‘କଟାକ୍ଷ’ର କବି

ଅସିତ ମହାନ୍ତି

‘ସମ୍ବାଦ’ ସହ ଯୋଡ଼ିହେବା ଆଗରୁ କିଶୋର ରଥଙ୍କୁ ଜାଣିଥିଲି- ତାଙ୍କ ପକେଟ୍‍ କାର୍ଟୁନ୍‍ ‘କଟାକ୍ଷ’ରୁ। ମୋ’ ଜାଣିବାରେ, ଅନେକଙ୍କ ପାଇଁ ତାହା ଥିଲା ‘ସମ୍ବାଦ’ ପୃଷ୍ଠାର ‘ଅଗ୍ରପାଠ୍ୟ’। ସମ୍ବାଦପତ୍ର ପରିଭାଷାରେ, ସଂପାଦକୀୟ ଲେଖାକୁ କୁହାଯାଏ ‘ଲିଡର’ ବା ‘ଅଗ୍ରଲେଖ’। କିନ୍ତୁ ଗୋଟିଏ ଛୋଟ ‘ପକେଟ୍‍ କାର୍ଟୁନ୍‍’ ପାଠକପାଠିକାଙ୍କ ପାଇଁ ଦୀର୍ଘ ତିନିଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ଯେ ‘ଅଗ୍ରପାଠ’ ରୂପେ ବିବେଚିତ ହୋଇ ଯାଇଥିଲା, ତାହା ଆଦୌ ଏକ ଛୋଟକଥା ନୁହେଁ। ଏବଂ, ସେହି ଅଗ୍ରପାଠ୍ୟ ସ୍ତମ୍ଭର ଅପ୍ରତିମ ସ୍ରଷ୍ଟା ଥିଲେ କିଶୋର ରଥ।

ଓଡ଼ିଆ ସମ୍ବାଦପତ୍ର ପୃଷ୍ଠାରେ ସମ୍ଭବତଃ ପ୍ରଥମ ଓ ନିୟମିତ ‘ପକେଟ୍‍ କାର୍ଟୁନ୍‍’ ଥିଲା ‘ପ୍ରଜାତନ୍ତ୍ର’ର ‘ବାଟେଘାଟେ’। ‘-ରାହୀ’ ନାମକ କେହି ଛଦ୍ମନାମରେ ତାହା ଲେଖୁଥିଲେ ଏବଂ ତାହା ଥିଲା ଓଡ଼ିଶା ବାହାରର ଏକ ବରାଦି ସ୍ତମ୍ଭ। ସମ୍ଭବତଃ ‘ସମ୍ବାଦ’ ପୃଷ୍ଠାରେ ହିଁ ପ୍ରଥମ କରି ନିଜସ୍ୱ ପକେଟ୍‍ କାର୍ଟୁନ୍‍, ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ପ୍ରକାଶ ପାଇଲା। ତାହା ‘ସମ୍ବାଦ’ର ପ୍ରଥମ ଦିନ, ୧୯୮୪ ଅକ୍ଟୋବର ୪ ତାରିଖରୁ ହିଁ ପ୍ରକାଶ ପାଇଥିଲା। ତାହାର ନାମ ଥିଲା ‘ହାଲଚାଲ’। ସେତେବେଳେ ତାହା ପ୍ରସ୍ତୁତ କରୁଥିଲେ ‘-ଦେଓ’ ଅର୍ଥାତ୍‍ ସୁଧାଂଶୁ ଦେଓ। ‘ସମ୍ବାଦ’ର ପ୍ରାୟ ବର୍ଷକ ପରେ, ‘ସମାଜ’ରେ ୧୯୮୫ ଅକ୍ଟୋବର ପ୍ରଥମ ସପ୍ତାହରୁ ‘-ପରେଶ’ ପକେଟ୍‍ କାର୍ଟୁନ୍‍ ଆରମ୍ଭ କଲେ। ଆହୁରି ପରବର୍ତ୍ତୀ କାଳରେ, ‘ପ୍ରଜାତନ୍ତ୍ର’ରେ ମଧ୍ୟ ପକେଟ୍‍ କାର୍ଟୁନ୍‍ ଆରମ୍ଭ କଲେ ‘ଶିଳ୍ପୀ ଅଶୋକ’।

‘ସମ୍ବାଦ’ରେ ସୁଧାଂଶୁ ଦେଓଙ୍କ ପରେ, ନବେ ଦଶକରେ, କିଶୋର ରଥଙ୍କ ‘କଟାକ୍ଷ’ ‘ହାଲଚାଲ’ର ସ୍ଥାନ ନେଲା ଏବଂ ତାହା ଅଧିକ ଲୋକାଦୃତ ହେଲା। କାରଣ, ସୁଧାଂଶୁ ଦେଓଙ୍କର ବ୍ୟଙ୍ଗଚିତ୍ର (କାର୍ଟୁନ୍‍) ତାହାର ଅଙ୍କନଶୈଳୀ ଦୃଷ୍ଟିରୁ ଅଧିକ ପ୍ରଭାବଶାଳୀ ଥିଲେ ମଧ୍ୟ, ସେହି ପକେଟ୍‍ କାର୍ଟୁନ୍‍ର ଲେଖା ଥିଲା ଗଦ୍ୟ। କିନ୍ତୁ କିଶୋରଙ୍କ ବ୍ୟଙ୍ଗଚିତ୍ର ଅପେକ୍ଷାକୃତ କମ୍‍ ପ୍ରଭାବଶାଳୀ ହେଲେ ମଧ୍ୟ, ତାଙ୍କର ଲେଖାକୁ ସେ ପ୍ରସ୍ତୁତ କଲେ ଅତ୍ୟନ୍ତ ପ୍ରଭାବଶାଳୀ ଛନ୍ଦୋବଦ୍ଧ ପଦ୍ୟରେ। ତେଣୁ ତାହା ପାଠକଙ୍କୁ ଅଧିକ ଛୁଇଁଲା। ଫଳରେ ‘କଟାକ୍ଷ’ର ‘କିଶୋର’ କ୍ରମେ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟଙ୍ଗକବି ପାଲଟିଗଲେ। ତାଙ୍କର ସେହି କବିଖ୍ୟାତି କେତେ ପରିବ୍ୟାପ୍ତ- ତାହା ତାଙ୍କ ବିୟୋଗ ପରେ ହିଁ ଆଜି ଅଧିକ ଅନୁଭୂତ ହେଉଛି। ଏବେ ରାଜ୍ୟରେ ଅନେକ ସମ୍ବାଦପତ୍ର ପ୍ରକାଶ ପାଉଥିଲେ ମଧ୍ୟ, ଏବଂ ପ୍ରାୟ ସବୁ ସମ୍ବାଦପତ୍ରରେ ‘ପକେଟ୍‍ କାର୍ଟୁନ୍‍’ ପ୍ରକାଶିତ ହେଉଥିଲେ ମଧ୍ୟ, କିଶୋର ନୂଆ ପିଢ଼ିର ବହୁ କାର୍ଟୁନିଷ୍ଟଙ୍କର ଆଦର୍ଶ ହୋଇ ଯାଇଛନ୍ତି।

