ହାର୍‌ ମାନିିିିିିିିବନି ଇସ୍ରୋ, ଚନ୍ଦ୍ରଯାନ-୨ର ଯାତ୍ରା ଚମତ୍କାର ଥିଲା

ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ପରେ କାନ୍ଦିଲେ ଶିବନ, ଆଲିଙ୍ଗନ କରି ସାନ୍ତ୍ବନା ଦେଲେ ମୋଦୀ

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ବିକ୍ରମ ଚନ୍ଦ୍ରର ନିର୍ଦ୍ଧାରିତ ଅବତରଣ ସ୍ଥଳଠାରୁ ମାତ୍ର ୨.୧ କିମି ଦୂରରେ ଥିବା ବେଳେ ଇସ୍ରୋ ନିୟନ୍ତ୍ରଣ କକ୍ଷ ସହ ସଂପର୍କ ଛିନ୍ନ ହୋଇଥିଲା। ତେବେ ଏହି ବିଫଳତାରୁ ମଧ୍ୟ ଭାରତ ଅନେକ କିଛି ଶିକ୍ଷା ହାସଲ କରିଛି ଏବଂ ଚନ୍ଦ୍ରରେ ସଫଳ ଅବତରଣ ସ୍ବପ୍ନକୁ ସାକାର କରିବା ଦିଗରେ ଇସ୍ରୋ ପୁଣି ଅଗ୍ରସର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଚନ୍ଦ୍ରଯାନ-୨କୁ ନେଇ ଆଜି ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ବୈଜ୍ଞାନିକ ଏବଂ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜ୍ଞାନ ହେଉଛି ପ୍ରୟାସ ଏବଂ ପ୍ରୟୋଗର ନାମ। ଚନ୍ଦ୍ରଯାନ-୨ର ଯାତ୍ରା ଅତ୍ୟନ୍ତ ଉତ୍ସାହପ୍ରଦ ଏବଂ ଚମତ୍କାର ଥିଲା। ଇସ୍ରୋ ଛୋଟ ବିଫଳତାରେ ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ, କାରଣ ହାର୍‌ ମାନିବା ସଂସ୍କୃତି ଇସ୍ରୋରେ ନାହିଁ। ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ଦେଶବାସୀ ଗର୍ବିତ ଏବଂ ଇସ୍ରୋର ମହାକାଶ କାର୍ଯ୍ୟକ୍ରମ ବିଶ୍ବରେ ଭାରତକୁ ସ୍ବତନ୍ତ୍ର ସ୍ଥାନ ଦେଇଛି। ଏକସଂଗରେ ୧୦୦ ଉପଗ୍ରହ ମହକାଶକୁ ପଠାଇବାର ବିସ୍ମୟକର ସଫଳତା ମଧ୍ୟ ଇସ୍ରୋ ହାସଲ କରିଛି। ଇସ୍ରୋ ହେଉଛି ସଫଳତାର ଏନ୍‌ସାଇକ୍ଲୋପେଡିଆ। ଭାରତ ମାତାର ସମ୍ମାନ ଓ ଗୌରବ ପାଇଁ ଇସ୍ରୋ ବୈଜ୍ଞାନିକମାନେ ସେମାନଙ୍କ ଜୀବନବ୍ୟାପୀ ତପସ୍ୟା କରୁଛନ୍ତି। ତେଣୁ ଇସ୍ରୋ ତା’ର ସିଦ୍ଧି ଏବଂ ସଂକଳ୍ପକୁ ନେଇ ସଫଳତାର ନୂଆ ନୂଆ ଅଧ୍ୟାୟ ମହାକାଶ ଇତିହାସରେ ଯୋଡ଼ି ଚାଲିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିଜ୍ଞାନ ପରିଣାମକୁ ଦେଖି ଡରି ଯାଏନାହିଁ, ପ୍ରୟାସର ରାସ୍ତା ଖୋଜିଥାଏ। ତେଣୁ ଇସ୍ରୋ ତା’ର କ୍ଷଣିକ ବାଧାକୁ ଦୂର କରି ଆଗକୁ ବଢ଼ିବ। ଚନ୍ଦ୍ରଯାନ-୨ର କିଛି ବିଫଳତା ଆମର ଆତ୍ମବିଶ୍ବାସକୁ ଦୁର୍ବଳ କରିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତରାତି ପ୍ରାୟ ୨ଟାରେ ଲ୍ୟାଣ୍ଡର୍‌ ବିକ୍ରମ ସହିତ ଯୋଗାଯୋଗ ଛିନ୍ନ ହେବାପରେ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଥିଲା। ସେକଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଗତରାତିରେ ଆପଣଙ୍କ ମାନସିକ ଅବସ୍ଥା ବୁଝି ପାରିଥିଲି, ଆପଣଙ୍କ ଚେହେରାରେ ଥିବା ଉଦାସ ଭାବକୁ ପଢ଼ିଥିଲି। ରାତିରେ ଅଧିକ ସମୟ ମୁଁ ଆପଣଙ୍କ ସହିତ ରହି ପାରିନଥିଲି। ତେଣୁ ସକାଳୁ ପୁଣି ଆପଣଙ୍କ ସହ ଆଲୋଚନା କରିବା ପାଇଁ ମୁଁ ଚାହିଲି। ଆପଣଙ୍କଠାରୁ ପ୍ରେରଣା ପାଇବାକୁ ମୁଁ ଆପଣଙ୍କ ପାଖକୁ ଆସିଛି। ଆମେ ଚନ୍ଦ୍ରଯାନ-୨ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସଫଳତା ହାସଲ କରିଛେ। ଅଚାନକ ଦେଖା ଦେଇଥିବା ବିଭ୍ରାଟ ଆମକୁ ଦୁର୍ବଳ କରିନାହିଁ, ଆମକୁ ଆହୁରି ଶକ୍ତିଶାଳୀ କରିଛି ଏବଂ ଆଗକୁ ବଢ଼ିବା ପାଇଁ ଖୋରାକ୍‌ ଯୋଗାଇଛି। ସମଗ୍ର ଦେଶ ଆପଣମାନଙ୍କ ସହିତ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଆମ ସାହିତ୍ୟରେ ଚନ୍ଦ୍ରମାକୁ ନେଇ ଅନେକ ରୋମାଣ୍ଟିକ୍‌ ବର୍ଣ୍ଣନା କରାଯାଇଛି। ଯଦି ଆଜିର ଘଟଣାକୁ କବିମାନେ ଉଲ୍ଲେଖ କରିବେ, ସେମାନେ କହିବେ ଯେ ଚନ୍ଦ୍ରଯାନକୁ ଆଲିଙ୍ଗନ କରିବା ପାଇଁ ଚନ୍ଦ୍ରମା ବ୍ୟାକୁଳତାର ସହ ଦୌଡ଼ିଥିଲା। ଚନ୍ଦ୍ରମାକୁ ଛୁଇଁବାର ସଂକଳ୍ପ ଏବେ ଆହୁରି ମଜବୁତ ହୋଇଛି ଏବଂ ଇସ୍ରୋ ପାଇଁ କିଛି ବି ଅପହଞ୍ଚ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ପରେ କାନ୍ଦିଲେ ଶିବନ, ଆଲିଙ୍ଗନ କରି ସାନ୍ତ୍ବନା ଦେଲେ ମୋଦୀ

