୫ ହଜାର ଟଙ୍କିଆ ପର୍ସକୁ ‘ଲକ୍ଜରି’ କହି ଟ୍ରୋଲ୍ ହେଲେ ଗରିବ ଝିଅ; କାନ୍ଦି କାନ୍ଦି ଭିଡିଓ ପୋଷ୍ଟ୍ କରିବା ପରେ ଏବେ କୋଟିପତି
ନୂଆଦିଲ୍ଳୀ: ଜୋ ଗ୍ରୋବିୟାଲ୍ ମହଜଙ୍କ ନାମ ଆପଣ ଶୁଣିଥିବେ ହୁଏତ। ମାତ୍ର ୧୭ ବର୍ଷ ବୟସରେ ସେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ଆପଣ ଜାଣନ୍ତି କି ଜାନୁଆରିରେ ତାଙ୍କର ଗୋଟିଏ ଭିଡିଓ ଭାଇରାଲ୍ ହେବା ପରେ ହିଁ ସେ ରାତାରାତି ତାରକା ପାଲଟି ଯାଇଛନ୍ତି। ତାଙ୍କ ଭିଡିଓକୁ କୋଟି କୋଟି ଲୋକ ଦେଖିବା ପରେ ସେ ଗରିବରୁ ଏକାଥରକେ କୋଟିପତି ପାଲଟି ଯାଇଛନ୍ତି।
ଘଟଣାଟି ହେଉଛି, ଜୋଙ୍କୁ ତାଙ୍କ ବାପା କିଣି ଦେଇଥିବା ଏକ ୫ ହଜାର ଟଙ୍କିଆ ପର୍ସକୁ ସେ ବିଳାସପୂର୍ଣ୍ଣ ବା ‘ଲକ୍ଜରି’ ଉପହାର ବୋଲି ସୋସିଆଲ୍ ମିଡିଆରେ କହିଥିଲେ। ଏହି କାରଣରୁ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। ଟ୍ରୋଲ୍ରମାନଙ୍କ କଥାରେ ସେ ଅପମାନିତ ଅନୁଭବ କରିବା ପରେ କାନ୍ଦି କାନ୍ଦି ଏକ ଭିଡିଓ ପୋଷ୍ଟ କରିଥିଲେ ଜୋ। ଏହି ଭିଡିଓଟି ଶୀଘ୍ର ଭାଇରାଲ୍ ହେବାରେ ଲାଗିଲା ଓ ଏହି ଗୋଟିଏ ଭିଡିଓ ହିଁ ଜୋଙ୍କ ଭାଗ୍ୟ ବଦଳାଇ ଦେଲା।
ଜୋଙ୍କ ଭିଡିଓ ଦେଖିିବା ପରେ ଜଣାଶୁଣା ପର୍ସ କମ୍ପାନି ‘ଚାର୍ଲ୍ସ ଆଣ୍ଡ କିଟ୍’ ଜୋଙ୍କ ସହ ଯୋଗାଯୋଗ କରିଥିଲା। କମ୍ପାନି ତାଙ୍କର ୫୦୦୦ ଟଙ୍କିଆ କିଛି ବ୍ୟାଗକୁ ପ୍ରଥମ ବିଳାସପୂର୍ଣ୍ଣ ପର୍ସ ବୋଲି ଘୋଷଣା କରିଥିଲା। କେବଳ ସେତିକି ନୁହେଁ, ‘ଚାର୍ଲ୍ସ ଆଣ୍ଡ କିଟ୍’ ଜୋଙ୍କୁ କମ୍ପାନିର ବ୍ରାଣ୍ଡ ଆମ୍ବାସଡର କରିବା ସହ ମଡେଲ ଭାବେ ବି ନିଯୁକ୍ତି ଦେଇଥିଲ। ଯାହାକି ଜୋଙ୍କ ପାଇଁ ଥିଲା ଏକ ବଡ଼ ସଫଳତା।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜୋଙ୍କ ପର୍ସ ଉପରେ ମତ ରଖି ଜଣେ ବ୍ୟବହାରକାରୀ ଲେଖିଥିଲେ, ‘ଏହି ଝିଅକୁ କିଏ ବୁଝଇବ ଯେ ଏହି ପର୍ସ ଆଦୌ ବି ‘ଲକ୍ଜରି’ ପର୍ସ ନୁହେଁ।’ ଏହାର ଉତ୍ତରରେ ଜୋ କହିଥିଲେ, ‘ମୋର ସେତେ ଟଙ୍କା ନାହିଁ। ମୋର ପରିବାର ଲୋକଙ୍କ ପାଖରେ ବି ନାହିଁ। ଆମେ ରୁଟି ପରି ଅତି ସାଧାରଣ ଜିନିଷ ମଧ୍ୟ କିଣି ପାରୁନା। ଆପଣଙ୍କ ମନ୍ତବ୍ୟ ଲାଗୁଛି ଆପଣ କେତେ ଅଜ୍ଞ। ୫୦୦୦ ଟଙ୍କାର ଏକ ବ୍ୟାଗ୍ ଆପଣଙ୍କ ପାଇଁ ବିଳାସପୂର୍ଣ୍ଣ ହୋଇନପାରେ। କିନ୍ତୁ ଏହା ମୋ ପାଇଁ ଏବଂ ମୋ ପରିବାର ପାଇଁ ବହୁତ। ମୁଁ ବହୁତ ଭାଗ୍ୟବାନ ଯେ ମୋ ବାପା ମୋ ପାଇଁ ଏହି ପର୍ସ ଆଣି ପାରିଛନ୍ତି। ଏତିକି ଟଙ୍କା ପାଇଁ ମୋ ବାପାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି।’
ତାଙ୍କର ଭାବପ୍ରବଣ ଭିଡିଓ ପୋଷ୍ଟ କରିବାର ଦୁଇ ମାସ ପରେ ତାଙ୍କୁ ‘ଚାର୍ଲ୍ସ ଆଣ୍ଡ କିଟ୍’ କମ୍ପାନି ଯୋଗାଯୋଗ କରିଥିଲା। ବର୍ତ୍ତମାନ ସେ ଏହାର ମଡେଲ୍ ଏବଂ ବ୍ରାଣ୍ଡ୍ ଆମ୍ବାସଡର ମଧ୍ୟ।