କୋଭିଡ୍‌ରେ ପ୍ଲାଜମା ଚିକିତ୍ସା ବରଦାନ ସଦୃଶ

କୋଭିଡ ସଂକ୍ରମିତ ରୋଗୀର ରୋଗ ପ୍ରତିଷେଧକ ଶକ୍ତି କମିଲେ ଗୁରୁତର ହେଉଛି। ଅକାଳରେ ପ୍ରାଣ ବି ଯାଉଛି। କୋଭିଡ ସଂକ୍ରମିତ ରୋଗୀଙ୍କୁ ଯଦି ଠିକ୍‌ ସମୟରେ ପ୍ଲାଜମା ଚିକିତ୍ସା କରାଯାଏ ତାହେଲେ, ରୋଗୀ ଆରୋଗ୍ୟ ଲାଭ କରିପାରୁଛି। ବିଶେଷଜ୍ଞଙ୍କ ମତରେ ଏହି ପଦ୍ଧତି ନୂଆ ନୁହେଁ, ବିଶ୍ବରେ ପୂର୍ବରୁ ସ୍ପାନିସ୍‌ ଫ୍ଲୁଠାରୁ ଆରମ୍ଭ କରି ଇବୋଲା ସମେତ ଯେତେ ସବୁ ମହାମାରୀ ହୋଇଥିଲା ସେଥିରେ ରୋଗୀମାନଙ୍କୁ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଚିକିତ୍ସା ପଦ୍ଧତି ବ୍ୟବହାର କରାଯାଇ ରୋଗୀମାନଙ୍କୁ ସୁସ୍ଥ କରାଯାଇପାରିଛି।

ପ୍ଲାଜମା ଚିକିତ୍ସା ପଦ୍ଧତି କ’ଣ?
କରୋନା ସଂକ୍ରମିତ ରୋଗୀଙ୍କ ଦେହରେ ରୋଗ ପ୍ରତିଷେଧକ ଶକ୍ତି କମଥାଏ। ସେମାନଙ୍କ ରୋଗ ପ୍ରତିଷେଧକ ବୃଦ୍ଧି କରିବା ପାଇଁ ଆଉ ଜଣେ ବ୍ୟକ୍ତିର ପ୍ଲାଜମାକୁ ସିଧାସଳଖ କୋଭିଡ ରୋଗୀଠାରେ ଇଂଜେକ୍ଟ୍‌ କରାଯାଇଥାଏ। ଫଳରେ ଅଚିରେ କୋଭିଜ ସଂକ୍ରମିତ ରୋଗୀର ରୋଗ ପ୍ରତିଷେଧକ ଶକ୍ତି ବଢ଼ିଥାଏ। ଧୀରେ ଧୀରେ ରୋଗୀଟି ଆରୋଗ୍ୟ ଲାଭ କରିବା ଆରମ୍ଭ କରେ। ଏହି ଚିକିତ୍ସା ପଦ୍ଧତି ଶତପ୍ରତିଶତ କୋଭିଡ ରୋଗୀକୁ ଆରୋଗ୍ୟ କରିପାରୁଛି ଏହାର ବଳିଷ୍ଠ ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ।

କଟକ ଏସ୍‌ସିବି ମେଡିକାଲ କଲେଜ୍‌ ଭେଷଜ ବିଭାଗ ମୁଖ୍ୟ ତଥା ରାଜ୍ୟ ସରକାରଙ୍କ କୋଭିଡ-୧୯ ବୈଷୟିକ କମିଟି ପରାମର୍ଶଦାତା ପ୍ରଫେସର ଡା. ଜୟନ୍ତ ପଣ୍ଡା କହିଛନ୍ତି, ଏହି ଚିକିତ୍ସା ପଦ୍ଧତି ଦ୍ବାରା ରୋଗୀଙ୍କର ୮୦ ପ୍ରତିଶତ ଆରୋଗ୍ୟ ଲାଭ କରିବା ସମ୍ଭାବନା ରହିଛି। ସୁସ୍ଥ ଲୋକଟିଏ ଯାହା ଦେହରେ ଉତ୍ତମ ରୋଗ ପ୍ରତିଷେଧକ ଶକ୍ତି ଥିବ ସେହି ବ୍ୟକ୍ତି ପ୍ଲାଜ୍‌ମା ଦାନ କରିବାକୁ ଆଗେଇ ଆସିବା ଦରକାର। ଯାହାଦ୍ବାରା ଆଉ ଜଣଙ୍କୁ ସେ ଜୀବନ ଦାନ ଦେବା ଭଳି ହେବ। ପ୍ରଫେସର ଡା.ପଣ୍ଡା କହିଛନ୍ତି, ମଣିଷ ରକ୍ତରେ ୫ଟି ଉପାଦନ ମିଳିଥାଏ, ଲୋହିତ ରକ୍ତକଣିକା (ଆର୍‌ବିସି), ଶ୍ବେତ ରକ୍ତକଣିକା (ଡବ୍ଲୁବିସି), ପ୍ଲାଜମା, ପ୍ଲାଟେଲେଟ୍‌ ଓ ପ୍ଲାଜମା ପ୍ରୋଟିନ୍‌। ଆର୍‌ବିସି, ଡବ୍ଲୁବିସି ଓ ପ୍ଲାଟେଲେଟ୍‌ ରକ୍ତର ସେଲ୍‌ ଅଟନ୍ତି।