ତେବେ କିଶୋର ରଥ କେବଳ ଜଣେ ବ୍ୟଙ୍ଗଚିତ୍ରୀ ବା ଜଣେ ବ୍ୟଙ୍ଗକବି ନଥିଲେ; ସେ ମଧ୍ୟ ଥିଲେ ଜଣେ ‘ଢୁମ୍ପା’ କଳାକାର। ପାରମ୍ପରିକ ଲୋକଗୀତ ଓ ଲୋକବାଦ୍ୟର ସଂମିଶ୍ରଣ ହେଉଛି ‘ଢୁମ୍ପା’। ତାହାର ପ୍ରଚାର ଓ ପ୍ରସାରପାଇଁ ଖଣ୍ଡପଡ଼ାଗଡ଼ରେ ଗଢ଼ା ହୋଇଥିବା ‘ଗଦାଧର ଢୁମ୍ପା ସଙ୍ଗୀତ ପରିଷଦ’ର ସେ ଥିଲେ ଜଣେ ସକ୍ରିୟ ଶିଳ୍ପୀ ଓ ସଂଗଠକ। ଏପରିକି, ନିଜର ପୁତ୍ରଙ୍କୁ ବି ସେ ସେଥିରେ କଳାକାର ଭାବରେ ସଂଶ୍ଳିଷ୍ଟ କରାଇଥିଲେ। ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ଫେଲୋସିପ୍‍ ପାଇ, ସେ ସଂପର୍କରେ ସେ ଗବେଷଣା ମଧ୍ୟ କରିଥିଲେ। ଭୁବନେଶ୍ୱରର ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ‘ପ୍ରତ୍ୟାବର୍ତ୍ତନ’ର ଏକ ଉତ୍ସବରେ, ଏକଦା ତାଙ୍କ ପରିଷଦ ଯୋଗଦେଇ ଢୁମ୍ପା ସଙ୍ଗୀତ ପରିବେଷଣ କରିଥିଲା। ମୋର ସୌଭାଗ୍ୟ ଯେ କିଶୋରଙ୍କ ସହଯୋଗରେ ମୁଁ ତାହା କରାଇବାରେ ଅନ୍ୟତମ ସୂତ୍ରଧର ହୋଇଥିଲି।

କିଶୋରଙ୍କ ବିୟୋଗର ପ୍ରାୟ ବର୍ଷକ ପୂର୍ବେ, ‘ପୌରୁଷ’ ପତ୍ରିକାପାଇଁ ‘ଢୁମ୍ପା’ ସଂପର୍କରେ ଏକ ସଚିତ୍ର ପ୍ରଚ୍ଛଦ ପ୍ରସଙ୍ଗ ଲେଖିଦେବାପାଇଁ ମୁଁ ତାଙ୍କୁ ଅନୁରୋଧ କରିଥିଲି। ସେ ସେଥିପାଇଁ ରାଜି ହୋଇଥିଲେ ଏବଂ ଏକାଧିକବାର ସେ ସଂପର୍କରେ ମୋ’ ସହିତ ଆଲୋଚନା ମଧ୍ୟ କରିଥିଲେ। ପ୍ରାୟ ମାସକ ପୂର୍ବେ ମୋତେ କହିଥିଲେ, ଲେଖାଟି ସେ ପ୍ରସ୍ତୁତ କରିସାରିଛନ୍ତି ଏବଂ ତୁରନ୍ତ ତାହା ଦେଇଦେବେ। କିନ୍ତୁ ତା’ପୂର୍ବରୁ ତାଙ୍କର ଅକାଳ ତିରୋଧାନ ଘଟିଗଲା।

କିଶୋର ଯେ ଆଜି ନାହାନ୍ତି- ଏହା ତଥାପି ବିଶ୍ୱାସ କରିହେଉନାହିଁ। ସେ ଯେ ନଥାଇ ବି ଆଜି ଅଛନ୍ତି ଏହାର ପ୍ରମାଣ, ‘ସମ୍ବାଦ’ ପୃଷ୍ଠାରେ ଏବେ ପ୍ରକାଶ ପାଉଥିବା ‘କ୍ଲାସିକ୍‍ କଟାକ୍ଷ’। ସେଗୁଡ଼ିକର ଲେଖା ଆଜି ବି ପ୍ରାସଙ୍ଗିକ। ମୁଁ କିଶୋରଙ୍କ କବିତ୍ୱର ଏହି ପ୍ରାସଙ୍ଗିକତା ପ୍ରତି ମୋର ପ୍ରଣାମ ଜଣାଉଛି।

ସମ୍ବନ୍ଧିତ ଖବର