ପାଟିରେ ସଂପୂର୍ଣ୍ଣ ଭିଜି ମିଳାଇ ଯାଉ ନଥିବା ଏବଂ ମିଠା ତଥା କୋମଳ ଲାଗୁଥିବା ‘ଚୁଇଂ ଗମ୍‌’ ପରି ମୁଖରୋଚକ ଚୋବାଇବାକୁ ଅନେକ ପସନ୍ଦ କରିଥା’ନ୍ତି। ମାତ୍ର ଅନେକଙ୍କୁ ଜଣା ନଥିବ ଯେ ଅଧିକାଂଶ ‘ଚୁଇଂ ଗମ୍‌’ରେ ସିନ୍ଥେଟିକ୍‌ ରବର ଭଳି ବିଭିନ୍ନ ଧରଣର ତୈଳ-ଆଧାରିତ ଉପାଦାନ ରହିଛି, ଯାହା ଗାଡ଼ିମୋଟରର ଟାୟାର ପ୍ରସ୍ତୁତିରେ ଲାଗିଥାଏ! ସୁତରାଂ ଅତି କମ୍‌ ପରିମାଣ ହେଉ ପଛକେ, ଏହି ରବରକୁ ପାଟିରୁ ଫିଙ୍ଗିଲା ପରେ ତାହା ପରିବେଶରେ ପଡ଼ି ପ୍ରଦୂଷଣ ବୃଦ୍ଧି କରୁଛି। 

Advertisment

ୟୁକେର ପୋର୍ଟସ୍‌ମାଉଥ୍‌ ବିଶ୍ବବିଦ୍ୟାଳୟର ଅଣୁପ୍ଳାଷ୍ଟିକ୍‌ ବିଶେଷଜ୍ଞ ତଥା ଗବେଷକ ଡେଭିଡ୍‌ ଜୋନ୍‌ସଙ୍କ ବ୍ୟାଖ୍ୟା ଅନୁଯାୟୀ, ଆର୍କାନ୍‌ସୋ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା ୨୦୧୪ ମସିହାରେ ରିଗ୍‌ଲେ ଓ ଅନ୍ୟାନ୍ୟ କମ୍ପାନି ଦ୍ବାରା ପ୍ରସ୍ତୁତ ‘ଚୁଇଂ ଗମ୍‌’ ନମୁନାକୁ ବିଶ୍ଳେଷଣ କରାଯାଇଥିଲା। ସେଥିରେ ଟାୟାର ପ୍ରସ୍ତୁତିରେ ଲାଗୁଥିବା ଷ୍ଟିରିନ୍‌ ବ୍ୟୁଟାଡିନ୍‌, ପ୍ଳାଷ୍ଟିକ୍‌ ମୁଣିରେ ଲାଗୁଥିବା ପଲିଥିନ୍‌ ଏବଂ କାଠ ଅଠାରେ ବ୍ୟବହୃତ ପଲିଭିନାଇଲ ଏସିଟେଟ୍‌ ଭଳି ସିନ୍ଥେଟିକ୍‌ ପ୍ଲାଷ୍ଟିକ୍‌ ରହିଥିବା ଜଣାପଡ଼ିଥିଲା। ଚୁଇଂ ଗମ୍‌ଗୁଡ଼ିକରେ କି କି ଉପାଦାନ ସବୁ ରହିଛି, ସେ ବାବଦରେ ପ୍ରସ୍ତୁତକର୍ତ୍ତା କମ୍ପାନିମାନେ ସଂପୂର୍ଣ୍ଣ ବିବରଣୀ ନଦେଇ ଗ୍ରାହକଙ୍କୁ ଭକୁଆ ବନାଇବା ଲାଗି ସେଥିରେ ଏକ ‘ଗମ୍‌ ବେସ୍‌’ ବା ଅଠାଳିଆ ଭିତ୍ତିଭୂମି ରହିଛି ବୋଲି କେବଳ ସୂଚାଇଥା’ନ୍ତି।

ଏକ ଆକଳନ ଅନୁଯାୟୀ, ବର୍ଷକୁ ପ୍ରାୟ ୧.୭୪ ଟ୍ରିଲିଅନ୍ ଖଣ୍ଡ ଚୁଇଂ ଗମ୍‌ ପ୍ରସ୍ତୁତ ହେଉଛି। ପ୍ରତି ଖଣ୍ଡର ଓଜନ ପାଖାପାଖି ୧.୪ ଗ୍ରାମ୍‌ ହେଲେ ବର୍ଷକୁ ପ୍ରାୟ ୨୪ ଲକ୍ଷ ଟନ୍‌ ଚୁଇଂ ଗମ୍‌ ପ୍ରସ୍ତୁତ ହେଉଛି। ଯଦି ତାହାର ଏକ-ତୃତୀୟାଂଶ ସିନ୍ଥେଟିକ୍‌ ଗମ୍‌ ବେସ୍ ହୋଇଥାଏ, ତେବେ ପ୍ରାୟ ୮ ଲକ୍ଷ ଟନ୍‌ ଓଜନର ପ୍ଳାଷ୍ଟିକ୍‌ ପରିବେଶରେ ଫିଙ୍ଗାଯାଉଛି। ପଲିଥିନ୍‌ ଓ ବୋତଲ ପରି ଫିଙ୍ଗା ପ୍ଲାଷ୍ଟିକ୍‌କୁ ସଂଗ୍ରହ କରି ପୁନଃପ୍ରକ୍ରିୟାକୃତ କରାଯିବାର ସମ୍ଭାବନା ଥିବା ବେଳେ ଚୁଇଂ ଗମ୍‌ର ପୁନଃପ୍ରକ୍ରିୟାକରଣ କଥା କେହି ବିଚାରକୁ ନେଇନଥା’ନ୍ତି। ସୁତରାଂ ଏଥି ଜନିତ ପ୍ଳାଷ୍ଟିକ୍‌ ପ୍ରଦୂଷଣ ଆମ ଅଲକ୍ଷ୍ୟରେ ପରିବେଶକୁ ବିଷାକ୍ତ କରିଚାଲିଛି।