ମାଉସୀ ମା’ଙ୍କ ‘ପୋଡ଼ପିଠା’ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ‘ହାତପୋଡ଼ା’

ରଥ କଥା - ଅସିତ ମହାନ୍ତି

ଶ୍ରୀଜଗନ୍ନାଥ ମନ୍ଦିରରେ ରହିଛି ଭୋଗ-ନୈବେଦ୍ୟର ସୁଦୀର୍ଘ ପରମ୍ପରା । ଅନ୍ନଭୋଗ ସହିତ ପିଠା ଓ ମିଠା ଆଦି ପ୍ରସ୍ତୁତି ପାଇଁ ସେଠାରେ ରହିଛି ବିରାଟ ରୋଷଶାଳା । ସେହିପରି, ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁରମାନେ ମାତ୍ର ସାତଦିନ ଅବସ୍ଥାନ କରୁଥିଲେ ମଧ୍ୟ, ସେଠାରେ ଅନ୍ନ ମହାପ୍ରସାଦଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ଭୋଗ ପ୍ରସ୍ତୁତ ହୋଇଥାଏ । ସେଠାରେ ମଧ୍ୟ ସେଥିପାଇଁ ସ୍ୱତନ୍ତ୍ର ରୋଷଶାଳା ରହିଛି । ‘ସ୍କନ୍ଦପୁରାଣ’ରେ କୁହାଯାଇଛି, ଭାରତବର୍ଷର ଅନ୍ୟାନ୍ୟ କ୍ଷେତ୍ରରେ ଭଗବାନ୍ କେବଳ ଭକ୍ତଙ୍କ ପକ୍ଷରୁ ଅର୍ପଣ କରାଯାଉଥିବା ଭୋଗ ଉପରେ ଦୃଷ୍ଟି ପକାଇଥାଆନ୍ତି । କିନ୍ତୁ ପୁରୁଷୋତ୍ତମ କ୍ଷେତ୍ରରେ ସେ ସାକ୍ଷାତ୍ ଭୋଜନ କରନ୍ତି । ଏ ଦୃଷ୍ଟିରୁ ଏହା ‘ଭୋଗକ୍ଷେତ୍ର’ ।

ଶ୍ରୀମନ୍ଦିରର ଭୋଗ ପରମ୍ପରା ଭିତରେ ରହିଛି ‘ରାଜଭୋଗ’ ଓ ‘ପର୍ବାଣିଭୋଗ’ । ରାଜଭୋଗର ଅନ୍ୟନାମ ‘କୋଠଭୋଗ’ । ସେ ଦୃଷ୍ଟିରୁ ଆମର ଭକ୍ତିଗୀତିରେ ଶ୍ରୀଜଗନ୍ନାଥଙ୍କୁ ‘କୋଠଭୋଗଖିଆ’ ବୋଲି ସମ୍ବୋଧନ କରାଯାଇଛି । ଶ୍ରୀମନ୍ଦିରର ‘ପର୍ବାଣିଭୋଗ’ ମଧ୍ୟରେ ‘ରଥଭୋଗ’ ଅନ୍ତର୍ଭୁକ୍ତ ।

 ଗବେଷକ ଡକ୍ଟର ଭାସ୍କର ମିଶ୍ର ଓ ଶ୍ରୀମନ୍ଦିରର ବଡ଼ୁସୁଆର ନିଯୋଗ ସଂପାଦକ ବିଶ୍ୱନାଥ ସାମନ୍ତରା ‘ଶ୍ରୀମନ୍ଦିରର ରାଜଭୋଗ ଓ ରୋଷଶାଳା ଐତିହ୍ୟ’ ନାମରେ ଗୋଟିଏ ସ୍ୱତନ୍ତ୍ର ପୁସ୍ତକ ଲେଖିଛନ୍ତି । ତାହାର ପଞ୍ଚମ ପରିଚ୍ଛେଦର ‘ପର୍ବାଣି ଭୋଗ’ ମଧ୍ୟରେ ରଥଯାତ୍ରାର ପର୍ବ ଭୋଗ ବିବରଣୀ ଅଛି ।

