ଶସ୍ୟକ୍ଷେତ୍ରକୁ ପଶୁପକ୍ଷୀଙ୍କ ଉପଦ୍ରବରୁ ରକ୍ଷା କରିବା ପାଇଁ ଆମେ ପାଳଭୂତର ଉପଯୋଗ କରିଥାଉ। ପାଳ ବା ନଡ଼ାରେ ତିଆରି ଏହି ମଣିଷାକୃତି ସରଞ୍ଜାମଟି ବିଶେଷ କରି ପନିପରିବା କିଆରିରେ ଜଣେ ଜଗୁଆଳିର ଭ୍ରମ ସୃଷ୍ଟି କରି ବିଭିନ୍ନ ପକ୍ଷୀ ଓ ମାଙ୍କଡ଼ଙ୍କୁ କିଛି ମାତ୍ରାରେ ଘଉଡ଼ାଇବାରେ ସଫଳ ହୋଇଥାଏ। ଏ ପରିପ୍ରେକ୍ଷୀରେ ଜାପାନର ଏକ କମ୍ପାନି ଦୀର୍ଘ ୧୫ ବର୍ଷ ହେଲା ଏକ ବିଶେଷ ଧରଣର ହଳଦିଆ ରଙ୍ଗର ଈଷତ୍‌-ସ୍ବଚ୍ଛ ପ୍ଲାଷ୍ଟିକ ଉପକରଣ ଦ୍ବାରା ବିଲରେ କାଉମାନଙ୍କୁ ତଡ଼ିବାରେ ସଫଳ ହୋଇଥିବା ଦାବି କରିଛି। ଏହା ଅନ୍ୟ ଯେକୌଣସି ପାଳଭୂତ ଅପେକ୍ଷା ଅଧିକ ଫଳପ୍ରଦ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଜାପାନୀ ସଂସ୍କୃତିରେ କାଉ ଏକ ଶୁଭସୂଚକ ପ୍ରାଣୀର ମାନ୍ୟତା ବହନ କରେ। ତେବେ ବାସ୍ତବ ଜୀବନରେ ଏହା ପ୍ରଭୂତ କ୍ଷତି ଘଟାଇଥାଏ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପରିବେଶରେ ନିଜକୁ ଖାପ ଖୁଆଇ ରହିପାରୁଥବା ଏହି ବିଚକ୍ଷଣ ପକ୍ଷୀ ଖାଦ୍ୟ ଅନ୍ବେଷଣ ପାଇଁ ଅଳିଆଗଦାରେ ରୁଣ୍ଡ ହୋଇ ଅନ୍ୟ ଛୋଟ ପକ୍ଷୀଙ୍କୁ ଆକ୍ରମଣ କରିବା ସହ ଫଳ ଓ ପନିପରିବା କ୍ଷେତରେ ପ୍ରଭୂତ କ୍ଷତି ଘଟାଇଥା’ନ୍ତି। ସେମାନଙ୍କର ପ୍ରଖର ବୁଦ୍ଧି ଓ ଉତ୍ତମ ସ୍ମରଣଶକ୍ତି ଯୋଗୁଁ ପକ୍ଷୀମାନଙ୍କୁ ତଡ଼ିବା ଲାଗି ଉଦ୍ଦିଷ୍ଟ ତଥାକଥିତ ‘ପାଳଭୂତ’ଗୁଡ଼ିକ ସେମାନଙ୍କ ପାଇଁ ପ୍ରଭାବହୀନ ହୋଇପଡ଼ିଥାଏ। ତେଣୁ ଏହାର ସମାଧାନ ପାଇଁ ଉକ୍ତ କମ୍ପାନି ନିର୍ମିତ ‘କ୍ରୋ ବଷ୍ଟର’ ନାମକ କାଉ ପ୍ରତିହତକାରୀ ସଫଳ ସାବ୍ୟସ୍ତ ହୋଇଛି। କାଉଙ୍କ ଦାଉରୁ ବଞ୍ଚାଇବାକୁ ଚାହୁଁଥିବା ଛାତ ଉପର, ବଗିଚା କି ଶସ୍ୟକ୍ଷେତରେ ଏହି ହଳଦିଆ ରଙ୍ଗର ହୀରାକୃତି ଉପକରଣକୁ ଟାଙ୍ଗିଦେଲେ କାଉମାନେ ଦୂରେଇ ରହିଥାନ୍ତି। ମାତ୍ର ୧୪ ସେ.ମି. ଦୈର୍ଘ୍ୟ ଓ ୧୪ ସେ.ମି. ପ୍ରସ୍ଥ ବିଶିଷ୍ଟ ଏହି ପ୍ଲାଷ୍ଟିକ ଖଣ୍ଡରୁ ପ୍ରତିଫଳିତ ହେଉଥିବା ଆଲୋକରଶ୍ମି କାଉମାନଙ୍କ ପାଇଁ ଅସହଜ ତଥା ବିରକ୍ତିକର ମନେ ହେଉଥିବା କୁହାଯାଉଛି। ଗୋଟିଏ ‘କ୍ରୋ ବଷ୍ଟର’ ଛଅମାସ ଯାଏ କାମ କରିପାରିବ ବୋଲି କମ୍ପାନି ଦାବି କରୁଥିବା ବେଳେ ଏହା ପଛରେ ରହିଥିବା ଅନ୍ୟାନ୍ୟ ଜ୍ଞାନକୌଶଳ ବାବଦରେ ସବିଶେଷ ବିବରଣୀ ପ୍ରଘଟ କରାଯାଇନାହିଁ।