ମହାରାଷ୍ଟ୍ରର ତଡ଼ୋବା ଅନ୍ଧେରି ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଏକ ବାଘ କାମୁଡ଼ି ଧରିଥିବା ଏକ ପ୍ଲାଷ୍ଟିକ୍‌ ବୋତଲର ଭିଡିଓଚିତ୍ର ସାମାଜିକ ଗମମାଧ୍ୟମରେ ଏବେ ହଇଚଇ ସୃଷ୍ଟି କରିଛି। ଏହା ପ୍ଳାଷ୍ଟିକ ପ୍ରଦୂଷଣ ତଥା ଅନୁପଯୁକ୍ତ ବର୍ଜ୍ୟ ପରିଚାଳନାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ବନ୍ୟପ୍ରାଣୀ ଫଟୋଗ୍ରାଫର ଦୀପ କାଠିକରଙ୍କ ଦ୍ବାରା ଉତ୍ତୋଳିତ ଏହି ଭିଡିଓରେ ବାଘଟିଏ ସତର୍କତାର ସହ ଏକ ପ୍ଲାଷ୍ଟିକ୍‌ ବୋତଲକୁ ପାଟିରେ ଧରି ଚାଲୁଥିବା ଦେଖାଯାଇଛି। ଅଳିଆ ଆବର୍ଜନା ପକାଇବା ନେଇ କଡ଼ାକଡ଼ି କଟକଣା ଥିବା ସତ୍ତ୍ବେ ଏକ ଜାତୀୟ ଉଦ୍ୟାନରେ ସୁଦ୍ଧା ପ୍ଳାଷ୍ଟିକ ପ୍ରଦୂଷଣ ପହଞ୍ଚିଯିବା ପରିବେଶପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ସୂଚନାଯୋଗ୍ୟ, ତଡ଼ୋବା ଅନ୍ଧେରି ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ ହେଉଛି ମହାରାଷ୍ଟ୍ରର ସବୁଠୁ ପୁରୁଣା ଜାତୀୟ ଉଦ୍ୟାନ। ତାହା ଚିତାବାଘ, ଭାଲୁ, ନୀଳଗିରି ଗାଈ, ହରିଣ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ସମେତ ୮୮ଟି ମହାବାଳ ବାଘଙ୍କର ବାସସ୍ଥଳୀ।

Advertisment

ବନ୍ୟପ୍ରାଣୀ ଫଟୋଗ୍ରାଫର ଦୀପ କାଠିକରଙ୍କ ଦ୍ବାରା ଉତ୍ତୋଳିତ ଏହି ଭିଡିଓରେ ବାଘଟିଏ ସତର୍କତାର ସହ ଏକ ପ୍ଲାଷ୍ଟିକ୍‌ ବୋତଲକୁ ପାଟିରେ ଧରି ଚାଲୁଥିବା ଦେଖାଯାଇଛି।

ପ୍ଳାଷ୍ଟିକ୍‌ ଧରିଥିବା ଉକ୍ତ ବାଘଟି ସଂରକ୍ଷିତ ଜଙ୍ଗଲର ବାଘୁଣୀ ‘ଭାନୁସ୍‌ଖିଣ୍ଡି’ର ଛୁଆ ବୋଲି ଫଟୋଗ୍ରାଫର କାଠିକର ଚିହ୍ନିତ କରିଛନ୍ତି। ବାଘ ପାଟିରେ ପ୍ଲାଷ୍ଟିକ୍‌ ବୋତଲର ଦୃଶ୍ୟ ଉକ୍ତ ସଂରକ୍ଷଣ ଇଲାକା ଭିତରକୁ ପର୍ଯ୍ୟଟକମାନେ ନେଉଥିବା ସାମଗ୍ରୀର କଡ଼ାକଡ଼ି ଯାଞ୍ଚ ସହ ଉଲ୍ଲଂଘନକାରୀଙ୍କ ଉପରେ କଠୋର ଦଣ୍ଡବିଧାନ ପାଇଁ ପ୍ରୋତ୍ସାହିତ କରିଛି। କାଠିକର ଏବଂ ତାଙ୍କ ସାଥୀମାନେ ସେଠାରେ ଏକ ଜଳାଶୟ ବନ୍ଧ ଉପରେ ବାଘଟି ବୁଲୁଥିବା ଦେଖିଥିଲେ। ପାଣି ଭିତରେ ଏକ ପ୍ଲାଷ୍ଟିକ ବୋତଲ ଭାସୁଥିବା ଦେଖି ସେ ତାହାକୁ ପାଣିରେ କାମୁଡ଼ି ବାହାରକୁ ଚାଲି ଆସିଥିଲା ଏବଂ ସେଇଟିକୁ କାଠିକରଙ୍କ ଗାଡ଼ି ଆଗରେ ଛାଡ଼ି ପଳାଇଥିଲା, ସତେ ଯେମିତି ବର୍ଜ୍ୟ ପ୍ଲାଷ୍ଟିକ୍‌କୁ ଠିକଣା ଜାଗାରେ ରଖିବା ଲାଗି ସେ ଇଙ୍ଗିତ କରିଥିଲା! ଉକ୍ତ ଭିଡିଓକୁ ଲକ୍ଷ୍ୟ କରି କେହି କେହି ବଣ୍ୟଜନ୍ତୁଙ୍କୁ ମଣିଷଙ୍କ ଠାରୁ ଅଧିକ ସଭ୍ୟ ବୋଲି ଦର୍ଶାଇବା ସହ ସେମାନଙ୍କର ନିଜ ପରିବେଶକୁ ପରିଷ୍କୃତ ଓ ଶୃଙ୍ଖଳିତ ରଖିବା ଜ୍ଞାନ ଅଧିକ ଥାଏ ବୋଲି କହିଛନ୍ତି।