‘ଶ୍ରୀଗୁଣ୍ଡିଚା ଯାତ୍ରା’ଠାରୁ ‘ନୀଳାଦ୍ରି ବିଜେ’ ମଧ୍ୟରେ ଠାକୁରମାନେ ପ୍ରାୟ ପାଞ୍ଚ-ଛଅ ଦିନ ରଥରେ ବିଜେ ରହିଥାଆନ୍ତି । ଏହି ସମୟରେ ଅନ୍ୟାନ୍ୟ ନୀତି ସହିତ ଯେଉଁସବୁ ସ୍ୱତନ୍ତ୍ର ଭୋଗ କରାଯାଏ, ସେସବୁର ବର୍ଣ୍ଣନା ସେହି ପୁସ୍ତକରେ ରହିଛି । ତାହାର ବିବରଣୀ ଅନୁସାରେ, ସେହି ସମୟରେ ରଥାରୂଢ଼ ଠାକୁରମାନଙ୍କୁ କୋରା, ବଲ୍ଲଭ, ବିଭିନ୍ନ ଫଳ, ନଡ଼ିଆପାତି ଇତ୍ୟାଦି ଭୋଗ ହୋଇଥାଏ ।

ରଥଭୋଗ ବିବରଣୀ ଅନୁସାରେ, ଅତୀତରେ ରଥ ଉପରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଧୂପରେ ନିସଙ୍ଖୁଡ଼ି ପିଠା ଭୋଗ ହେଉଥିଲା । କୌଣସି କାରଣରୁ ୧୯୩୦ ମସିହାଠାରୁ ତାହା ବନ୍ଦ ହୋଇ କେବଳ କୋରା, ଖଇ, ଗଜାମୁଗ, କଦଳୀ, କାକୁଡ଼ି, କମଳା, ସେଓ, ଚାଉଳିଆ (ପିଜୁଳି), ପଣସ, ଆମ୍ବ ଓ ସପେଟା ଇତ୍ୟାଦି ଭୋଗ ହେଉଛି । ଏହି ସମୟରେ କୋରା ନଡ଼ିଆ ଓ ଖଣ୍ଡ (କନ୍ଦ ବା ନବାତ)ରେ ଅଳେଇଚ, ଲବଙ୍ଗ ଆଦି ଚୂର୍ଣ୍ଣ ପଡ଼ି ତିଆରି ହେଉଥିବା କୋରା ଭୋଗ ମଧ୍ୟ କରାଯାଏ । ଏହା ‘ରଥକୋରା’ ଭାବରେ ଲୋକପ୍ରିୟ ।

କୋଠଭୋଗ ବଡ଼ୁସୁଆର ଶ୍ରୀ ସାମନ୍ତରାଙ୍କ ସୂତ୍ରରୁ ଜଣାଯାଏ ଯେ ପୂର୍ବେ ରଥର ପଥ (ବଡ଼ଦାଣ୍ଡ) ସୁଗମ ନଥିଲା । ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ରଥ ପହଞ୍ଚିବାକୁ ଅଧିକ ଦିନ ଲାଗୁଥିଲା । ତେଣୁ ସଂଧ୍ୟା ସୁଦ୍ଧା ରଥ ଯେଉଁଠାରେ ପହଞ୍ଚୁଥିଲା, ସେଠାରେ ବଡ଼ୁସୁଆରମାନଙ୍କଦ୍ୱାରା ଭୋଗ ପ୍ରସ୍ତୁତ ହେଉଥିଲା । ସେହି ସ୍ଥାନଗୁଡ଼ିକ ଥିଲା- ଜଗନ୍ନାଥ ବଲ୍ଲଭ ମଠ, ମାଜଣା ଜାଗା, ଚାଉଳିଆ ମଠ ଓ ଦଶାବତାର ମଠ । ଏସବୁ ସ୍ଥାନ ମଧ୍ୟରୁ ମାଜଣା ଜାଗାଠାରେ ଏବେ ବି ଭୋଗଚୁଲିର ଭଗ୍ନାବଶେଷ ରହିଛି । ସେତେବେଳେ ରଥରେ ପାରିଜାତକ, ମାଣ୍ଡୁଅ, ଛେନା କେଳି, ଟାକୁଆ, ଅମାଲୁ ଓ କାକରା ଆଦି ଭୋଗ ହେଉଥିବାର ବିବରଣୀ ପ୍ରାଚୀନ ନଥିପତ୍ରରୁ ମିଳୁଛି ।

ରଥଭୋଗ ମଧ୍ୟରେ ସବୁଠୁ ଚର୍ଚ୍ଚିତ ଭୋଗ ହେଉଛି ‘ପୋଡ଼ପିଠା’ । ଶ୍ରୀଗୁଣ୍ଡିଚା ମନ୍ଦିରର ଶରଧାବାଲିଠାରୁ ଠାକୁରମାନେ ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରିବାବେଳେ, ବାଟରେ ଥିବା ମାଉସୀ ମା’ ମନ୍ଦିରଠାରେ ଏହି ଭୋଗ ହୋଇଥାଏ । ମାଉସୀ ମା’ ମନ୍ଦିରର ପୂଜକ ବ୍ରାହ୍ମଣମାନେ ଏହି ଭୋଗ ପ୍ରସ୍ତୁତ କରିଥାଆନ୍ତି । ଗହମଅଟା, ଗୁଆଘିଅ, କନ୍ଦ ବା ନବାତ (ବା ଚିନି), ଅଳେଇଚ, ଲବଙ୍ଗ ଓ କିସ୍ମିସ୍ ଆଦିରେ ଏହି ‘ପୋଡ଼ପିଠା’ ପ୍ରସ୍ତୁତ ହୋଇଥାଏ ।

