ବିଜ୍ଞାନର ଅଗ୍ରଗତି ଯୋଗୁଁ ଆଜି ପ୍ଳାଷ୍ଟିକ୍ର ବ୍ୟବହାର କଳ୍ପନାତୀତ ଭାବେ ବଢ଼ିଯାଇଛି। ଆମ ଦୈନନ୍ଦିନ ଜୀବନରେ ପ୍ଳାଷ୍ଟିକ୍ ଏକ ଅପରିହାର୍ଯ୍ୟ ବସ୍ତୁ ପାଲଟିଛି। ଏହାର ବ୍ୟବହାର ଯେପରି ସୁଗମ ଓ ବ୍ୟାପକ, ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ସେହିପରି ସାଂଘାତିକ। ବିଶେଷ କରି ପରିବେଶ ପାଇଁ ଏହା ସବୁଠୁ ଘାତକ ସାବ୍ୟସ୍ତ ହୋଇଛି। କାରଣ ଏହା ଜୈବବିଘଟନଶୀଳ ହୋଇନଥିବାରୁ ବହୁଳ ବ୍ୟବହାର ଯୋଗୁଁ ଚାରିଆଡ଼େ ଛାଇଯାଇଥିବା ପ୍ଳାଷ୍ଟିକ୍ ପଦାର୍ଥର ବ୍ୟାପକ ଉପସ୍ଥିତି ପରିବେଶ ପ୍ରଦୂଷଣର ପ୍ରମୁଖ ଉପାଦାନ ପାଲଟିଛି। ଏଥିଯୋଗୁଁ ଜମିର ଉର୍ବରତା ତଥା ଉତ୍ପାଦନତା କମି ଆସିବା ସହ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସଂକଟଜନକ ପରିସ୍ଥିତି ଉଭା ହୋଇଛି। ତେବେ ବିଶ୍ବବାସୀ ଏଭଳି ସମସ୍ୟାରୁ ମୁକୁଳିବା ପାଇଁ ଖୁସି ଖବର ଆଣିଛନ୍ତି ସ୍ବିଜରଲାଣ୍ଡର ଡବଲ୍ୟୁଏସ୍ଏଲ୍ ପ୍ରତିଷ୍ଠାନର ଗବେଷକମାନେ।
ସ୍ବିଜରଲାଣ୍ଡ ଅନ୍ତର୍ଗତ ଆପ୍ସ ପର୍ବତମାଳାର ଶିଖର ଦେଶରେ ସେମାନେ ଠାବ କରିଥିବା ଏକ ପ୍ରକାର ଅଣୁଜୀବ ୧୫ ଡିଗ୍ରି ସେଲସିଅସ ଭଳି ଥଣ୍ତା ତାପମାତ୍ରାରେ ମଧ୍ୟ ପ୍ଳାଷ୍ଟିକ୍ ପଦାର୍ଥକୁ ହଜମ କରି ଜୈବବିଘଟନଶୀଳ କରିପାରୁଛନ୍ତି। ପ୍ଳାଷ୍ଟିକର ପୁନଃପ୍ରକ୍ରିୟାକରଣରେ ଏହି ଅଣୁଜୀବଗୁଡ଼ିକ ଉପାଦେୟ ସାବ୍ୟସ୍ତ ହେବେ ବୋଲି ସ୍ବିସ୍ ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି। ଅବଶ୍ୟ ପୂର୍ବରୁ ପରୀକ୍ଷାଗାରରେ ପ୍ଳାଷ୍ଟିକ୍କୁ ବିଘଟନ କରିପାରୁଥିବା ଅନୁରୂପ ଅଣୁଜୀବ ବିକଶିତ କରାଯାଇପାରିଛି। ମାତ୍ର ସେମାନେ କେବଳ ୩୦ ଡିଗ୍ରି ସେଲସିଅସ ବା ତା’ଠାରୁ ଅଧିକ ତାପମାତ୍ରାରେ କାର୍ଯ୍ୟକ୍ଷମ ହେଉଥିଲେ। ସୁତରାଂ ଏଭଳି ଉଚ୍ଚ ତାପମାତ୍ରାରେ କଳକାରଖାନାରେ ପ୍ଳାଷ୍ଟିକ୍ର ପ୍ରକ୍ରିୟାକରଣ ଖର୍ଚ୍ଚବହୁଳ ତଥା ପ୍ରଦୂଷଣ ସୃଷ୍ଟିକାରୀ ଥିଲା। ତେଣୁ ଏହି ନୂତନ ଆବିଷ୍କୃତ ଅଣୁଜୀବ ପ୍ଳାଷ୍ଟିକ୍ ଜନିତ ପରିବେଶ ପ୍ରଦୂଷଣ ହ୍ରାସ କରାଇବାର ଶ୍ରେଷ୍ଠ ବିକଳ୍ପ ଭାବେ ଉଭା ହୋଇପାରିବ ବୋଲି ଆଶା କରାଯାଏ।