ସାଧାରଣତଃ ଜୈବ ଇନ୍ଧନ ରୂପେ ଆମେ ପେଟ୍ରୋଲିଅମ୍‌ର ବହୁଳ ବ୍ୟବହାର କରୁଛେ। ତେବେ ତାହାର ବିନିଯୋଗ କେବଳ ଗାଡ଼ିମୋଟର କି କଳକାରଖାନା ଚଳାଇବାରେ ସୀମିତ ନୁହେଁ। ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ ଯେ ଏହି ଖଣିଜ ତୈଳରୁ ଉଦ୍ଧୃତ ପେଟ୍ରୋକେମିକାଲ୍‌ ଆମର ୬,୦୦୦ରୁ ଅଧିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ବ୍ୟବହୃତ ହେଉଛି। ତେଣୁ ଇନ୍ଧନ ରୂପେ ପେଟ୍ରୋଲିଅମ୍‌ର ବ୍ୟବହାର କ୍ରମେ ବନ୍ଦ ହୋଇଗଲେ ମଧ୍ୟ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଏହା ଉପରେ ଆମ ନିର୍ଭରଶୀଳତା ବଜାୟ ରହିବ। ନିମ୍ନରେ ସେଭଳି କିଛି ସାମଗ୍ରୀ ବିଷୟରେ ଆଲୋଚନା କରିବା। ଅଧିକାଂଶ ଚକୋଲେଟ୍‌ର ବାହ୍ୟ ଆବରଣରେ ‘ପାରାଫିନ୍ ଵାକ୍ସ’ ନାମକ ଏକ ରସାୟନ ବ୍ୟବହାର କରାଯାଏ। ପେଟ୍ରୋଲିଅମ୍‌ରୁ ପ୍ରସ୍ତୁତ ଏହି ଆବରଣ ଚକୋଲେଟ୍‌ର ଚର୍ବିଳ ଅଂଶକୁ ଉଚ୍ଚ ତାପମାତ୍ରାରେ ମଧ୍ୟ କଠିନ ରଖିଥାଏ। ଯଦିଓ ‘ପାରାଫିନ୍ ଵାକ୍ସ’ ଆମ ପାକସ୍ଥଳୀରେ ଜୀର୍ଣ୍ଣ ହୁଏ ନାହିଁ, ତେବେ ତାହା ସ୍ବାସ୍ଥ୍ୟ ପ୍ରତି ହାନିକାରକ ନୁହେଁ ବୋଲି ଜଣାଯାଇଛି।

Advertisment

କେତେକ ଟୁଥପେଷ୍ଟରେ ‘ପୋଲୋକ୍ସାମର୍ ୪୭୦’ ନାମକ ଏକ ପେଟ୍ରୋଲିଅମ୍ ଉତ୍ପାଦ ବ୍ୟବହୃତ ହୋଇଥାଏ, ଯାହା ଟୁଥପେଷ୍ଟକୁ ପାଣିରେ ଦ୍ରବୀଭୂତ ହେବାରେ ସାହାଯ୍ୟ କରିଥାଏ। ସେହିପରି ଦନ୍ତକ୍ଷୟ ରୋକିବା ଲାଗି ଏଥିରେ ‘ସୋଡିଅମ୍ ସାକାରିନ୍’ ନାମକ ପେଟ୍ରୋଲ୍ ଉତ୍ପାଦ ମଧ୍ୟ ମିଶାଯାଇଥାଏ।
ଆମେ ବ୍ୟବହାର କରୁଥିବା ଅତରରେ ‘ଆଇସୋ ଇ ସୁପର୍’ ନାମକ ଏକ ପେଟ୍ରୋଲ ଉତ୍ପାଦ ମିଶିଥାଏ, ଯାହା ସୁବାସ ପ୍ରଦାନ କରିଥାଏ। ସେହିପରି ଅତରରେ ମିଶିଥିବା ‘ଗାଲାକ୍ସୋଲାଇଡ୍’ ନାମକ ଅନ୍ୟତମ ପେଟ୍ରୋଲ ଉତ୍ପାଦ ତାହାକୁ ଦୀର୍ଘସ୍ଥାୟୀ କରିଥାଏ। ବିଭିନ୍ନ ପ୍ରକାର ରଙ୍ଗରେ ପେଟ୍ରୋଲିଅମ୍‌ରୁ ଉଦ୍ଧୃତ ବିଭିନ୍ନ କିସମର ପ୍ଲାଷ୍ଟିକ ପଲିମର ମିଶାଯାଏ, ଯଦ୍ଦ୍ବାରା ତାହା ଜଳପ୍ରତିରୋଧୀ ହେବା ସହ ଦୀର୍ଘସ୍ଥାୟୀ ହୋଇଥାଏ।

ଅନେକ ଔଷଧର ବହୁବିଧ ଉପାଦାନକୁ ଏକାଠି ଗିଳିବାକୁ ସୁବିଧାଜନକ କରିବା ପାଇଁ ତାହାକୁ ଗୋଟିଏ କ୍ୟାପସୁଲ ଆକାରରେ ଖୋଳ ଭିତରେ ସୁରକ୍ଷିତ କରି ରଖାଯାଇଥାଏ। ସେହି କ୍ୟାପସୁଲର ଖୋଳ ମଧ୍ୟ ଏକ ପେଟ୍ରୋଲ ଉତ୍ପାଦ। ଓଠ ବା ତ୍ବଚାକୁ ଚିକ୍କଣ ରଖିବା ଲାଗି ଆମେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର କ୍ରିମରେ ‘ପେଟ୍ରୋଲିଅମ୍‌ ଜେଲି’ ମିଶିଥାଏ। ବିଭିନ୍ନ ପ୍ରକାର ଆଇସ୍‌କ୍ରିମ୍‌କୁ ସ୍ବାଦଯୁକ୍ତ କରିବା ପାଇଁ ପେଟ୍ରୋଲିଅମ୍‌ରୁ ଉଦ୍ଧୃତ ସିନ୍ଥେଟିକ୍ ତୈଳ ବ୍ୟବହାର କରାଯାଇଥାଏ। ଆମେ ବ୍ୟବହାର କରୁଥିବା ସେଭିଂ କ୍ରିମ୍‌ରେ ମଧ୍ୟ ‘ଆଇସୋପେଣ୍ଟେନ୍’ ନାମକ ପେଟ୍ରୋଲିଅମ୍‌ ଉତ୍ପାଦ ମିଶିଥାଏ,ଯାହା ଏକ ତୈଳ ଭାବରେ ଲୋମକୁ ଠିଆ କରାଇବାରେ ସାହାଯ୍ୟ କରିଥାଏ, ଯଦ୍ଦ୍ବାରା ଦାଢ଼ି କାଟିବା ସହଜ ହୋଇଥାଏ।