ବିଚରା ମହାକାଶଚାରୀ!

ମହାକାଶରେ ସ୍ଥାପିତ ମହାକାଶକେନ୍ଦ୍ରକୁ ବିଭିନ୍ନ ସମୟରେ ମହାକାଶଚାରୀମାନେ ଯାଇ ସେଠାରେ ନାନା ପରୀକ୍ଷା ନିରୀକ୍ଷା ଚଳାଇ ପୁଣି ଭୂପୃଷ୍ଠକୁ ଫେରି ଆସିଥା’ନ୍ତି। ମାତ୍ର ସେଠି ସେମାନଙ୍କ ରହଣି କାଳ ମଧ୍ୟରେ ମାଧ୍ୟାକର୍ଷଣ ବଳର ଅଭାବ ଯୋଗୁଁ ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରିକି ଭୂପୃଷ୍ଠରେ ସେମାନେ କରୁଥିବା ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ମଧ୍ୟ ସେଠାରେ ଠିକ୍‌ରେ ସମ୍ପାଦିତ ହୋଇପାରିନଥାଏ। ଅବଶ୍ୟ ଏ ପ୍ରକାର ଅହେତୁକ ପରିବର୍ତ୍ତନ ସହ ଖାପ ଖୁଆଇ ଚଳିବା ପାଇଁ ସେମାନଙ୍କୁ ମହାକାଶ ଯାତ୍ରା ପୂର୍ବରୁ ପ୍ରଭୂତ ତାଲିମ ନେବାକୁ ପଡ଼ିଥାଏ। ତେବେ ମହାକାଶରେ ସେମାନେ କରିପାରୁନଥିବା କିଛି ସାଧାରଣ କାର୍ଯ୍ୟ ସମ୍ପର୍କରେ ଜାଣିବା ହେଉ। ସେମାନେ ସେଠାରେ ସ୍ବାଭାବିକ ଭାବେ କାନ୍ଦି ପାରନ୍ତି ନାହିଁ। ଭାବାବେଗ ଯୋଗୁଁ ଆଖିରେ ଲୁହ ସୃଷ୍ଟି ହେଲେ ବି ମାଧ୍ୟାକର୍ଷଣ ବଳ ଅଭାବରୁ ତାହା ଆଖିରୁ ଝରି ପଡ଼େନାହିଁ। ସ୍ଫଟିକ ବିନ୍ଦୁ ପରି ତାହା ଆଖି କୋଣରେ ଲାଖି ରହେ। ସେଠି ସେମାନେ ପାଉଁରୁଟି, ଲୁଣ ଓ ସୋଡ଼ା ପରି ଲୋକପ୍ରିୟ ଖାଦ୍ୟପଦାର୍ଥ ଖାଇପାରନ୍ତି ନାହିଁ। କାରଣ ସେଥିରୁ ଝଡୁଥିବା ଗୁଣ୍ଡ କି ଟୁକୁଡ଼ାଗୁଡ଼ିକ ତଳେ ନପଡ଼ି ଭାସମାନ ଅବସ୍ଥାରେ ଏଣେ ତେଣେ ବୁଲି ମହାକାଶଚାରୀଙ୍କ ଆଖି ବା ନାକରେ ପଶି କ୍ଷତି ପହଞ୍ଚାଇବା ସହ ଅନ୍ୟାନ୍ୟ ଯନ୍ତ୍ରାଂଶର ମଧ୍ୟ କ୍ଷତି ଘଟାଇପାରେ।

ସେଠି ସେମାନେ କଲମରେ ଲେଖି ପାରନ୍ତି ନାହିଁ। କାରଣ କଲମକୁ ତଳମୁହାଁ କରି ଲେଖିଲା ବେଳକୁ ସେଥିରୁ କାଳି ଝରେ ନାହିଁ। ତେଣୁ ପେନ୍‌ସିଲ୍‌ ହିଁ ଲେଖା କାମ ତୁଲାଇଥାଏ। ଅବଶ୍ୟ ଏବେ ସେମାନଙ୍କ ପାଇଁ ସ୍ବତନ୍ତ୍ର କଲମ ବିକଶିତ କରାଯାଇଛି। ସୂର୍ଯ୍ୟାସ୍ତ କି ସୂର୍ଯ୍ୟୋଦୟ ସହ ତାଳ ଦେଇ ସେମାନେ ଶୋଇପାରନ୍ତି ନାହିଁ। କାରଣ ମହାକାଶ କେନ୍ଦ୍ରରେ ସେମାନେ ଦିନକୁ (୨୪ ଘଣ୍ଟାରେ) ୧୬ ଥର ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟର ସମ୍ମୁଖୀନ ହୋଇଥା’ନ୍ତି। ସେହିପରି ସେମାନଙ୍କର ସ୍ବାଦଶକ୍ତି କମିଯାଇଥାଏ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସେଠାରେ ଶୌଚାଳୟ ଯିବା ଭାରୀ କଷ୍ଟକର।

ସମ୍ବନ୍ଧିତ ଖବର