ପୋଡ଼ପିଠା ଭୋଗ

ଶ୍ୟାମପ୍ରକାଶ ସେନାପତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଲୀଳା ବଡ଼ ବିଚିତ୍ର। ସେ ଦାରୁବ୍ରହ୍ମ ହେଲେ ହେଁ ତାଙ୍କର ଅନେକ ଲୀଳା ମାନବୋଚିତ। ଯେମିତି ବିଭିନ୍ନ ଦିନରେ ଭିନ୍ନ ଭିନ୍ନ ଭୋଜନରେ ଆମର ଆଗ୍ରହ, ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୋଜନ ସାମଗ୍ରୀ ବିବିଧ। ସେଥିମଧ୍ୟରେ ପୁଣି ପୋଡ଼ପିଠା ତାଙ୍କର ଅତ୍ୟନ୍ତ ପ୍ରିୟ। ସେଥିପାଇଁ ମାଉସୀ ମା’ଙ୍କର ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ବାହୁଡ଼ାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବା ବେଳେ, ତାଙ୍କୁ ପୋଡ଼ପିଠା ଭୋଗ ଲାଗେ। ଶ୍ରୀଗୁଣ୍ଡିଚା ଯାତ୍ରାରେ ଆସି ଆଡ଼ପମଣ୍ଡପଠାରେ ସାତଦିନ ଅବସ୍ଥାନ କରିବା ପରେ ସେ ବାହୁଡ଼ା ଦଶମୀ ଦିନ ଶ୍ରୀମନ୍ଦିର ଅଭିମୁଖେ ଫେରିଥାନ୍ତି। ବାହୁଡ଼ା ରଥ ମାଉସୀ ମା’ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ପରମ୍ପରା ଅନୁଯାୟୀ ଏହି ପୋଡ଼ପିଠା ଭୋଗ କରାଯାଇଥାଏ।

କୌଣସି ଶାସ୍ତ୍ରୀୟ ସୂତ୍ର ନଥିଲେ ମଧ୍ୟ, ଏ ସଂପର୍କରେ ଗୋଟିଏ କିଂବଦନ୍ତି ଅଛି, ଯେ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସ ଯିବା ସମୟରେ ମାତା କୈକେୟୀଙ୍କୁ କହିଥିଲେ, “ତୁମର ମୋର ସଂପର୍କ ଜନ୍ମଜନ୍ମାନ୍ତର ଧରି ରହିବ। ତ୍ରେତୟାଯୁଗର ଅବସାନ ପରେ ଆସିବ ଦ୍ୱାପରଯୁଗ। ସେଥିରେ ତୁମେ ହେବ ଯଶୋଦା, ଆଉ ମୁଁ ନଟନାଗର, ଲବଣୀଚୋର କାହ୍ନା। ତା’ ପରେ ଆସିବ କଳିଯୁଗ। ସେଥିରେ ମୁଁ ହେବି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ, ଆଉ ତୁମେ ହେବ ମୋର ମାଉସୀ ମାଆ। ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ତୁମେ ଅବସ୍ଥାପିତା ହୋଇଥିବ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ଫେରିବା ବେଳେ ବଡ଼ଦାଣ୍ଡରେ ମୋର ନନ୍ଦିଘୋଷ ରଥ ତୁମ ମନ୍ଦିରଠାରେ ରହିବ ଏବଂ ତୁମ ହାତ ତିଆରି ପୋଡ଼ପିଠା ଖାଇବା ପାଇଁ ମୁଁ ସେଠାରେ ଅଟକିବି।

ଏହି ପୋଡ଼ପିଠା ଭୋଗ ଛେନା, ଗହମଅଟା, ଗୁଆଘିଅ, ଚିନି, ବାଦାମ, ଖିସିମିସ, ଅଳେଇଚ, ଲବଙ୍ଗ ପ୍ରଭୃତି ଦ୍ରବ୍ୟରେ ପ୍ରସ୍ତୁତ ହୁଏ। ଇଟା ତିଆରି ଚୁଲିରେ ଏକ ପାଣି ହାଣ୍ଡି ବସାଯାଇ, ପାଣିକୁ ଗରମ କରାଯାଏ। ଏ ସମସ୍ତ ଦ୍ରବ୍ୟକୁ ଏକତ୍ର କରି ଚକଟି, ସେହି ପାଣିହାଣ୍ଡି ଭିତରେ, ଏକ ଧାତୁ ଜାଲି ଉପରେ ତାହାକୁ ଏକ ମାଟିତାଡ଼ରେ ରଖି, ପାଣିହାଣ୍ଡି ଉପରେ ମାଟିର ପାତ୍ର (ତାଡ଼) ଘୋଡ଼ାଇ ଦିଆଯାଏ। ଏହାର ବିଧି ଆମ ପ୍ରଥମାଷ୍ଟମୀର ଅଥାର ହାଣ୍ଡି ପରି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗରେ କୌଣସି ପୋଡ଼ାଦ୍ରବ୍ୟ ସାମିଲ ହେବାର ବିଧି ନାହିଁ। ସେଥିଲାଗି, ତାଡ଼ରେ ଥିବା ପାଣିର ବାମ୍ଫରେ ଏହା ଦୀର୍ଘ ପ୍ରାୟ ଛଅ ଘଣ୍ଟା ଧରି ସଂପୂର୍ଣ୍ଣ ରୂପେ ସିଝିବା ପରେ, ଏହାକୁ ଥଣ୍ଡା କରାଯାଇ ଖଣ୍ଡ ଖଣ୍ଡ କରି କାଟି ଶୁଦ୍ଧ ଘିଅରେ ଛଣାଯାଏ। ପରେ ତାହାକୁ ନୂଆ କୁଡ଼ୁଆରେ ରଖାଯାଇ ତିନିରଥ ନିକଟକୁ ଭୋଗ ହେବାକୁ ଯାଏ। ବାହୁଡ଼ା ଦିନ ତିନିରଥ ମାଉସୀ ମା’ଙ୍କ ମନ୍ଦିର ନିକଟରେ ପହଞ୍ଚିବା ପରେ, ପୂଜାପଣ୍ଡା ସାମନ୍ତ ଆସି ଏହି ପୋଡ଼ପିଠା ଭୋଗକୁ ସର୍ପାମଣୋହି ବିଧିରେ ରଥାରୂଢ଼ ଠାକୁରଙ୍କୁ ସମର୍ପଣ କରିଥାନ୍ତି। ଏହି ପୋଡ଼ପିଠାର ପ୍ରସ୍ତୁତି ବିଧି ଏପରି ଯେ ଏହା ପ୍ରାୟ ୧୫ ଦିନ ବାସି ନହୋଇ ରହିପାରେ।

