ଉଦ୍ଭିଦ ନଥିଲେ ମାନବ ଜାତି ସମେତ ଜୀବଜଗତର ମଧ୍ୟ ସତ୍ତା ରହିବ ନାହିଁ। ଗଛ ତାହାର ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପ ଶୋଷିନେଇ ବାହାରକୁ ନିର୍ମଳ ଅମ୍ଳଜାନ ଛାଡ଼ିଥାଏ। ତେଣୁ ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବା ପାଇଁ ଆମେ ବୃକ୍ଷରୋପଣକୁ ଗୁରୁତ୍ବ ଦେଇଥାଉ। ଯେତେ ଗଛ ଲଗାଇବା ସେତେ ମଙ୍ଗଳ ବୋଲି ଆମର ଏକ ଧାରଣା ରହିଛି। ମାତ୍ର ଭୁଲ୍ ସ୍ଥାନରେ ଗଛ ଲଗାଇଲେ ତାହା ବିଶ୍ବ ତାପମାତ୍ରା ବୃଦ୍ଧିରେ ସହାୟକ ହେବା ସହ ଆମ ପାଇଁ ଉପକାର ବଦଳରେ ନାନା ସଂକଟ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି।
ସେମାନଙ୍କ ଅନୁଧ୍ୟାନ ଅନୁଯାୟୀ ପୃଥିବୀର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ମାତ୍ରାଧିକ ଗଛ ଲଗାଇବା ଦ୍ବାରା ସେହି ସ୍ଥାନରେ ଭୂପୃଷ୍ଠରୁ ଖୁବ୍ କମ୍ ପରିମାଣର ସୂର୍ଯ୍ୟତାପ ପ୍ରତିଫଳିତ ହୋଇ ବାହାରକୁ ନିର୍ଗତ ହେବ। ସୁତରାଂ ସେଠାରେ ଭୂପୃଷ୍ଠ ଅଧିକ ସୂର୍ଯ୍ୟତାପ ଶୋଷି ନେଇ ଅଧିକ ଉତ୍ତପ୍ତ ହୋଇଯିବ। ଅଧିକ ବୃକ୍ଷବହୁଳ ଅଞ୍ଚଳରେ ଭୂପୃଷ୍ଠର ତାପ ପ୍ରତିଫଳନ ଗୁଣ (ଆଲବିଡୋ) କମିଯାଇଥାଏ। ସାଧାରଣତଃ ମେରୁ ଅଞ୍ଚଳ ପରି ବରଫାଚ୍ଛନ୍ନ ଇଲାକାରେ ‘ଆଲବିଡୋ’ର ମାତ୍ରା ଅଧିକ। ସେଠାରେ ଭୂପତିତ ସୌରତାପର ପ୍ରାୟ ୯୦ ପ୍ରତିଶତ ପ୍ରତିଫଳିତ ହୋଇଯାଇଥାଏ। ଅପରପକ୍ଷେ, ଆମାଜନ ଓ କଙ୍ଗୋ ଅବବାହିକା ପରି ଆର୍ଦ୍ର ପରିବେଶର ଉଚ୍ଚ ଅଙ୍ଗାରକାମ୍ଳ ଶୋଷଣ ଓ କମ୍ ‘ଆଲ୍ବିଡୋ’ ଭଳି ଗୁଣ ସେମାନଙ୍କୁ ବୃକ୍ଷରୋପଣର ଆଦର୍ଶ ସ୍ଥାନ ଭାବେ ପରିଣତ କରିଛି। ମାତ୍ର ଏହାର ବିପରୀତ ସ୍ଥିତି ସାଭାନ୍ନା ପରି ତୃଣଭୂମି ଅଞ୍ଚଳରେ ଦେଖାଯାଇଥାଏ। ଯଦିଓ ଅଧିକ ବୃକ୍ଷରୋପଣ ଜୈବପ୍ରଣାଳୀର ସଂରକ୍ଷଣ ସମେତ ଅନ୍ୟାନ୍ୟ ଉପକାର ପ୍ରଦାନ କରିଥାଏ, ତେବେ ବିଶ୍ବ ଉତ୍ତପ୍ତୀକରଣରେ ଲଗାମ ଲଗାଇବା ପାଇଁ ଯେଉଁଠି ‘ଆଲବିଡୋ’ର ମାତ୍ରା କମ୍ ସେଠାରେ ଗଛ ଲଗାଇବା ଉଚିତ ହେବ ବୋଲି ଗବେଷକମାନେ ପରାମର୍ଶ ଦେଇଛନ୍ତି।