ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋଭିଡ-୧୯ ପାଇଁ କରାଯାଉଥିବା ପ୍ଲାଜମା ଥେରାପିକୁ ସଫଳତା ମିଳିଛି। କୋଭିଡ-୧୯ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସକାଶେ ଆପଣା ଯାଇଥିବା ଏହି ଥେରାପିକୁ ନେଇ ପରୀକ୍ଷା ପ୍ରଥମ ଥର ପାଇଁ ସଫଳ ହୋଇଛି। ଜାଣିବାକୁ ମିଳିଛି ଯେ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇ ସହରର ଏକ ବେସରକାରୀ ହସ୍ପିଟାଲ୍ରେ ପ୍ଲାଜ୍ମା ଥେରାପି ଦ୍ବାରା ଚିକିତ୍ସିତ ହେଉଥିବା ଦିଲ୍ଲୀର ଜଣେ ୪୯ ବର୍ଷିଅ ବୃଦ୍ଧ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀର ମାକ୍ସ ହସ୍ପିଟାଲ୍ରେ ଥିବା ଏହି ଆକ୍ରାନ୍ତଙ୍କୁ ଆଉ ଭେଣ୍ଟିଲେଟର୍ରେ ରଖାଯାଇ ନାହିଁ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଏହି ପ୍ଲାଜ୍ମା ଥେରାପିକୁ ନେଇ ବେଶ୍ କିଛି ଦିନ ହେବ ଗବେଷକମାନେ ପରୀକ୍ଷା ଆରମ୍ଭ କରି ସାରିଛନ୍ତି। କରୋନା ଭାଇରସ୍ରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଉଥିବା ରୋଗୀମାନଙ୍କ ଦେହରୁ ପ୍ଲାଜ୍ମା ଅଣାଯାଇ ଗୁରୁତର ଥିବା କରୋନା ଆକ୍ରାନ୍ତଙ୍କ ଦେହରେ ଦିଆଯିବା ପ୍ରକ୍ରିୟାକୁ ଗବେଷକମାନେ ପ୍ଲାଜ୍ମା ଥେରାପି କହୁଛନ୍ତି। କରୋନା ଭାଇରସ୍ ସହ ଲଢ଼େଇ କରି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜ୍ମାରେ ଥିବା ଶକ୍ତିକୁ ଅଣାଯାଇ ଭେଣ୍ଟିଲେଟର୍ରେ ଥିବା ରୋଗୀଙ୍କ ଦେହରେ ଦିଆଯାଉଛି। ଏହି ପ୍ରକ୍ରିୟାରେ ଦିଲ୍ଲୀର ୪୯ ବର୍ଷିଅ ବ୍ୟକ୍ତିଙ୍କ ସୁସ୍ଥ ହେବା ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ସଫଳତା।
ବ୍ୟକ୍ତି ଜଣକ ଏପ୍ରିଲ୍ ୪ ତାରିଖରେ କରୋନା ପଜିଟିଭ୍ ଜଣାଯିବା ପରେ ତାଙ୍କୁ ମାକ୍ସ ହସ୍ପିଟାଲ୍ ଭର୍ତ୍ତି କରାଯାଇଥିଲା। ତାଙ୍କ ଭିତରେ କୌଣସି ପ୍ରକାରର ପରିବର୍ତ୍ତନ ନ ଆସିବାରୁ ତାଙ୍କ ପରିବାର ଲୋକ ଡାକ୍ତରମାନଙ୍କଚ ପ୍ଲାଜ୍ମା ଥେରାପି ପାଇଁ ଅନୁରୋଧ କରିଥିଲେ। ହସ୍ପିଟାଲ୍ କର୍ତ୍ତୃପକ୍ଷ ପରିବାର ଲୋକଙ୍କ ଅନୁରୋଧ ରକ୍ଷା କରି ତାଙ୍କର ପ୍ଲାଜ୍ମା ଥେରାପି କରିଥିଲେ ଓ ବ୍ୟକ୍ତିଙ୍କ ରିପୋର୍ଟରୁ ୨ ଥର କେରାନା ନେଗେଟିଭ୍ ଜଣାପଡ଼ିଛନ୍ତି।