ଶ୍ରୀମନ୍ଦିର ସ୍ୱତ୍ୱଲିପିର ଦ୍ୱିତୀୟ ଭାଗ, ପୃଷ୍ଠା ୭୯ରେ, ବାହୁଡ଼ାଯାତ୍ରାରା ନୀତି ବର୍ଣ୍ଣନା ମଧ୍ୟରେ ଏହି ପୋଡ଼ପିଠା ଭୋଗର ଉଲ୍ଲେଖ ଅଛି। ସେଥିରେ କୁହାଯାଇଛି- “ରଥରେ ଠାକୁରମାନେ ବିଜେ ହୋଇ ଆସିଲାବେଳେ ବାଟରେ ପନ୍ତିଭୋଗ ହୁଏ। ବଡ଼ଠାକୁରଙ୍କର ଓ ଶ୍ରୀସୁଭଦ୍ରାଙ୍କର ରଥ ଟଣା ହୋଇ ସିଂହଦ୍ୱାର ନିକଟକୁ ଆସେ। ଶ୍ରୀଜଗନ୍ନାଥଙ୍କ ରଥ ବାଟରେ ମାଉସୀମା ଦେଉଳ ପାଖରେ ରହେ। ମାଉସୀମା ଦେଉଳର ସେବକ ଛେନାପୋଡ଼ପିଠା କରି ରଖିଥାଏ। ତାହା ଜଗନ୍ନାଥଙ୍କୁ ଭୋଗ ହୁଏ।” ତେବେ ସ୍ୱତ୍ୱଲିପିରେ ଏହା କେବଳ ଜଗନ୍ନାଥଙ୍କୁ ଭୋଗ ହୁଏ ବୋଲି ଉଲ୍ଲେଖ ଥିବାବେଳେ, ଏବେ ଏହା ତିନି ରଥର ଠାକୁରଙ୍କୁ ଭୋଗ ହେଉଛି।

ଶ୍ରୀମନ୍ଦିର ସ୍ୱତ୍ୱଲିପି, ତୃତୀୟ ଭାଗର ସେବା ନମ୍ବର ୧୧୯ (ବ୍ୟକ୍ତିଗତ ବା ଆନୁଷ୍ଠାନିକ ସେବା ବା ଉପସ୍ୱତ୍ୱ, କ୍ରମିକ ନମ୍ବର ୬୮)ରେ ମଧ୍ୟ ଏ ସଂପର୍କରେ ଉଲ୍ଲେଖ ରହିଛି। ଶ୍ରୀ ମାଉସୀମା ଠାକୁରାଣୀ ମନ୍ଦିର ସଂପର୍କରେ ଉଲ୍ଲେଖ ଅଛି ଯେ ରଥ ବାହୁଡ଼ାର ଏହି ପୋଡ଼ପିଠା ଭୋଗ ପାଇଁ ସଂପୃକ୍ତ ସେବକଙ୍କୁ ନଗଦ ଟଙ୍କା ଓ ଶାଢ଼ି ମିଳିଥାଏ।

ଏହି ପୋଡ଼ପିଠା ଯେ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ, ତାହାର ପ୍ରମାଣ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଅଛି। ଲକ୍ଷ୍ମୀଛଡ଼ା ହୋଇ, ଖାଇବାକୁ ନପାଇ, ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଶେଷରେ ଆସି ସାଗର ତୀରର ଲକ୍ଷ୍ମୀ ଦେବୀଙ୍କ ଉଆସରେ ପହଞ୍ଚି ଥିଲେ। ଦେବୀ ଲକ୍ଷ୍ମୀ ମନ୍ତ୍ରପାକରେ ପ୍ରସ୍ତୁତ ଯେଉଁସବୁ ଅମୃତ ମଣୋହି ଦ୍ରବ୍ୟ ସେଠାରେ ସେମାନଙ୍କୁ ପରଷିଥିଲେ, ତାହାର ଶେଷରେ ଏହି ପୋଡ଼ପିଠା ରହିଛି। ବଳରାମ ଦାସ ଲେଖିଛନ୍ତି-
“ଭୋଜନ ଶେଷକୁ ପୋଡ଼ପିଠା ଦିଲେ ନେଇ
ଖାଇକରି ସନ୍ତୋଷ ହୋଇଲେ ଭାବଗ୍ରାହୀ।”

ଏଥିରୁ ମନେହୁଏ, ମାଉସୀ ମା’ ମନ୍ଦିରଠାରେ ଏହି ପୋଡ଼ପିଠା ଭୋଗ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ପ୍ରିୟ ଏବଂ ଏହା ତାଙ୍କୁ ଅନେକ ସନ୍ତୋଷ ଦେଇଥାଏ।

ମୋ: ୯୩୩୮୧ ୯୪୪୦୦

ସମ୍ବନ୍ଧିତ ଖବର