ନୂଆଦିଲ୍ଲୀ: କରୋନା ଭଳି ମହାମାରୀ ମଧ୍ୟରେ ଆସିଛି ଆଉ ଏକ ଚିନ୍ତାଜନକ ଖବର। ନିଶ୍ବାସରେ ବିଷ ନେଇ ହଜାର ହଜାର ଲୋକେ ମୃତ୍ୟୁବରଣ କରୁଥିବା ସାମ୍ନାକୁ ଆସିଛି।ଆଖିକୁ ଦେଖାନଗଲେ ବି ହଜାର ହଜାର ଜୀବନ ନେଉଛି ପିଏମ ୨.୫। ତେବେ ଏଥିପାଇଁ କୌଣସି ଭୂତାଣୁ ନୁହେଁ ବରଂ ମଣିଷ ନିଜେ ଦାୟୀ। ବିକଶିତ ହେବା ଲକ୍ଷ୍ୟରେ ଏବେ ଦେଶବାସୀ ମୃତ୍ୟୁ ଆଡ଼କୁ ଠେଲି ହୋଇଯାଉଛନ୍ତି। ଦିନକୁ ଦିନ ବାୟୁ ପ୍ରଦୂଷଣ କଲା ଭଳି କାର୍ଯ୍ୟକଳାପ ବୃଦ୍ଧି ପ‌ାଉଥିବାରୁ ପିଏମ ୨.୫ ବୃଦ୍ଧି ପାଉଛି। ଏହା ଫଳରେ ଆଖିକୁ ଦେଖାନଗଲେ ବି ନିଶ୍ବାସରେ ଶରୀରକୁ ‌ଯାଇ ମଣିଷକୁ ମୃତ୍ୟୁମୁଖକୁ ଠେଲୁଛି ପିଏମ ୨.୫। ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ, ସୁରଟ, ପୁଣେ ଭଳି ସହରରେ ପିଏମ ୨.୫ ପାଇଁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି। ତେବେ ଏ ପିଏମ ୨.୫ କ’ଣ? ଏପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ ନିଶ୍ଚୟ। ଆସନ୍ତୁ ଜାଣିବା...

Advertisment

publive-image www.pattayamail.com

ପିଏମ ୨.୫ କ’ଣ?

ସାଧାରଣତଃ ଲୋକମାନେ ଏହି କଣିକା ବିଷୟରେ ଜାଣନ୍ତି ନାହିଁ, କିନ୍ତୁ ଏହାର ପ୍ରଭାବରୁ ବଞ୍ଚିବା ପାଇଁ ଲୋକଙ୍କୁ ଏବିଷୟ‌ରେ ଜାଣିବା ଅତ୍ୟନ୍ତ ଜରୁରୀ। ଜଣେ ପୁରୁଷର କେଶ ପ୍ରାୟ ୧୦୦ମାଇକ୍ରୋମିଟର ଅଟେ। ପିଏମ ୨.୫ର କଣିକା ଏତେ ଛୋଟ ଯେ ଏହାର ପ୍ରାୟ ୪୦କଣିକା ୧୦୦ମାଇକ୍ରୋମିଟର ମୋଟେଇରେ ରହିପାରିବ। ପିଏମ ୨.୫ବାୟୁରେ ଦ୍ରବୀଭୂତ ହେଉଥିବା ଏକ ଛୋଟ ପଦାର୍ଥ ଅଟେ। ଏହି କଣିକାଗୁଡ଼ିକର ବ୍ୟାସ ୨.୫ ମାଇକ୍ରୋମିଟର କିମ୍ବା ଏହାଠାରୁ କମ୍ ରହିଥାଏ।  ପିଏମ ୨.୫ର ସ୍ତର ଅଧିକ ହେଲେ କୁହୁଡି ହେବା ସହ ଦୃଶ୍ୟମାନତା ସ୍ତର ମଧ୍ୟ ହ୍ରାସ ପାଇଥାଏ। ପିଏମ ୨.୫ରେ ଧୂଳି, ମଇଳା ଏବଂ ଧାତୁର ସୂକ୍ଷ୍ମ କଣିକା ରହିଥାଏ। ଧୂଳି, ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ପ୍ରଦୂଷିତ ଜିନିଷ ଏବଂ ଆବର୍ଜନା ଜାଳିବା କାରଣରୁ ପିଏମ ୨.୫ ଅଧିକ ବୃଦ୍ଧି ପାଇଥାଏ।

ଗତ ୧୯ବର୍ଷ ମଧ୍ୟରେ ବେଙ୍ଗାଲୁରୁ, ପୁଣେ ଏବଂ ସୁରଟରେ ପିଏମ ୨.୫ ହେତୁ ମୃତ୍ୟୁସଂଖ୍ୟା ୨୦୦% ରୁ ଅଧିକ ବୃଦ୍ଧି ପାଇଛି। ପିଏମ ୨.୫ ପାଇଁ ୨୦୦୦ ମସିହାରେ ବେଙ୍ଗାଲୁରୁରେ ୨୦୯୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ପ୍ରାୟ ୨୫୫% ବୃଦ୍ଧି ସହିତ ୭୪୧୦ କୁ ବୃଦ୍ଧି ପାଇଛି। ସେହିଭଳି ପୁଣେରେ ୨୦୦୦ ମସିହାରେ ପିଏମ ୨.୫ ପାଇଁ ୧୭୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ପ୍ରାୟ ୫୫୫୦ରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ସୁରଟରେ ପିଏମ ୨.୫ ପାଇଁ ୨୦୦୦ ମସିହାରେ ୧୫୪୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୪୬୫୦କୁ ବୃଦ୍ଧି ପାଇଥିଲା। ଲାନସେଟ୍ ପ୍ଲାନେଟାରୀ ହେଲ୍ଥ ପତ୍ରିକାରେ ପ୍ରକାଶିତ ଏକ ଅନୁସନ୍ଧାନରୁ ଏହି ସୂଚନା ମିଳିଛି।

ନିଶ୍ୱାସ ନେବାବେଳେ ଏହି କଣିକାଗୁଡ଼ିକୁ ରୋକିବା ପାଇଁ ଆମ ଶରୀରରେ କୌଣସି ବ୍ୟବସ୍ଥା ନଥିବାରୁ ପିଏମ ୨.୫ ଆମ ଫୁସଫୁସ ଭିତରେ ପହଞ୍ଚି ଏହାକୁ ଅଧିକ ପ୍ରଭାବିତ କରିଥାଏ। ପିଏମ ୨.୫ ପିଲା ଏବଂ ବୃଦ୍ଧଙ୍କୁ ଅଧିକ କ୍ଷତି ପହଞ୍ଚାଏ। ଏହା ଆଖି, ଗଳା ଏବଂ ଫୁସଫୁସକୁ ଅଧିକ ପ୍ରଭାବିତ କରିଥାଏ। କାଶ ହେବା ସହ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ। ଏହା ସହ ଫୁସଫୁସ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ।