ସମ୍ପ୍ରତି ବିଳାସୀ ପର୍ଯ୍ୟଟକମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଷ୍ଟ୍ରରେ ସଂଖ୍ୟାଧିକ ବିଳାସପୂର୍ଣ୍ଣ ଯାତ୍ରୀବାହୀ ଜଳଜାହାଜକୁ ପ୍ରୋତ୍ସାହିତ କରାଯାଉଛି। ତେବେ ସେଭଳି ଜାହାଜରୁ ନିର୍ଗତ ପ୍ରଦୂଷଣ ପରିବେଶ ଉପରେ ଭୀଷଣ ନକାରାତ୍ମକ ପ୍ରଭାବ ପକାଉଛି। ଏହାକୁ ଦୃଷ୍ଟିରେ ରଖି ନରୱେର ଓସଲୋ ସ୍ଥିତ ପର୍ଯ୍ୟଟନ ଓ ଯାତ୍ରୀ ପରିବହନ କମ୍ପାନି ‘ହର୍ଟିଗ୍ରୁଟେନ୍’ ଏକ ଅଭିନବ ଜାହାଜର ପରିକଳ୍ପନା କରିଛି। ୨୦୩୦ ସୁଦ୍ଧା ଏହା ନରୱେ ଉପକୂଳରେ ଏକ ପ୍ରଦୂଷଣ ରହିତ ଜାହାଜ ଚଳାଚଳ ପାଇଁ ‘ସି ଜିରୋ’ ନାମକ ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରିଛି। ୟୁରୋପର ପ୍ରଖ୍ୟାତ ବୈଷୟିକ ଗବେଷଣା ପ୍ରତିଷ୍ଠାନ ‘ସିନ୍ଟେଫ’ର ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି ପ୍ରଦୂଷଣମୁକ୍ତ ଜାହାଜଟି ସଂପୂର୍ଣ୍ଣ ଭାବରେ ବ୍ୟାଟେରି ଚାଳିତ ହେବ ବୋଲି ଜଣାଯାଇଛି।
ପ୍ରସ୍ତାବିତ ୧୩୫ ମିଟର ବା ୪୪୩ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଏହି ଜାହାଜରେ ୫୦୦ ଜଣ ଯାତ୍ରୀ ଓ ୯୯ ଜଣ କର୍ମଚାରୀଙ୍କ ପାଇଁ ୨୭୦ଟି କ୍ୟାବିନ୍ର ବ୍ୟବସ୍ଥା ରହିବ। ଏହି ଜାହାଜରେ କୃତ୍ରିମ ବୁଦ୍ଧିମତ୍ତା, ପବନ କଳ ଓ ସୌର ପ୍ୟାନେଲ ପରି ଏକାଧିକ ବୈଶିଷ୍ଟ୍ୟ ରହିବ ଯାହା ପାରମ୍ପରିକ ପର୍ଯ୍ୟଟନ ଜାହାଜରେ ନଥାଏ। ଜାହାଜଟି ବନ୍ଦରରେ ଥିଲା ବେଳେ ଏହାର ମୁଖ୍ୟ ଶକ୍ତି ଉତ୍ସ ୬୦ ମେଗାୱାଟଆୱାର କ୍ଷମତାସମ୍ପନ୍ନ ବ୍ୟାଟେରିକୁ ଚାର୍ଜ କରାଯିବ। ଏଥିରେ ଖଚିତ ପବନ କଳ ଓ ସୌର ପ୍ୟାନେଲରୁ ଅତିରିକ୍ତ ସବୁଜ ଶକ୍ତି ଯୋଗାଣ ହେବ ଯଦ୍ଦ୍ବାରା ଜାହାଜଟି କୌଣସି ପ୍ରଦୂଷଣ ସୃଷ୍ଟି ନ କରି ଚଳାଚଳ କରିପାରିବ।