ଇଟାଲି ଅନ୍ତର୍ଗତ ପ୍ରାଚୀନ୍‌ ରୋମାନ୍‌ ସହର ପମ୍ପେଇରେ ପ୍ରତ୍ନତତ୍ତ୍ବବିତ୍‌ମାନେ ଦୁଇ ହଜାର ବର୍ଷ ତଳର ଏକ ଚିତ୍ରକଳା ଆବିଷ୍କାର କରିଛନ୍ତି, ଯେଉଁଥିରେ ଇଟାଲୀୟ ବ୍ୟଞ୍ଜନ ‘ପିଜା’ର ପ୍ରତିକୃତି ଦେଖିବାକୁ ମିଳିଛି। ସେଥିରେ ‘ପିଜା’ର ସବୁତକ ଉପାଦାନ ନ ଥିଲେ ବି ଦୁଇ ହଜାର ବର୍ଷ ତଳର ଲୋକମାନେ ଏହି ଆଧୁନିକ ଖାଦ୍ୟର ଗ୍ରାହକ ଥିଲେ ବୋଲି ଅନୁମାନ କରାଯାଉଛି। ପମ୍ପେଇର କେନ୍ଦ୍ରସ୍ଥଳରେ ଥିବା ରିଜିଓ-୯ରେ ଚଳିତବର୍ଷ ଖନନ ବେଳେ ଏକ ପାଉଁରୁଟି କାରଖାନା ନିକଟ ଏକ ଗୃହର ମୁଖ୍ୟ ପ୍ରକୋଷ୍ଠରୁ ଉକ୍ତ ପ୍ଳାଷ୍ଟର ନିର୍ମିତ (ଫ୍ରେସ୍କୋ) ଚିତ୍ରକଳାଟିକୁ ଉଦ୍ଧାର କରାଯାଇଛି। ଚିତ୍ରକଳାଟିରେ ଏକ ରୁପା ଥାଳିଆରେ ଚଟକା ପାଉଁରୁଟି ନିକଟରେ ଏକ ମଦ୍ୟ ପିଆଲା ସହିତ ଖଜୁରି ଓ ଡାଳିମ୍ବ ପରି କିଛି ଫଳ ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସମଗ୍ର ବିଶ୍ବରେ ‘ପିଜା’ ସମ୍ପ୍ରତି ଏକ ବିଳାସୀ ଖାଦ୍ୟର ମାନ୍ୟତା ରଖିଥିବା ବେଳେ ଦକ୍ଷିଣ ଇଟାଲିରେ ତାହା ଗରିବଙ୍କର ଏକ ଖାଦ୍ୟ ଭାବେ ଜନ୍ମ ନେଇଥିଲା। ଚିତ୍ରକଳାଟିରେ ପିଜା ଭଳି ଏକ ମିତବ୍ୟୟୀ ତଥା ସରଳ ଭୋଜନ ଓ ରୁପା ଥାଳିଆ ଭଳି ବିଳାସପୂର୍ଣ୍ଣ ଆଭିଜାତ୍ୟ ମଧ୍ୟରେ ସମନ୍ବୟ ଦେଖିବାକୁ ମିଳିଛି। ତେଣୁ ସୁଦୂର ଅତୀତରେ ମଧ୍ୟ ପିଜା ଏକ ସମ୍ଭ୍ରାନ୍ତ ଖାଦ୍ୟରେ ପରିଣତ ହୋଇସାରିଥିଲା ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ୭୯ ଖ୍ରୀଷ୍ଟାବ୍ଦରେ, ଅର୍ଥାତ୍‌ ପାଖାପାଖି ଦୁଇ ହଜାର ବର୍ଷ ତଳେ ଭେସୁଭିଅସ୍‌ ପାହାଡ଼ରୁ ସଂଘଟିତ ଆଗ୍ନେୟ ଉଦ୍‌ଗିରଣରେ ସମଗ୍ର ପମ୍ପେଇ ସହର ଛାରଖାର ହୋଇଯାଇଥିଲା। ତେବେ ଊନବିଂଶ ଶତାବ୍ଦୀରେ ସେଠାରେ ପ୍ରତ୍ନତାତ୍ତ୍ବିକ ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗତ ଜାନୁଆରିରେ ଉକ୍ତ ପାଉଁରୁଟି କାରଖାନା ସଂଲଗ୍ନ କୋଠାର ଧ୍ବଂସାବଶେଷ ଖୋଳାଯାଇଥିଲା।

Advertisment