୀରେ ପହଞ୍ଚି ସ୍ବର୍ଗତ ମହାରଥୀ ପ୍ରାୟ ୧ ଲକ୍ଷ ଟଙ୍କାର ଲାଇଟ୍ କିଣିଲେ। ସେତେବେଳେ ମୁଁ ତାଙ୍କୁ ପଚାରିଥିଲି, କଣ ପାଇଁ ଏତେ ଟଙ୍କାର ଲାଇଟ କିଣୁଛ? ସେ କହିଥିଲେ ନିର୍ବାଚନରେ ତମେ ସବୁ ଜିତିଲ ହେଲେ ମୁଁ ହାରିଯାଇଛି। ମୋର ଗୁଜରାଣ ପାଇଁ ତ କିଛି କରିବି। ପରେ ଜାଣିବାକୁ ପାଇଲୁ ସେ ଗୋଟିଏ ଯାତ୍ରାପାର୍ଟି କରିଛନ୍ତି। ୨୦୦୦ ମସିହାରେ ସହିଦନଗର ପଡ଼ିଆରେ ତାଙ୍କ ଯାତ୍ରା ପାର୍ଟି ପଡ଼ିଥିଲା। ମୋତେ ଯାତ୍ରା ଦେଖିବାକୁ ନିମନ୍ତ୍ରଣ ଦେଇ କହିଲେ ମୁଖ୍ୟମନ୍ତ୍ରୀଙ୍କୁ ଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କରିଛି। ନିମନ୍ତ୍ରଣ ମୁତାବକ ମୁଖ୍ୟମନ୍ତ୍ରୀ ବି ଗଲେ। ପରିବାର ସମେତ ମୁଁ ମଧ୍ୟ ଯାତ୍ରା ଦେଖିବାକୁ ଯାଇଥିଲି। ସେବେଠାରୁ ତାଙ୍କ ପରିବାର ସହିତ ଆମର ବନ୍ଧୁତା ରହିଆସିଛି।’ ସ୍ବର୍ଗତ ମହାରଥୀଙ୍କ ସହ ଶୋକ ପ୍ରସ୍ତାବ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରବିନ୍ଦ ଢାଲି, ବିଜେପି ବିଧାୟକ ମୋହନ ଚରଣ ମାଝୀ ଭାଗ ନେଇଥିଲେ।