କେତେବେଳେ ପ୍ଲାଜମା ଚିକିତ୍ସା ଦରକାର
ପ୍ରଫେସର ଡା.ପଣ୍ଡାଙ୍କ ମତରେ କୋଭିଡ ସଂକ୍ରମିତ ରୋଗୀ ଯେତେବେଳେ ଅତି ଗୁରୁତର ହେବ, ସେତେବେଳେ ପ୍ଲାଜମା ଚିକିତ୍ସା କରି କୌଣସି ଲାଭ ମିଳିବ ନାହିଁ। ଏହାସହିତ କମ୍‌ ପରିମାଣରେ ସଂକ୍ରମିତ ବା ବିଶେଷ ଲକ୍ଷଣ ଦେଖାଯାଉନଥିବା ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ପଦ୍ଧତି ଆଦୌ ଗ୍ରହଣୀୟ ନୁହେଁ। କୋଭିଡ୍‌ ରୋଗୀର ଅବସ୍ଥାକୁ ଦେଖି ଠିକ୍‌ ସମୟରେ ତାର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ପ୍ଲାଜମା ପ୍ରଦାନ କରାଗଲେ ରୋଗୀ ସୁସ୍ଥ ହୋଇପାରିବ।

କେଉଁମାନେ ପ୍ଲାଜମା ଦାନ କରିପାରିବେ?
ରାଜ୍ୟ ପ୍ଲାଜମା ଚିକିତ୍ସା ନୋଡାଲ ଅଧିକାରୀ ତଥା ଆସୋସିଏଟ୍‌ ପ୍ରଫେସର ଡା. ସ୍ମିତା ମହାପାତ୍ର କହିଛନ୍ତି, କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ଯାହାର ରକ୍ତରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ ସେହି ବ୍ୟକ୍ତିର ରକ୍ତରୁ ୪୦୦ରୁ ୫୦୦ ମିଲିଲିଟର ପ୍ଲାଜମା ସଂଗ୍ରହ ହୋଇପାରିବ। ପ୍ଲାଜମା ଦାନ କରୁଥିବା ବ୍ୟକ୍ତିର ବୟସ ୧୮ରୁ ୬୫ ବର୍ଷ ଭିତରେ ହୋଇଥିବ। ତାର ଓଜନ ୫୦ କିଲୋ କିମ୍ବା ତାଠାରୁ ଅଧିକ ହେବା ଆବଶ୍ୟକ। କୋଭିଡ ରୋଗରୁ ଆରୋଗ୍ୟ ଲାଭ କରି ମେଡିକାଲରୁ ଡିସଚାର୍ଜ ହେବାର ୧୪ ଦିନ ପରେ ପ୍ଲାଜମା ଦାନ କରିପାରିବ। ଏହାସହିତ କୋଭିଡର ଶେଷ ଟିକା ନେବାର ୨୮ ଦିନ ପରେ ସମ୍ପୃକ୍ତ ବ୍ୟକ୍ତିର ରକ୍ତରୁ ପ୍ଲାଜମା ସଂଗ୍ରହ କରାଯାଇପାରିବ। ଥରେ ପ୍ଲାଜମା ଦେବାର ୧୫ ଦିନ ପରେ ପୁଣି ଥରେ ସେହି ବ୍ୟକ୍ତି ପ୍ଲାଜମା ଦାନ କରିପାରିବେ। ଗତବର୍ଷ ଓଡ଼ିଶାରେ ପ୍ରଥମ କରି ଏସ୍‌ସିବି ମେଡିକାଲ କଲେଜ୍‌ରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଜୁଲାଇ ୧୫ ତାରିଖରେ ପ୍ଲାଜମା ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଥିଲା। ପରେ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲରେ ଏହି ଚିକିତ୍ସା ପଦ୍ଧିତିର ବ୍ୟବସ୍ଥା କରାଯାଇଥିଲା।

