୧୩୪ ବର୍ଷର ଦଳ। ମାତ୍ର ଆଜି ଜାତୀୟସ୍ତରରେ ନେତୃତ୍ବ ନେବାକୁ ଯୋଗ୍ୟ ନେତାଟିଏ ଖୋଜି ପାଉନାହିଁ। ଯେତେବେଳେ ସାରା ଦେଶ ପରିବାରବାଦରୁ ମୁକ୍ତ ହେବା ପାଇଁ କଂଗ୍ରେସକୁ ଆହ୍ବାନ କରୁଛି, ସେତେବେଳେ ପୁଣିଥରେ ସୋନିଆ ଗାନ୍ଧୀଙ୍କ ପଣତ ତଳେ ମୁହଁ ଛପା ଦେଇ ମୋଦୀଙ୍କୁ ମୁକାବିଲା କରିବାକୁ ସ୍ବପ୍ନ ଦେଖୁଛନ୍ତି କଂଗ୍ରେସ ନେତୃବୃନ୍ଦ।
ଗତ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ରାହୁଲ ଗାନ୍ଧୀ ପରିବାର ବାହାରୁ ଜଣେ ନେତାଙ୍କୁ ଅଧ୍ୟକ୍ଷ ବାଛିବା ପାଇଁ ବାଟ ଫିଟାଇଥିଲେ। ଏପରିକି ପ୍ରାୟ ତିନି ମାସ ହେଲା ଦଳୀୟ ନେତାଙ୍କୁ ଧରାଛୁଆଁ ଦେଉ ନ ଥିଲେ। ଆଜି ରାତିରେ ବିଜେପିର ବିକଳ୍ପ ଖୋଜୁଥିବା ଲୋକଙ୍କ ଭିତରେ ବିଶ୍ବାସ ଜନ୍ମାଇବା ସହ କଂଗ୍ରେସକୁ ନୂଆ ଦିଶା ଦେବା ପାଇଁ କଂଗ୍ରେସ ନେତୃବୃନ୍ଦଙ୍କ ନିକଟରେ ଗୋଟିଏ ବିରାଟ ସୁଯୋଗ ଥିଲା। ମାତ୍ର ସେମାନେ ବର୍ଷ ବର୍ଷର ଭୃତ୍ୟସୁଲଭ ଆନୁଗତ୍ୟରୁ ମୁକ୍ତ ହୋଇ ପାରି ନ ଥିଲେ। ସିଡବ୍ଲ୍ୟୁସି ବୈଠକରେ ସମସ୍ତେ ରାହୁଲଙ୍କୁ ପୁଣିଥରେ ଅଧ୍ୟକ୍ଷ ହେବାକୁ ସର୍ବସମ୍ମତ ପ୍ରସ୍ତାବ ଆଣିଲେ। ରାହୁଲ ତାଙ୍କ ନିଷ୍ପତ୍ତିରେ ଅଟଳ ରହିବାରୁ ପ୍ରିୟଙ୍କାଙ୍କ ନାଁ ବି ଉଠିଲା। ଆଉ ଶେଷରେ ସୋନିଆଙ୍କ ନାଁରେ ମୋହର ମରାହେଲା।
ବହୁଦିନ ତଳେ କେହି ଜଣେ ସତ କହିଥିଲେ : ‘‘ରାହୁଲ ହେଉଛନ୍ତି ମୋଦୀଙ୍କର ସବଠାରୁ ବଡ଼ ରାଜନୈତିକ ସମ୍ପଦ। ଯେତେଦିନ ଯାଏ, ରାହୁଲ( ବା ଗାନ୍ଧୀ ପରିବାରର କେହି) କଂଗ୍ରେସର ନେତୃତ୍ବ ନେଉଥିବେ, ସେତେଦିନ ଯାଏ ମୋଦୀ ବିଜୟୀ ହେଉଥିବେ। ’’ ଆଜି ରାତିରେ କଂଗ୍ରେସ ୱାର୍କିଂ କମିଟି ବୈଠକରେ ନିଷ୍ପତ୍ତି ପରେ ମୋଦୀ ଅଧିକ ନିଶ୍ଚିନ୍ତ ହୋଇ ନିଦ୍ରା ଯାଇଥିବେ, ଏଥିରେ ସନ୍ଦେହ ନାହିଁ।
ରାହୁଲଙ୍କ ବାମନ ବ୍ୟକ୍ତିତ୍ବ ସହ ତୁଳନା କଲାବେଳେ ଲୋକେ ମୋଦୀଙ୍କୁ ଜଣେ ଅସାଧାରଣ ଜନନେତା ବୋଲି ମନେ କରୁଛନ୍ତି। ମୋଦୀଙ୍କ ଶାସନରେ ଅର୍ଥନୀତିର ପଛୁଆ ଗତି, ଉଦ୍ବେଗଜନକ ଭାବେ ବଢ଼ୁଥିବା ବେକାରୀ, ଗୋରକ୍ଷା ନାଁରେ ଭିଡ଼ହିଂସା ଓ ସାମ୍ପ୍ରଦାୟିକ ଉତ୍ତେଜନା ଭଳି ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ଓ ବିଫଳତା ସତ୍ତ୍ବେ ଆଉ ବିକଳ୍ପ ନାହିଁ କହି ଲୋକେ ବିଜେପିକୁ ହିଁ ବାଧ୍ୟ ହୋଇ ଭୋଟ ଦେଉଛନ୍ତି।
ମୋତେ ଲାଗୁଛି, ରାଜନୈତିକ ଦୂରଦୃଷ୍ଟିହୀନତା ଓ ଅନ୍ଧ ଆନୁଗତ୍ୟ ପାଇଁ ଚିନ୍ତା ଓ ଚେତନାରେ ମଧ୍ୟ କଂଗ୍ରେସ ବୁଢ଼ା ହୋଇଗଲାଣି। ଆଉ ଏହାର ସୁଯୋଗ ନେଇ କଂଗ୍ରେସମୁକ୍ତ ଭାରତର ସ୍ବପ୍ନ ଦେଖୁଥିବା ବିଜେପି ଦେଶରେ ଏକଛତ୍ରବାଦର ଯେଉଁ ମଞ୍ଜି ବୁଣୁଛି, ତାହା କ୍ରମଶଃ ରାଜନୀତି ପୋଖରୀରେ ‘ବିଲାତି ଦଳ’ ଭଳି ମାଡ଼ି ଚାଲିଛି। ଏବେ ଏକ ସାଂଘାତିକ ବିଚାର ସଂକଟ ଭିତରେ ଗତି କରୁଥିବା ଏଭଳି ବିକଳ୍ପବିହୀନ ରାଜନୀତି ଭାରତୀୟ ଗଣତନ୍ତ୍ରର ଅବଶିଷ୍ଟ ଅମ୍ଳଜାନକୁ ଶୋଷି ନେଇ ଅନେକ ଦିନ ପର୍ଯ୍ୟନ୍ତ ଶକ୍ତିହୀନ କରିଦେବ, ଏହା ଜଳଜଳ ଦେଖାଯାଉଛି।