ବେଙ୍ଗାଲୁରୁ : ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ର ବିଫଳତା ଇସ୍ରୋ ମୁଖ୍ୟ କେ. ଶିବନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାବପ୍ରବଣ କରିଦେଇଥିଲା। ଆଜି ବେଙ୍ଗାଲୁରୁ ସ୍ଥିତ ଇସ୍ରୋର କଣ୍ଟ୍ରୋଲ ରୁମ୍‌ରେ ବୈଜ୍ଞାନିକଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ସେଠାରୁ ବିଦାୟ ନେବାବେଳେ ଇସ୍ରୋ ମୁଖ୍ୟ କେ ଶିବନ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ିବା ପାଇଁ ତାଙ୍କ ଗାଡ଼ି ପର୍ଯ୍ୟନ୍ତ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଦେବାବେଳେ ଇସ୍ରୋ ମୁଖ୍ୟ ଶିବନ୍ ହଠାତ କାନ୍ଦି ପକାଇଥିଲେ। ଇସ୍ରୋ ମୁଖ୍ୟଙ୍କୁ କାନ୍ଦୁଥିବା ଦେଖି ପ୍ରଧାନମନ୍ତ୍ରୀ ତାଙ୍କୁ ଆଲିଙ୍ଗନ କରି ସାନ୍ତ୍ବନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଇସ୍ରୋ ମୁଖ୍ୟଙ୍କ ପିଠି ଥାପୁଡ଼ାଇ ସେଠାରୁ ବିଦାୟ ନେଇଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପରିସ୍ଥିତିରେ ଭାବପ୍ରବଣ ହୋଇଉଠିଥିଲେ, କିନ୍ତୁ ନିଜକୁ ନିୟନ୍ତ୍ରଣ କରିନେଇଥିଲେ।

ସମ୍ବନ୍ଧିତ ଖବର