ରାଜ୍ୟରେ କେତୋଟି ପ୍ଲାଜମା ବ୍ୟାଙ୍କ ଅଛି?
ରାଜ୍ୟ ନୋଡାଲ ଅଧିକାରୀ ଆସୋସିଏଟ୍‌ ପ୍ରଫେସର୍‌ ଡା.ସ୍ମିତା ମହାପାତ୍ର କହିଛନ୍ତି, ଏବେସୁଦ୍ଧା ରାଜ୍ୟରେ ୬ଟି ପ୍ଲାଜମା ବ୍ୟାଙ୍କ ଖୋଲାଯାଇଛି। ସେଗୁଡିକ ହେଲା କଟକ ଏସ୍‌ସିବି ମେଡିକାଲ କଲେଜ୍‌, ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ୍‌, ବୁର୍ଲା ଭିଏସ୍‌ଏସ୍‌ ମେଡିକାଲ କଲେଜ୍‌, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍‌ ଓ ରାଉରକେଲାର ଆଇଜିଏଚ୍‌ ହସ୍ପିଟାଲରେ ସରକାର ପ୍ଲାଜମା ବ୍ୟାଙ୍କ ଖୋଲିଛନ୍ତି। ଗତବର୍ଷଠାରୁ ଏ ପର୍ଯ୍ୟନ୍ତ ୪ ହଜାର ୭୭୮ଟି ପ୍ଲାଜମା ୟୁନିଟ୍‌ ସଂଗ୍ରହ ହୋଇପାରିଛି।

ପ୍ଲାଜମା ଦାନ ନେଇ ସାଧାରଣରେ ପ୍ରଶ୍ନ
ପ୍ରଶ୍ନ: କୋଭିଡରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରିଥିବା ବ୍ୟକ୍ତିର ରୋଗ ପ୍ରତିଷେଧକ ଶକ୍ତି କମିଯାଏ କି?
ବିଶେଷଜ୍ଞଙ୍କ ଉତ୍ତର: ଏଭଳି ଧାରଣା ଭୁଲ। ଉତ୍ତମ ରୋଗ ପ୍ରତିଷେଧକ ଶକ୍ତି ଥିବା ବ୍ୟକ୍ତି ଏକାଧିକ ଥର ପ୍ଲାଜମା ଦାନ କରିପାରିବ। ଏପରିକି ଜଣେ ବ୍ୟକ୍ତି ୭ରୁ ୮ଥର ପ୍ଲାଜମା ଦାନ କରିବା ନଜିର ରହିଛି।

ପ୍ରଶ୍ନ : ପ୍ଲାଜମା ଦାନ କରିଥିବା ବ୍ୟକ୍ତି ଦ୍ବିତୀୟ ଥର କୋଭିଡ ସଂକ୍ରମିତ ହେଲେ କ’ଣ ହେବ?
ବିଶେଷଜ୍ଞଙ୍କ ଉତ୍ତର: ଡାକ୍ତରଙ୍କ ମତରେ ପ୍ଲାଜମା ଦାନ କରନ୍ତୁ ବା ନ କରନ୍ତୁ ସମୟକ୍ରମେ ବ୍ୟକ୍ତିର ରୋଗ ପ୍ରତିଷେଧକ ଶକ୍ତି କମିଯାଇଥାଏ। କିନ୍ତୁ ଏକାଧିକ ଥର ସଂକ୍ରମିତ ହେଲେ ସେହି ବ୍ୟକ୍ତିର ଶରୀର ଆପେ ଆପେ ଘଣ୍ଟାକ ଭିତରେ ରୋଗ ପ୍ରତିଷେଧକ ଶକ୍ତି ପ୍ରସ୍ତୁତ କରିନିଏ।

ପ୍ରଶ୍ନ: କେଉଁ ଧରଣ କୋଭିଡ ରୋଗୀ ପ୍ଲାଜମା ଚିକିତ୍ସାର ଲାଭ ପାଇପାରିବ?
ବିଶେଷଜ୍ଞଙ୍କ ଉତ୍ତର- ଅଳ୍ପ ନୁହେଁ କି ବେଶୀ ଗୁରୁତର ସଂକ୍ରମିତ ନୁହେଁ, କେବଳ ମଧ୍ୟମ ଧରଣର ସଂକ୍ରମିତ କୋଭିଡ ରୋଗୀ ପ୍ଲାଜମା ଚିକିତ୍ସାରୁ ଲାଭ ପାଇପାରିବ।

ସମ୍ବନ୍ଧିତ ଖବର