ଭାଇ ତୋତେ ମୋର ରହିଲା ରାଣ..., ମୋ ପାଇଁ ବାପାବୋଉ ଚଳନ୍ତି ଠାକୁର... ଏଭଳି ଅନେକ ଗୀତ ଗାଇ ସେ ଅନେକ ସମୟରେ ଆମକୁ ସମ୍ପର୍କର ପରିଭାଷା ବୁଝାଇଛନ୍ତି। ମିଠାମିଠା କଥା ଓ ଉପସ୍ଥିତ ବୁଦ୍ଧିରେ ସେ ନିଜ ୱାର୍ଡର ବହୁ ବଡ଼ ବଡ଼ ସମସ୍ୟାର ସମାଧାନ କରି ପାରିଛନ୍ତି। ଜଣେ ଖ୍ୟାତନାମା କଣ୍ଠଶିଳ୍ପୀ ଭାବେ ଶ୍ରୋତାଙ୍କୁ ନିଜ କଣ୍ଠର ଯାଦୁରେ ବାନ୍ଧିଛନ୍ତି। ପୁଣି ୱାର୍ଡ ନମ୍ବର-୬ର କର୍ପୋରେଟର୍ ଭାବେ ନିଜ ମତଦାତାଙ୍କ ହକ୍ ପାଇଁ ଲଢ଼ିଛନ୍ତି। ପିଲାଟି ବେଳୁ ସଙ୍ଗୀତ ପ୍ରତି ଅହେତୁକ ଦୁର୍ବଳତା ରଖୁଥିବା କୁନି ଝିଅଟି ସଙ୍ଗୀତ ସହ ତା’ ସମ୍ପର୍କ ପୂର୍ବଜନ୍ମର ବୋଲି ଭାବି ନେଇଥିଲା। କାରଣ ସଙ୍ଗୀତ ହିଁ ତାଙ୍କୁ ଶାନ୍ତି ଦେଉଥିଲା ଓ ସଙ୍ଗୀତ ପରିବେଷଣ ଆତ୍ମତୃପ୍ତି। ସଙ୍ଗୀତ ପ୍ରେମରେ ପାଗଳ ଏହି କୁନି ଝିଅଟି ମାତ୍ର ୬ ବର୍ଷ ବୟସରୁ କଣ୍ଠର ଯାଦୁ ଖେଳାଇବା ଆରମ୍ଭ କରି ଦେଇଥିଲା। ରେଡିଓ, ଦୂରଦର୍ଶନରେ ‘ଶିଶୁ ସଂସାର’ରେ ଅଂଶଗ୍ରହଣ କରି ଗୀତ ଗାଇବା ପରେ ସେ ‘କିଶୋର ଚକ୍ର’ ଓ ‘ଯୁବବାଣୀ’ରେ ବି ଅଂଶଗ୍ରହଣ କରିଥିଲେ। ଏମିତି ଗାଉ ଗାଉ ଶିଶୁ କଣ୍ଠଶିଳ୍ପୀ ଭାବେ ସେ ୧୯୮୮ ମସିହାର ଚଳଚ୍ଚିତ୍ର ‘ଲକ୍ଷେ ଶିବ ପୂଜି ପାଇଲି ପୁଅ’ରେ ଗୀତ ଗାଇବାର ସୁଯୋଗ ପାଇଥିଲେ ଓ ଏହି ଚଳଚ୍ଚିତ୍ରଟି ତାଙ୍କୁ ଭଲ ଗାୟିକାର ସ୍ବୀକୃତି ଆଣିଦେଇଥିଲା। ସେ ହେଉଛନ୍ତି ଓଡ଼ିଶାର ଅତି ପରିଚିତା କଣ୍ଡଶିଳ୍ପୀ ପ୍ରୀତିନନ୍ଦା ରାଉତରାୟ।
ସେ କୁହନ୍ତି, ସଙ୍ଗୀତ ପ୍ରତି ଆକର୍ଷଣ ଯୋଗୁଁ ଦିନେ ମୁଁ ସଙ୍ଗୀତକୁ ବାଛିଥିଲି। କିନ୍ତୁ କେବେ ରାଜନୀତି କରିବି ବୋଲି ଭାବି ନଥିଲି। ମୋ ବାପା ରାଜନୀତିରେ ସକ୍ରିୟ ଥିଲେ। କିନ୍ତୁ ଆମକୁ କେବେ ରାଜନୀତି କରିବାକୁ ପ୍ରୋତ୍ସାହିତ କରି ନ ଥିଲେ। ହେଲେ ସମସ୍ତଙ୍କ ଭାଗ୍ୟ ସେ ଉପରବାଲା ଠିକ୍ କରିଥାଏ। ଆମ ୱାର୍ଡ ଯେତେବେଳେ ମହିଳାଙ୍କ ପାଇଁ ସଂରକ୍ଷିତ ହେଲା, ମୋତେ ସମସ୍ତେ କର୍ପୋରେଟର୍ ପାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ କହିଥିଲେ। ମୁଁ ରାଜି ନ ଥିଲି। କିନ୍ତୁ ମୋ ଶାଶୁଘର ଓ ବାପଘର ଲୋକଙ୍କ ପ୍ରେରଣାରେ ମୁଁ ରାଜନୀତିକୁ ଆସିବାକୁ ରାଜି ହୋଇଥିଲି ଓ ସଫଳ ହେଲି। ମୋର ଅଧିକ ଧନସମ୍ପତ୍ତି କିମ୍ବା କ୍ଷମତାର ଲୋଭ ନାହିଁ। ବାସ୍ ମୋ ୱାର୍ଡର ଲୋକଙ୍କର ଅସୁବିଧାର ସମାଧାନ କରି ଯେଉଁ ଟିକକ ଖୁସି ମିଳେ, ମୋତେ ସେଇ ଖୁସି ହିଁ ଦରକାର। ମୋ ୱାର୍ଡର ଲୋକମାନଙ୍କର ସର୍ବନିମ୍ନ ଆବଶ୍ୟକତା ଯଥା- ବାସଗୃହ, ପିଇବା ପାଣି, ବିଜୁଳି, ରାସ୍ତା ଓ ପରିମଳ ବ୍ୟବସ୍ଥା ଆଦିକୁ ସଜାଡ଼ିବା ମୋର ପ୍ରଥମ ଲକ୍ଷ୍ୟ। ସେ ଦିଗରେ ମୁଁ କାର୍ଯ୍ୟରତ ମଧ୍ୟ। କର୍ପୋରେଟର ଭାବେ ନିଜ ଅଭିଜ୍ଞତାରୁ ସେ କୁହନ୍ତି, ୨୦୧୭ରେ ମୋ ୱାର୍ଡର ଆମ୍ବତୋଟା ବସ୍ତି ଉଚ୍ଛେଦର ସମାଧାନ କେବଳ କଥାବାର୍ତ୍ତାରେ ହିଁ ହୋଇପାରିଥିଲା। ଇଡ୍କୋ ଯେତେବେଳେ ଏହି ବସ୍ତିର ୭୫ ପରିବାରକୁ ସେଠାରୁ ଉଠାଇବାକୁ ଆସିଥିଲା ଓ ସେମାନଙ୍କ ଘର ଭାଙ୍ଗି ଦେଇଥିଲା ସେତେବେଳେ ଇଡ୍କୋ ଓ ପୁଲିସ ଅଧିକାରୀଙ୍କ ସହ ମୁଁ କଥା ହୋଇଥିଲି। ବହୁ ବିଚାର ଓ ଆଲୋଚନା ପରେ ଲୋକଙ୍କ ରହିବା, ଖାଇବା ଓ ଶୋଇବାର ସୁବନ୍ଦୋବସ୍ତ ହୋଇଥିଲା। ଏଥିସହ ସେମାନଙ୍କ ରହିବା ପାଇଁ ଭୁବନେଶ୍ବରର ପ୍ରଥମ ଟ୍ରାଞ୍ଜିଟ୍ ହାଉସ୍ ମୋ ୱାର୍ଡରେ ହିଁ ତିଆରି ହୋଇଥିଲା। ଏଣୁ ସକାରାତ୍ମକ ମାନସିକତା ରହିଲେ ଅଧିକାଂଶ ସମସ୍ୟାର ସମାଧାନ ସମ୍ଭବ ବୋଲି ସେ ବିଶ୍ବାସ କରନ୍ତି।
ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ ହିସାବରେ ସଙ୍ଗୀତରେ ବଢ଼ୁଥିବା ରୢାପ୍ ଓ ଡିଜେ ସଙ୍ଗୀତକୁ ନେଇ ସେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ନିତି ଆମ ପିଲାଙ୍କୁ ବର୍ଗର୍ ଓ ପିଜା ଖୁଆଇବା। ତା’ପରେ କହିବା ତାହା ହିଁ ସେମାନଙ୍କ ପସନ୍ଦ। କିନ୍ତୁ ମଝିରେ ମଝିରେ ପରଟା ଓ ଚଟଣି କରି ଦିଅନ୍ତୁ। ଦେଖିବେ ସେମାନେ ନିଶ୍ଚୟ ପରଟାକୁ ପସନ୍ଦ କରିବେ। ଅର୍ଥାତ୍ ଆମେ ସେମାନଙ୍କୁ ଯାହା ପରଷିବା ସେମାନେ ଗ୍ରହଣ କରିବେ। ଏଣୁ ରୢାପ୍ ଓ ଡିଜେ ସଙ୍ଗୀତ ରହୁ। ତା’ ସହ ଆମ ପାରମ୍ପରିକ ଓ ପାରିବାରିକ ସଙ୍ଗୀତ ମଧ୍ୟ ପ୍ରସ୍ତୁତ ହେଉ। ଦେଖିବେ ଯୁବପିଢ଼ି ନିହାତି ଭାବେ ଆମ ପାରମ୍ପରିକ ସଙ୍ଗୀତକୁ ଅଧିକ ପସନ୍ଦ କରିବେ।