ନୂଆଦିଲ୍ଲୀ: ଏପରି ଏକ ସମୟ ଥିଲା ଯେତେବେଳେ କେରଳର କୋଝିକୋଡେ ନିବାସୀ ନୌଜିଶା ପ୍ରତିଦିନ ମାଡ ଓ ଅପମାନର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ ସେ ମାନସିକ ସ୍ତରରେ ଏତେ ଦୁର୍ବଳ ହୋଇ ପଡ଼ିଥିଲେ କି ବାରମ୍ବାର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଆଜି ୩୨ ବର୍ଷୀୟ ନୌଜେଶା ଜଣେ ପୁଲିସ ଅଧିକାରୀ ଭାବେ ନିଜର ପରିଚୟ ସୃଷ୍ଟି କରି ଅନେକ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ନୌଜେଶା କମ୍ପ୍ୟୁଟର ଆପ୍ଲିକେସନ୍ (ଏମସିଏ) ରେ ମାଷ୍ଟର କରିଛନ୍ତି ଏବଂ ବିବାହ ପୂର୍ବରୁ ଅତିଥି ଅଧ୍ୟାପକ ଭାବରେ କାମ କରୁଥିଲେ। ୨୦୧୩ ମସିହାରେ ସେ ବିବାହ କରିଥିଲେ। ଏହାପରଠାରୁ ସେ ଗୋଟିଏ ଦିନ ବି ଶାନ୍ତିରେ କାଟି ନାହାନ୍ତି। ପ୍ରତିଦିନ ଶାଶୁଘର ଲୋକ ଓ ସ୍ବାମୀଙ୍କ ଦ୍ବାରା ସେ ନିର୍ଯାତନାର ଶିକାର ହୋଇଥିଲେ। କାରଣ ସେ ବାହାରକୁ ଯାଇ କାମ କରନ୍ତି ଏହା ତାଙ୍କ ସ୍ବାମୀଙ୍କୁ ପସନ୍ଦ ନଥିଲା।
ବର୍ଷ ବର୍ଷ ଧରି ସ୍ବାମୀ ଓ ଶାଶୁଘର ଲୋକଙ୍କ ନିର୍ଯାତନା ସହିବା ପରେ ଶେଷରେ ମନକୁ ଦୃଢ଼ କରି ୨୦୧୬ରେ ସେ ବାପଘରକୁ ଚାଲି ଆସିଥିଲେ। ତାଙ୍କର ଏଭଳି ନିଷ୍ପତ୍ତିକୁ ବାପଘର ଲୋକ ବି ସମ୍ପର୍ଥନ କରିଥିଲେ।
ନୌଜେଶା କହନ୍ତି, ‘ବାପାଘରେ ରହି ପଛ କଥାକୁ ଭୁଲି ଜୀବନରେ ଆଗକୁ ବଢ଼ିବାକୁ ସ୍ଥିର କରିଥିଲି। ଅଧ୍ୟାପକ ଭାବରେ କାମ ଆରମ୍ଭ କରିଲି। ଏଥିସହିତ ମୁଁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲି। ଇଶ୍ବରଙ୍କ କୃପାରୁ କେରଳ ପୁଲିସର ସ୍ୱତନ୍ତ୍ର ନିଯୁକ୍ତି ପରୀକ୍ଷାରେ ସଫଳ ହୋଇ ସିଭିଲ୍ ପୁଲିସ ଫୋର୍ସରେ ଯୋଗ ଦେଇଥିଲି। ’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Police-officer-Naujisha-with-her-kid-1676261844.jpg)