ପ୍ରଦୂଷିତ ବାୟୁ ବା ଉଚ୍ଚ-ସ୍ତରୀୟ କଣିକା ପଦାର୍ଥ (ପାର୍ଟିକୁଲେଟ୍‌ ମ୍ୟାଟର୍‌ ବା ପିଏମ୍‌)ଯୁକ୍ତ ବାୟୁ ସଂସ୍ପର୍ଶରେ ସଂକ୍ଷିପ୍ତ ସମୟ ପାଇଁ ଆସିଲେ ମଧ୍ୟ ଜଣେ ବ୍ୟକ୍ତିର ଏକାଗ୍ରତା ବା ଧ୍ୟାନରେ ହ୍ରାସ ଘଟିଥାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାଯାଇଛି। ଏପରିକି ସେଥିଯୋଗୁଁ ସାମାଜିକ ଭାବରେ ଗ୍ରହଣୀୟ ଆଚରଣ ପ୍ରଦର୍ଶନର କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ ବୋଲି ବର୍ମିଂହାମ୍‌ ବିଶ୍ବବିଦ୍ୟାଳୟ ଓ ମାଞ୍ଚେଷ୍ଟର୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଚିନ୍ତା ପ୍ରକଟ କରିଛନ୍ତି। 

Advertisment

ସୂଚନାଯୋଗ୍ୟ, ମାନବ ସ୍ବାସ୍ଥ୍ୟ ପାଇଁ ପିଏମ୍‌୨.୫ ହେଉଛି ସର୍ବାଧିକ ବିପଜ୍ଜନକ। ୨୦୧୫ ମସିହାରେ କେବଳ ଏହି ଆକାରର କଣିକା ଯୋଗୁଁ ବିଶ୍ବବ୍ୟାୟୀ ପ୍ରାୟ ୪୨ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ବିଶ୍ବ ସଂଗଠନର ସୂଚନା ଅନୁଯାୟୀ, ପ୍ରଦୂଷିତ ବାୟୁ ଯୋଗୁଁ ବିଶ୍ବରେ ବାର୍ଷିକ ୬୭ ଲକ୍ଷ ଅକାଳ ମୃତ୍ୟୁ ଘଟୁଛି। ଏଥିସହିତ ଏହା ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହ ମଲ୍‌ଟିପଲ୍‌ ସିରୋସିସ୍‌, ଅଲ୍‌ଝାଇମର୍ସ ଓ ପାର୍କିନ୍‌ସନ୍‌ସ ରୋଗ ସହ ଜଡ଼ିତ। ବାୟୁମଣ୍ଡଳରେ ଭାସି ବୁଲୁଥିବା ଏହି କଣିକାଗୁଡ଼ିକ ସଂସ୍ପର୍ଶରେ ଖୁବ୍‌ କମ୍‌ ସମୟ ଆସିଲେ ମଧ୍ୟ ତାହାଦ୍ବାରା ଲୋକଙ୍କର ଭାବନା ପ୍ରକାଶ କରିବା ଅଥବା କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତା ହ୍ରାସ ପାଇପାରେ। ଗବେଷକମନେ ସେମାନଙ୍କ ନିରୀକ୍ଷଣରେ ସାମିଲ କରିଥିବା ଅଂଶଗ୍ରହଣକାରୀମାନଙ୍କୁ ମହମବତି ଧୂଆଁ ସମ୍ବଳିତ ଉଚ୍ଚ ପ୍ରଦୂଷିତ ବାୟୁ ପରିବେଶରେ ରଖି ତାହାର ୪ ଘଣ୍ଟା ପରେ ସେମାନଙ୍କର ଜ୍ଞାନାତ୍ମକ ଦକ୍ଷତା ପରୀକ୍ଷା କରିଥିଲେ। ଏଥିରେ ସେମାନଙ୍କର ସ୍ମୃତିଶକ୍ତି, ଏକାଗ୍ରତା, ଆବେଗ ବାରିବା ଶକ୍ତି, ମନସ୍ତାତ୍ତ୍ବିକ ଚଞ୍ଚଳତାର ବେଗ, ନିରନ୍ତର ଧ୍ୟାନର ସ୍ତର ଆଦି ମପାଯାଇଥିଲା। ସାମୟିକ ପ୍ରଦୂଷଣ ସେମାନଙ୍କର ଏକାଗ୍ରତା ଓ ଆବେଗ ବାରିବା ଶକ୍ତି ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଇଥିବା ସେଥିରୁ ସ୍ପଷ୍ଟ ହୋଇଥିଲା।

ସମାଜ ଭିତରେ ମାନବୀୟ ଭାବ ଆଦାନପ୍ରଦାନ ଉପରେ ପ୍ରଦୂଷଣର ପ୍ରଭାବ ବାବଦରେ ଏକ ଭିନ୍ନ ଅନ୍ତର୍ଦୃଷ୍ଟି ପକାଇ ଗବେଷକମାନେ କହିଛନ୍ତି ଯେ ନିମ୍ନ ଗୁଣବତ୍ତାର ବାୟୁ ବୌଦ୍ଧିକ ବିକାଶ ଓ କାର୍ଯ୍ୟ ଉତ୍ପାଦକତାକୁ ଦୁର୍ବଳ କରିଥାଏ, ଯାହା ଜ୍ଞାନାତ୍ମକ ଉତ୍କର୍ଷ ଉପରେ ନିର୍ଭରଶୀଳ ଉଚ୍ଚ ପ୍ରଯୁକ୍ତିବିଦ୍ୟାସଂପନ୍ନ ବିଶ୍ବରେ ଗୁରୁତର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ପକାଇଥାଏ। ସେହିପରି କମ୍‌ ଉତ୍ପାଦକତା ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ପ୍ରଭାବିତ କରେ।