କିନ୍ତୁ ‘ପୋଡ଼ପିଠା’ ହେଲେହେଁ ଏହି ପିଠାକୁ ନିଆଁରେ ପୋଡ଼ି ପ୍ରସ୍ତୁତ କରାଯାଏ ନାହିଁ । କାରଣ କୌଣସି ପୋଡ଼ାଭୋଗର ପରମ୍ପରା ଶ୍ରୀମନ୍ଦିରରେ ନାହିଁ । ପ୍ରଥମେ ଗହମଅଟା ସହିତ ଦୁଧ ଛେନାକୁ ଏକାଠି ଦଳି, ଅଥାର ହାଣ୍ଡି ପରି ହାଣ୍ଡିରେ ସିଝାଯାଏ । ପରେ ତାହାକୁ ଖଣ୍ଡ ଖଣ୍ଡ କରି କାଟି ଗୁଆଘିଅରେ ଛଣାହୁଏ । ରଥ ଆସି ବଳଗଣ୍ଡି ନିକଟ ମାଉସୀ ମା’ (ଅର୍ଦ୍ଧଶୋଷିଣୀ)ଙ୍କ ମନ୍ଦିରଠାରେ ପହଞ୍ଚିବା ପରେ, ଶ୍ରୀମନ୍ଦିରର ପୂଜାପଣ୍ଡା ସେବକ ଏହାକୁ ‘ସର୍ପାମଣୋହି’ ବିଧିରେ ଠାକୁରମାନଙ୍କୁ ସମର୍ପଣ କରିଥାଆନ୍ତି ।

ଏ ପ୍ରସଙ୍ଗରେ ଶ୍ରୀମନ୍ଦିରରେ ପ୍ରତିଦିନ ଭୋଗ ହେଉଥିବା ‘ହାତପୋଡ଼ା’ ପିଠା ଉଲ୍ଲେଖନୀୟ । ରଥରେ ଭୋଗ ହେଉଥିବା ‘ପୋଡ଼ପିଠା’ ମାଉସୀ ମା’ଙ୍କ ପୋଡ଼ପିଠା ହେଲେ, ଏହା ଶ୍ରୀମନ୍ଦିରର ପାଚିକା ଶ୍ରୀଲକ୍ଷ୍ମୀଙ୍କ ‘ହାତପୋଡ଼ା’ ପୋଡ଼ପିଠା । ଏହା ଗୋଲାକାର, ପ୍ରାୟ ତିନି ଇଞ୍ଚ ମୋଟା ଏବଂ ଶ୍ରୀଜଗନ୍ନାଥଙ୍କ ଚକାଆଖି ପରି ପ୍ରାୟ ହାତେ ବ୍ୟାସର ହୋଇଥାଏ । ମାଉସୀ ମା’ ମନ୍ଦିରର ପୋଡ଼ପିଠା ପରି, ଏହା ମଧ୍ୟ ଗହମ ଅଟା, ଛେନା, ଗୁଆଘିଅ, ନବାତ, କିସ୍ମିସ୍ ଆଦିରେ ଅଳେଇଚ ଓ ଲବଙ୍ଗ ଚୂର୍ଣ୍ଣ ପଡ଼ି ପ୍ରସ୍ତୁତ ହୋଇଥାଏ । ଏହା ମଧ୍ୟ ପୋଡ଼ା ନହୋଇ ଗୁଆଘିଅରେ ଛଣାହୁଏ ।

ଏହି ‘ପୋଡ଼ପିଠା’ ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ । ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ରେ ଦୁଇଭାଇ ବଳଭଦ୍ର ଓ ଜଗନ୍ନାଥଙ୍କୁ ଭୋଜନ ଶେଷରେ ଦେବୀ ଲକ୍ଷ୍ମୀ ଏହା ପରଷି ଥିବାର ବର୍ଣ୍ଣନା ଅଛି । ସେଥିରେ କୁହାଯାଇଛି-

“ଭୋଜନ ଶେଷକୁ ପୋଡ଼ପିଠା ଦିଲେ ନେଇ
ଖାଇକରି ସନ୍ତୋଷ ହୋଇଲେ ଭାବଗ୍ରାହୀ ।”

ସମ୍ବନ୍ଧିତ ଖବର