ଦୁର୍ଗାପୂଜା ଭସାଣ ସମୟରେ କିଛି କ୍ଷଣ ଲାଗି ଅଶାନ୍ତ ହୋଇଥିଲା କଟକ। କିନ୍ତୁ ଭାଇଚାରାର ଦୀର୍ଘ ପରମ୍ପରା ଥିବା କଟକ ସହର ଆପେ ସମ୍ଭାଳି ନେଇଥିଲା ନିଜକୁ। ସାଂପ୍ରଦାୟିକ ସଂପ୍ରୀତିର ଇତିହାସରେ କଳାଦାଗ ଲଗାଇ ଦେବାକୁ ଚାହିଲେ ନାହିଁ କଟକବାସୀ। ଦଶହରା ଭସାଣ ଓ ମହରମ୍ ଶୋଭାଯାତ୍ରା ଗୋଟିଏ ଦିନରେ ଏକତ୍ର ପାଳନକରି କଟକିଆ ହିନ୍ଦୁ ଓ ମୁସଲ୍ମାନ ସମଗ୍ର ଦେଶକୁ ସାଂପ୍ରଦାୟିକ ସଦ୍ଭାବନାର ନିଆରା ଉଦାହରଣ ଦେଖାଇଛନ୍ତି। ୧୯୬୮, ୧୯୯୦ ଓ ୨୦୧୧ ମସିହାରେ ଯଦିଓ କଟକରେ ଗୋଷ୍ଠୀଗତ ଉତ୍ତେଜନା ପ୍ରକାଶ ପାଇଥିଲା, କିନ୍ତୁ ଶାନ୍ତିଶୃଙ୍ଖଳାର ସହ ପ୍ରଶମିତ ହୋଇଥିଲା। ଆଉ କଟକୀ ପରମ୍ପରାର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା, ଏଠି ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଘଟୁଥିବା ଛୋଟମୋଟ ଉତ୍ତେଜନାକୁ ଅନାୟାସରେ ନିୟନ୍ତ୍ରଣ କରନ୍ତି ସାହିବସ୍ତିର ମୁରବି ଓ ସ୍ଥାନୀୟ ପୁଲିସ ପ୍ରଶାସନ। କିନ୍ତୁ, ଚଳିତବର୍ଷ ଦଶହରା ଭସାଣ ଶୋଭାଯାତ୍ରାରେ ଯେଉଁ ବିଶୃଙ୍ଖଳା ଘଟିଲା ସେଥିପାଇଁ ସମସ୍ତେ ପୁଲିସ ପ୍ରଶାସନର ଅଭିଜ୍ଞତା ଓ ଅନୁଭବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦଶହରା ଭସାଣ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ପୁଲିସ କାହିଁକି ଫେଲ୍ ମାରିଲା? ଆସନ୍ତୁ ଏହାର ତର୍ଜମା କରିବା।
ଭାଇଚାରାର ସହର କଟକ। ସଂପ୍ରଦାୟ-ସଂପ୍ରଦାୟ ଭିତରେ ସଂପ୍ରୀତି ଓ ସଂହତିର ଇତିହାସ ବେଶ୍ ପୁରୁଣା। ଭାଇ-ଭାଇ ଭିତରେ ଗଣ୍ଡଗୋଳ ହେଲେ ଘରର ମୁରବି ଯେପରି ସମାଧାନ କରନ୍ତି ସାହି ସାହି ଭିତରେ ଛୋଟମୋଟ ଉତ୍ତେଜନାକୁ ସାହିର ମୁରବି ମିଳିମିଶି ସମାଧାନ କରି ଦେଉଥିଲେ। ତେବେ ଚଳିତବର୍ଷ ଦୁର୍ଗା ମେଢ଼ ଭସାଣରେ କଥା ବଢ଼ି କର୍ଫ୍ୟୁ ପର୍ଯ୍ୟନ୍ତ ଚାଲିଗଲା। ଏଥିପାଇଁ ଦାୟୀ କିଏ? ପୁଲିସର ଜନସଂପର୍କ ଦୁର୍ବଳ ଥିଲା ନା ଆଉ କେଉଁଠି ରହିଗଲା ଦୋଷତ୍ରୁଟି। ଏଥରର ପ୍ରଚ୍ଛଦ ପ୍ରସଙ୍ଗରେ ଏହାକୁ ନେଇ ବିଭୂତି ପତିଙ୍କ ବିଶ୍ଳେଷଣ।
ଏ ପ୍ରସଙ୍ଗରେ ପ୍ରଥମ ପ୍ରଶ୍ନ ହେଲା, ମେଢ଼ ଭସାଣି ଲାଗି ପୁଲିସ ପ୍ରସ୍ତୁତି ଠିକ୍ ଥିଲା ତ? ଦ୍ବିତୀୟରେ ପ୍ରଶ୍ନ ଉଠିପାରେ ପୁଲିସର ଗୁଇନ୍ଦା ବିଭାଗକୁ ନେଇ। ଏପରି ଗଣ୍ଡଗୋଳ ହେବ ବୋଲି ପୂର୍ବସୂଚନା ଥିଲା କି? ତାହାକୁ ଅଣଦେଖା କରାଯାଇନାହିଁ ତ? ଅନେକ ସମୟରେ ଏପରି ଘଟିଥାଏ। ଏ ପରିପ୍ରେକ୍ଷୀରେ କଟକର ଅନେକ ବରିଷ୍ଠ ପୁଲିସ ପଦାଧିକାରୀ, ସାହିବସ୍ତିର ମୁରବି ଓ କର୍ମକର୍ତ୍ତା କିନ୍ତୁ ପୁଲିସ ପ୍ରଶାସନକୁ ଦାୟୀ କରୁଛନ୍ତି। ସେମାନଙ୍କ କହିବା ମୁତାବକ ପ୍ରତିବର୍ଷ ଦଶହରା ପୂର୍ବର ସୁରକ୍ଷା ବ୍ୟବସ୍ଥା ଚୂଡ଼ାନ୍ତ ହେବାପରେ ବରିଷ୍ଠ ପୁଲିସ ଅଧିକାରୀମାନେ ପ୍ରତ୍ୟେକ ଥାନାର ଅଧିକାରୀଙ୍କ ସହିତ ପୁନର୍ବାର ଆଲୋଚନା କରନ୍ତି। ଟ୍ରାଫିକ୍ ବ୍ୟବସ୍ଥା ଓ ଭିଆଇପି ଯାନବାହନ ଚଳାଚଳ ଉପରେ ବିସ୍ତୃତ ସମୀକ୍ଷା କରାଯାଏ। ଏହାସହିତ କଟକ ବାହାରୁ ଆସି ନିୟୋଜିତ ହୋଇଥିବା ପୁଲିସ ଫୋର୍ସର ଅଫିସର୍ଙ୍କୁ କଟକ ବିଷୟରେ ବିଭିନ୍ନ ପ୍ରସଙ୍ଗ ଅବଗତ କରାଯାଏ ଓ ପରିସ୍ଥିତିର ତର୍ଜମା କରାଯାଏ। ଯଦି କିଛି ଭୁଲ୍ଭଟକା ଦୃଷ୍ଟିକୁ ଆସେ ତାହାକୁ ତତ୍କ୍ଷଣାତ୍ ସୁଧାରି ଦିଆଯାଏ। ଷଷ୍ଠୀର ତିନି ଚାରିଦିନ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଏ। ସ୍ପେସାଲ୍ ବ୍ରାଞ୍ଚ୍ ଓ ଜିଲ୍ଲା ଗୁଇନ୍ଦା ବିଭାଗର ରିପୋର୍ଟ ପ୍ରତି ମଧ୍ୟ ଦୃଷ୍ଟିଦେଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ। ସାଦା ପୋଷାକ ପରିହିତ ପୁଲିସ ମୁତୟନ ହୋଇଥାନ୍ତି। କିନ୍ତୁ ଚଳିତବର୍ଷ ଏହି ପ୍ରକ୍ରିୟା ଠିକ୍ ଭାବେ ଅନୁସରଣ କରାଯାଇନାହିଁ ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି ଜନୈକ ବରିଷ୍ଠ ଅଧିକାରୀ।
ଉତ୍ତେଜନା ପ୍ରଶମନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ ପୁଲିସ କର୍ମଚାରୀଙ୍କ ସହ ସାହିବାସିନ୍ଦାଙ୍କ ବ୍ୟକ୍ତିଗତ ସଂପର୍କ। ବିଶେଷ କରି କଟକର ହାତୀପୋଖରୀ ନିକଟ ଦରଘାବଜାର ଓ କଦମ୍ରସୁଲ୍ ଦେଇ ଦୁର୍ଗା ମେଢ଼ ଯିବାବେଳେ ସ୍ଥାନୀୟ ବାସିନ୍ଦାଙ୍କ ସହ ପୁଲିସ କର୍ମଚାରୀମାନଙ୍କ ପରିଚୟ ଓ ସଂପର୍କ ପରିସ୍ଥିତିକୁ ଅନିୟନ୍ତ୍ରିତ ହେବାକୁ ଦିଏନାହିଁ। ତେଣୁ, ସେଭଳି ସମ୍ବେଦନଶୀଳ ଅଞ୍ଚଳରେ ଅଭିଜ୍ଞ ତଥା ଜଣାଶୁଣା ପୁଲିସ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଏ। ଝାଞ୍ଜିରମଙ୍ଗଳାର ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ଅରବିନ୍ଦ ପଟ୍ଟନାୟକ କହନ୍ତି, ‘‘ପୁଲିସର ଅଭିଜ୍ଞତା ଓ ଜନସଂପର୍କ ହିଁ ଦଶହରା, ବାଲିଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣିରେ ସାଂପ୍ରଦାୟିକ ସଦ୍ଭାବନା ବଜାୟ ରଖେ। ବର୍ତ୍ତମାନ ପ୍ରସଙ୍ଗକୁ ଲକ୍ଷ୍ୟକଲେ ଜଣାଯାଏ ଯେ ସେ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା।’’
ଆମେ କଟକର ଇତିହାସକୁ ଅବଲୋକନ କଲେ ଦେଖିବା, ୨୦୧୧ ମସିହା ଭସାଣ ସମୟରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଶାନ୍ତିଶୃଙ୍ଖଳାର ସହ ଭସାଣ ସମ୍ପନ୍ନ କରିବାରେ ବଡ଼ ଭୂମିକା ତୁଲାଇଥିଲେ ରାଣୀହାଟର ମୁରବି ବିଜୟ ସାହୁ ଓ ରାଜେନ୍ଦ୍ର କୁମାର ସାହୁ। କେତେକ ଅସାମାଜିକ ଯୁବକ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ ଏବଂ ଢେଲାପଥର ମାଡ଼ରେ ରାଜେନ୍ଦ୍ର ସାହୁଙ୍କ ମୁଣ୍ଡ ଫାଟିଥିଲା। କିନ୍ତୁ, ଏହି ବିଶୃଙ୍ଖଳାକୁ ସାହି ମୁରବି ଓ ପୁଲିସ ଏକାଠି ହୋଇ ନିୟନ୍ତ୍ରଣ କରିଥିଲେ। କିନ୍ତୁ, ଚଳିତବର୍ଷ ସାମାନ୍ୟ ଅଘଟଣ ଯୋଗୁଁ କର୍ଫ୍ୟୁ ପର୍ଯ୍ୟନ୍ତ କଥା ଚାଲିଯିବା ଠିକ୍ ହେଲା ନାହିଁ ବୋଲି କହନ୍ତି ଦେଉଳସାହି ବାସିନ୍ଦା ମୃତ୍ୟୁଞ୍ଜୟ ସ୍ବାଇଁ। ଏହି ପ୍ରସଙ୍ଗରେ ଏକାଧିକ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା ସମୟରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ସାମ୍ନାକୁ ଆସିଥିଲା। ଗତ ବର୍ଷ ରାଜ୍ୟରେ ସରକାର ବଦଳିବା ପରେ କଟକ ସହରରେ କାର୍ଯ୍ୟ କରୁଥିବା ବହୁ ପୁରୁଣା ଅଫିସର୍ମାନଙ୍କୁ ଏକକାଳୀନ ଅନ୍ୟତ୍ର ବଦଳି କରାଯାଇଛି। ତେବେ ଦଶହରା ସମୟରେ ସେମାନଙ୍କୁ କଟକ ଆଣି ସ୍ବତନ୍ତ୍ର ଦାୟିତ୍ବ ଦେବା ପ୍ରୟୋଜନ ଥିଲା। ଚଳିତ ଭସାଣ ସମୟର ଗଣ୍ଡଗୋଳ ଦୁଇସାହି ମଧ୍ୟରେ ଥିବା ପୂର୍ବ ଶତ୍ରୁତାରୁ ଉପୁଜିଥିଲା। ଯେହେତୁ ସାହିବସ୍ତି କଥା ଜାଣିଥିବା ପୁରୁଣା ପୁଲିସ ଅଫିସର୍ ନ ଥିଲେ, ତେଣୁ ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଗଲା ବୋଲି କହନ୍ତି କଟକ ବାସିନ୍ଦା ତଥା କେନ୍ଦ୍ରୀୟ ପୁଲିସ୍ ବଳରେ କାର୍ଯ୍ୟରତ ଅଧିକାରୀ ଲଡୁକିଶୋର ଦାଶ।
ଯେପରି ପୁରୀରେ ରଥଯାତ୍ରା ସମୟରେ ଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ଥିବା ଅଧିକାରୀଙ୍କୁ ମୁକରିର କରାଯାଏ, ଠିକ୍ ସେହିଭଳି କଟକର ପାର୍ବଣଋତୁରେ ହେବାକଥା। ଫଳରେ ଅଚାନକ କୌଣସି ଅଘଟଣ ଉପୁଜିଲେ ତାହାକୁ ସହଜରେ ନିୟନ୍ତ୍ରଣ କରିବା ସମ୍ଭବ ହୋଇଥାଏ। ଯେହେତୁ ନୂଆ ପୁଲିସ ଅଧିକାରୀମାନେ କଟକର ଭୂଗୋଳ ଓ ସାମାଜିକ ସ୍ଥିତିକୁ ଠିକ୍ ଭାବରେ ଜାଣି ନଥାନ୍ତି, ତେଣୁ ଠିକ୍ ନିଷ୍ପତ୍ତି ନେଇପାରନ୍ତି ନାହିଁ। ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର, ଅମରାନନ୍ଦ ପଟ୍ଟନାୟକ, ବନବିହାରୀ ପଣ୍ଡା, ସତ୍ୟଜିତ ମହାନ୍ତି, ଏମ୍. ଅକ୍ଷୟ ଓ ପ୍ରଦୀପ କପୁର୍ଙ୍କ ଭଳି ବରିଷ୍ଠ ପୁଲିସ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକାଳରେ ସବୁବେେଳ ପୁରୁଣା ପୁଲିସ କର୍ମଚାରୀଙ୍କ ସହିତ ପ୍ରତ୍ୟକ୍ଷ ସଂପର୍କ ରଖିବାକୁ ଥାନା ଫାଣ୍ଡିକୁ ନିର୍ଦ୍ଦେଶ ଦେଉଥିଲେ। ବର୍ତ୍ତମାନ ଏସବୁ ପ୍ରାୟ ବନ୍ଦ ହୋଇଗଲାଣି। ଆଗରୁ ଭସାଣ ସମୟରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ଡକାଇ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଥିଲା। ବର୍ତ୍ତମାନ ସେସବୁ ଆଉ ନାହିଁ। ଏବେ ଅନେକ ଥାନା ଅଧିକାରୀ ନିଜ ଅଞ୍ଚଳର ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ସହ ସାମାନ୍ୟତମ ଯୋଗାଯୋଗ ବି ରକ୍ଷାକରୁନାହାନ୍ତି ବୋଲି କହିଛନ୍ତି ଶେଖ ବଜାର ବାସିନ୍ଦା ତଥା ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ଘନଶ୍ୟାମ ମହାରଣା।
କଟକରେ ପୁଲିସ ଓ ବାସିନ୍ଦା ସଂପର୍କର ଏକ ନିଆରା ଉଦାହରଣ ହେଉଛି ସାହିବସ୍ତିର ଯୁବକମାନେ ଥାନା ଓ ଫାଣ୍ଡିର ପୁଲିସ ଅଫିସର୍ଙ୍କୁ ‘ଭାଇ’ ବୋଲି ଡାକୁଥିଲେ। ପୁଲିସ ଅଫିସର୍ମାନେ ବି ସାହିବସ୍ତିର ପୁରୁଖାଲୋକ ଓ ମୁରବିମାନଙ୍କୁ ଭାଇ ଡାକି ସମ୍ମାନ ଦେଉଥିଲେ। ସେମାନେ ମଧ୍ୟ ସ୍ନେହରେ ପୁଲିସ ଅଫିସର୍ମାନଙ୍କୁ ବାବୁ ସମ୍ବୋଧନ କରୁଥିଲେ। ସମ୍ପ୍ରତି କାର୍ଯ୍ୟରତ ପୁଲିସବାବୁଙ୍କର ସାହିବସ୍ତି ସହିତ ସଂପର୍କ ନଥିବାରୁ ସେମାନେ ଅପରାଧ ଓ ଅପରାଧୀଙ୍କ ଗୋପନୀୟ ତଥ୍ୟ ଓ କାର୍ଯ୍ୟକଳାପ ସମ୍ବନ୍ଧୀୟ ସୂଚନା ପାଇପାରୁ ନାହାନ୍ତି ବୋଲି ଅଭିଯୋଗ ହୁଏ। ଚଳିତ ଭସାଣିରେ ତା’ର ପ୍ରତିଫଳନ ଦେଖିବାକୁ ମିଳିଥିଲା। ମହାତାବ, ବିଜୁ, ବୀରେନ୍, ନନ୍ଦିନୀ ଓ ଜାନକୀବଲ୍ଲଭଙ୍କ ଭଳି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହର କଟକରେ ଖାକି ବଳ ଅପେକ୍ଷା ସ୍ନେହସୌହାର୍ଦ୍ୟ ଓ ସମ୍ମାନର ବନ୍ଧନ ଅଧିକ ଶକ୍ତିଶାଳୀ ବୋଲି କହନ୍ତି ପୂର୍ବତନ ପୁଲିସ୍ ପଦାଧିକାରୀ ରମେଶ ଚନ୍ଦ୍ର ସେଠୀ।
୧୯୬୮ ଓ ୧୯୯୦ ମସିହାରେ ବି କଟକ ସାଂପ୍ରଦାୟିକ ଅଶାନ୍ତି ଦେଖିଥିଲା। ସେତେବେଳେ ପୁଲିସ ପ୍ରଶାସନ ଓ ବିଭିନ୍ନ ସଂପ୍ରଦାୟର ସାହି ମୁରବି ମିଳିମିଶି ପରିସ୍ଥିତିକୁ ସମ୍ଭାଳି ନେଇଥିଲେ। ସେତେବେଳେ କଦମ୍ରସୁଲ୍, ଦରଘାବଜାର, ମସ୍ତାନ୍ଦରଘା, ହାତୀପୋଖରୀ ଭଳି ସମ୍ବେଦନଶୀଳ ଅଞ୍ଚଳରେ ଅଧିକସଂଖ୍ୟକ ପୁଲିସ ଫୋର୍ସ ମୁତୟନ ହେଉଥିଲା। ଛାତ ଉପରେ ସଶସ୍ତ୍ର ପୁଲିସ ସଜାଗ ହୋଇ ରହୁଥିଲେ। ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯାଉଥିଲା। ଗଣ୍ଡଗୋଳ ଆଶଙ୍କା ଥିବା ସ୍ଥାନରେ ପୁଲିସ ପହରା କଠୋର କରାଯାଉଥିଲା। ଅଞ୍ଚଳକୁ ଭଲ ଭାବେ ଜାଣିଥିବା ଓ ଲୋକସଂପର୍କ ଥିବା ବଛା ବଛା ପୁରୁଖା ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଉଥିଲା। ମନେହୁଏ, ଏଥର ଏସବୁ ବ୍ୟବସ୍ଥା ହୋଇ ନଥିଲା। ଭସାଣ ରାତିର ଗଣ୍ଡଗୋଳ ପରେ ତତ୍କ୍ଷଣାତ୍ କଟକ ଶାନ୍ତି କମିଟି କର୍ମକର୍ତ୍ତା, ସାହି ମୁରବି ଓ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଏକାଠି ବସାଇ ଆଲୋଚନା ନ କରିବା କଟକ ପୁଲିସର ଚରମ ନିଷ୍କ୍ରିୟତା ବୋଲି ଅଭିଯୋଗ ହେଉଛି।
କେତେଟି ଅସମାହିତ ପ୍ରଶ୍ନ
ଦଶହରା ବେଳେ ପୁଲିସର କାର୍ଯ୍ୟଧାରାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଅନେକ ଅଭିଜ୍ଞ ଦାବି କରନ୍ତି। ବିଗତ ଦିନରେ ପୁଲିସ ପାଖରେ କଟକ ସହରରେ କାର୍ଯ୍ୟରତ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ତାଲିକା ଥିଲା। ସେହି ପୁରୁଣା ଅଧିକାରୀଙ୍କୁ ଡାକି ପୁଲିସ ଔପଚାରିକ ଭାବେ ଆଲୋଚନା କରି ପାର୍ବଣଋତୁରେ ସେମାନଙ୍କୁ ସ୍ବତନ୍ତ୍ର ଭାବେ ମୁତୟନ କରୁଥିଲା। ଲାଲ୍ବାଗ ଓ ମଙ୍ଗଳାବାଗ୍ ଭଳି ପୁରୁଣା ଥାନାରେ ସେମାନଙ୍କୁ ସମ୍ମାନିତ କରାଯିବା ସହ ଦଶହରା ଓ କାଳୀପୂଜା ସମୟରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଥିଲା। ଏଥର ସେଭଳି ହୋଇନଥିଲା କାହିଁକି? ବର୍ତ୍ତମାନର ବରିଷ୍ଠ ଅଫିସର୍ମାନଙ୍କ ମଧ୍ୟରୁ ଅଧିକାଂଶଙ୍କର କଟକ ସହରରେ ବିଶେଷ ଅଭିଜ୍ଞତା ନାହିଁ। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ପୁଲିସ ଅନୁମତି ବିନା ଏତେ ବଡ଼ ଶୋଭଯାତ୍ରା ଆୟୋଜନ ହୋଇ ଏତେ ଦୂର ଆସିଲା କେମିତି? ଶୋଭାଯାତ୍ରା ଯିଏ ବି କରୁ, ୧୪୪ ଧାରା ଲାଗିବା ସତ୍ତ୍ବେ ଏତେ ଲୋକ ଏକାଠି ହେଲେ କେମିତି ଓ ପୁଲିସ କରୁଥିଲା କ’ଣ? ପୁଲିସ ଡିସିପି ତତ୍କ୍ଷଣାତ୍ କମିସନର୍ଙ୍କ ସହିତ ଆଲୋଚନା କରି ସରକାରଙ୍କୁ ପରାମର୍ଶ ଦେଇ କର୍ଫ୍ୟୁ ଲଗାଇଲେ ନାହିଁ କାହିଁକି? ପ୍ରାକ୍ତନ ପୁଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ତାଙ୍କ କାର୍ଯ୍ୟକାଳରେ କଦମ୍ରସୁଲ ଅଞ୍ଚଳରେ ଗଣ୍ଡଗୋଳର ସମାଧାନ କରିସାରିବା ପରେ ରାତାରାତି କର୍ଫ୍ୟୁ ଜାରି କରିଥିଲେ। ସେହିପରି କର୍ଫ୍ୟୁ ପରେ ଯଦି ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଡକରା ଦିଆଗଲା ଏବଂ ସେ ଆସି ସହଜରେ ଏହାର ସମାଧାନ କରିପାରିଲେ, ତେବେ ଆଗରୁ ଏହା କରାଗଲା ନାହିଁ କାହିଁକି ବୋଲି ଓଡ଼ିଶା ହାଇକୋର୍ଟର ସୁପରିଚିତ ଆଇନଜୀବୀ ଶୁଭେନ୍ଦୁ ମହାନ୍ତି ପ୍ରଶ୍ନ କରିଛନ୍ତି।
ସାହି ସାହି ମଧ୍ୟରେ ଗଣ୍ଡଗୋଳ ନାହିଁ
ପୁଲିସ ଯଦି ବିଫଳ ନ ହୋଇଥାନ୍ତା, ତେବେ ଦ୍ବିତୀୟ ଦିନର ଘଟଣା ଘଟି ନଥାନ୍ତା। ଜଣେ ଡିସିପି ଦୁଇ ଦୁଇଥର ଆକ୍ରମଣର ଶିକାର ହେବା ଏବଂ ରକ୍ତାକ୍ତ ହେବା ନିଶ୍ଚିତ ଭାବେ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଡିଜି, ଡିସିପି ଓ ଅନ୍ୟାନ୍ୟ ଏସିପିଙ୍କ ସମେତ ଆଇଆଇସିମାନେ ଉପସ୍ଥିତ ଥିବା ସତ୍ତ୍ବେ ଭସାଣ ରାତି ଓ ତା’ ପରଦିନର ଘଟଣା ସୂଚାଇ ଦେଉଛି ଯେ ସେମାନଙ୍କ ପାଖରେ ଅଭିଜ୍ଞତାର ଘୋର ଅଭାବ ରହିଛି। ଶୋଭାଯାତ୍ରା ବାହାରିଲା ପରେ ବୁଝାଶୁଝା କରି ତାକୁ ସମାପ୍ତ କରିବାର ଥିଲା। ଶୋଭାଯାତ୍ରା ପୂର୍ବରୁ ଅନ୍ୟ ସଂପ୍ରଦାୟର ମୁରବିମାନଙ୍କ ସହିତ ଶାନ୍ତି ଆଲୋଚନା କରିବା ଆବଶ୍ୟକ ଥିଲା। ଭସାଣ ସମୟରେ ପୁଲିସ ପ୍ରଶାସନ ଆନୁକୂଲ୍ୟରେ ବିଭିନ୍ନ ସାହିର ମୁରବି ଓ ପଦାଧିକାରୀମାନଙ୍କୁ ଆମ ପକ୍ଷରୁ କଦମ୍ରସୁଲ୍ରେ ଫୁଲ ଓ ସର୍ବତ୍ ଦେଇ ସମ୍ବର୍ଦ୍ଧନା ଦିଆଯାଏ। ଏ ବର୍ଷ ତାହା ଆୟୋଜନ ହୋଇପାରି ନ ଥିଲା। ମୁଖ୍ୟତଃ ସାମାଜିକ ଗଣମାଧ୍ୟମ ଏହି ଗଣ୍ଡଗୋଳକୁ ଉସୁକାଇଲା। ଗୁଇନ୍ଦା ବିଭାଗ ଏକଥା ଜାଣିପାରିଲା ନାହିଁ କିପରି ବୋଲି କଦମ୍ରସୁଲ୍ ମ୍ୟାନେଜିଂ କମିଟି ସଭାପତି ରମଜାନ୍ ଖାନ୍ କହିଛନ୍ତି।