ନୂଆଦିଲ୍ଲୀ: ପ୍ଲାଷ୍ଟିକ ଓ ପଲିଥିନ୍ ମାଟିରେ କ୍ଷୟ ହେଉ ନଥିବାରୁ ଅର୍ଥାତ୍ ବାୟୋ-ଡିଗ୍ରେଡେବଲ୍ ହୋଇ ନଥିବାରୁ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏଥିପାଇଁ ଏହାର ବ୍ୟବହାରକୁ ବର୍ଜନ କରାଯାଉଛି। ସ୍ବତନ୍ତ୍ର ଭାବେ ଆଇନ ତିଆରି କରାଯାଇ ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାରକୁ ନିଷେଧ କରାଯାଉଛି। ପ୍ଲାଷ୍ଟିକକୁ ମାଟିରେ ମିଶାଇବା ଭଳି ରାସାୟନିକ ପ୍ରକ୍ରିୟା ଉଦ୍ଭାବନ ଲାଗି ସାରା ବିଶ୍ବର ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି।
ତେବେ ବହୁ ଗବେଷଣା ପରେ ବୈଜ୍ଞାନିକମାନେ ଏପରି ଏକ ଏନ୍ଜାଇମ୍ ଭାରିୟାଣ୍ଟ୍ ପ୍ରସ୍ତୁତ କରିଛନ୍ତି ଯାହାକି ପ୍ଲାଷ୍ଟିକ୍କୁ ପୂରାପୂରି ନଷ୍ଟ କରି ଦେଇପାରେ। ଆପଣ ଜାଣିଥିବେ ଯେ ଅନ୍ୟ ବର୍ଜ୍ୟ ସାମଗ୍ରୀ ତୁଳନାରେ ପ୍ଲାଷ୍ଟିକକୁ ନଷ୍ଟ ହେବା ପାଇଁ ବହୁ ଅଧିକ ସମୟ ଲାଗିଥାଏ। ଏପରିକି ବର୍ଷ ବର୍ଷ ପଡ଼ି ରହିଲେ ବି ପ୍ଲାଷ୍ଟିକ୍ ମାଟିରେ ମିଶି ନଥାଏ। ତାହାର ସମାଧାନ ଏବେ ବୈଜ୍ଞାନିକମାନେ ଖୋଜି ପାଇଛନ୍ତି। ଏହି ସମାଧାନର ବାଟ ବାହାର କରିଛନ୍ତି ଟେକ୍ସାସ ବିଶ୍ବବିଦ୍ୟାଳୟର କିଛି ବୈଜ୍ଞାନିକ ଓ ଇଞ୍ଜିନିୟର୍।
ମାଟି ଉପରେ ଜମା ହୋଇ ରହୁଥିବା କୋଟିକୋଟି ଟନ୍ ପ୍ଲାଷ୍ଟିକ୍ ଅଳିଆକୁ ଆମେ ସହଜରେ ନଷ୍ଟ କରି ଆମ ପରିବେଶକୁ ସୁସ୍ଥ କରିପାରିବା। ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ଏନ୍ଜାଇମରେ ପ୍ଲାଷ୍ଟିକ୍କୁ ବିଘଟିତ କରି ରିସାଇକେଲିଂ(ପୁନଃ ଉପଯୋଗୀ) କରିବାର କ୍ଷମତା ରହିଛି। ଏହାକୁ ଉପଯୋଗ କରି ଆମେ ପରିବେଶ ଉପରେ ପ୍ଲାଷ୍ଟିକ ଆବର୍ଜନାର କୁପ୍ରଭାବ ପଡ଼ିବାରୁ ରୋକିପାରିବା।
ଟେକ୍ସାସ ବିଶ୍ବବିଦ୍ୟାଳୟର କେମିକାଲ୍ ଇଞ୍ଜିନୟରିଂ ବିଭାଗର ପ୍ରଫେସର୍ ହେଲ୍ ଏପ୍ଲରଙ୍କ କହିବାନୁଯାୟୀ, ‘ଏହି ଏନ୍ଜାଇମ୍ ଭାରିୟାଣ୍ଟ ସାହାଯ୍ୟରେ ପ୍ଲାଷ୍ଟିକ ନଷ୍ଟ ହୋଇ ପରେ ରିସାଇକ୍ଲିଂ ହୋଇପାରିବ। ତେଣୁ ଏହି ପ୍ରକ୍ରିୟାର ଲାଭ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଦ୍ୟୋଗ ଉଠାଇବା ଦରକାର।’ ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ଏନ୍ଜାଇମ୍ରେ ପ୍ଲାଷ୍ଟିକ୍କୁ ଅତି କ୍ଷୁଦ୍ର ଅଂଶରେ ଭାଙ୍ଗି ପରେ ରସାୟନିକ ଭାବେ ଏହାକୁ ପୁଣି ଏକତ୍ର କରିପାରିବା ପରି କ୍ଷମତା ରହିଛି।
କାଙ୍କରେଲ୍ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଓ କଲେଜ୍ ଅଫ୍ ନେଚୁରାଲ୍ ସାଇନ୍ସର ଅନୁସନ୍ଧାନକାରୀମାନେ ଏକ ମେସିନ୍ ଲର୍ଣ୍ଣିଂ ମଡେଲ୍ ପ୍ରସ୍ତୁତ କରି ତାହାରି ଜରିଆରେ ପେଟେଜ୍ ନାମକ ଏକ ପ୍ରକୃତିକ ମ୍ୟୁଟେସନ୍ ପାଇଛନ୍ତି, ଯାହାକି ବ୍ୟାକ୍ଟେରିଆକୁ ପଲିଇଥିଲିନ୍ ଟେରେପ୍ଟଥେଲେଟ୍ ପ୍ଲାଷ୍ଟିକ୍କୁ ଭାଙ୍ଗିବାରେ ସାହାଯ୍ୟ କରେ।