୩ ଟ୍ରେନ୍ ଚାଳକଙ୍କ ଅଭୂଲା କାହାଣୀ: ଯେଉଁମାନେ ଉପସ୍ଥିତ ବୁଦ୍ଧି ବଳରେ ଟାଳିଥିଲେ ଦୁର୍ଘଟଣା,ବଞ୍ଚାଇ ଥିଲେ ଶହା ଶହ ଯାତ୍ରୀଙ୍କ ଜୀବନ
କୌଣସି ବି ଷ୍ଟେସନରୁ ଟ୍ରେନ୍ ବାହାରିବା ପୂର୍ବରୁ ଘୋଷଣା କରାଯାଏ କି ଆମେ ଯାତ୍ରୀଙ୍କର ଯାତ୍ରା ସୁଖମୟ ଏବଂ ସଫଳ ହେଉ ବୋଲି କାମନା କରୁଛୁ । ଆପଣମାନେ କେବେ ଭାବିଛନ୍ତି କି ଆପଣଙ୍କ ଯାତ୍ରାକୁ ସଫଳ କରିବାରେ ସବୁଠାରୁ ବଡ଼ ହାତ କାହାର ଥାଏ ? ଆଜ୍ଞା ହଁ, ସେ ହେଉଛନ୍ତି ଟ୍ରେନ୍ ଚାଳକ । କେଉଁ ସବୁ ପରିସ୍ଥିତିର ସାମ୍ନା କରି ସେମାନେ ଆପଣଙ୍କ ଯାତ୍ରାକୁ ସୁରକ୍ଷିତ ଏବଂ ସଫଳ କରିଥାନ୍ତି ସେ ବିଷୟରେ ଆପଣ କେବେ ଭାବିଛନ୍ତି କି? ଟ୍ରେନ୍ ଚାଳକ ଦୀର୍ଘ ୮ଘଣ୍ଟା ଧରି ରେଳ ଧାରଣାକୁ ଚିଲ ଭଳି ଚାହିଁ ରହିବା ସହ କୌଣସି ଦୁର୍ଘଟଣା ଯେମିତି ନ ଘଟୁ ସେ ନେଇ ପ୍ରୟାସ କରିଥାନ୍ତି । ତେବେ ଏ ନେଇ ନିଜର ସ୍ମୃତି ବଖାଣିଛନ୍ତି ୩ ଜଣ ଲୋକ ପାଇଲଟ । କିଭଳି ସେମାନେ ଟ୍ରେନ ଚଳାଇବା ବେଳେ ଆସୁଥିବା ବିପଦକୁ ଟାଳିଥିଲେ ସେ ବିଷୟରେ ଜଣାଇଛନ୍ତି ।
୧.ମଖନ୍ଲାଲ୍ ମିଣା : ମୁଁ ଜୟପୁର ପାସେଞ୍ଜର ଟ୍ରେନ୍ ନେଇ ଯାଉଥିବା ବେଳେ ଗାନ୍ଧିନଗର ଷ୍ଟେସନର ୧୫୦ମିଟର ଦୂରରେ ରେଳ ଧାରଣା ଉପରେ ଅତି ଉଚ୍ଚର ଅଳିଆ ଗଦା ଥିବା ଦେଖିଥିଲି । ସେତେବେଳେ ଘଣ୍ଟାକୁ ୫୦କିଲୋମିଟର ବେଗରେ ଟ୍ରେନ୍ ଗତି କରୁଥିଲା । ଏହା ଦେଖି ପ୍ରଥମେ ମୁଁ ଡ଼ରି ଯାଇଥିବା ବେଳେ ପରେ ଟ୍ରେନ୍ର ବ୍ରେକ୍ ଦବାଇଥିଲି । ଟ୍ରେନ୍ଟି ଅଳିଆ ଗଦାଠାରୁ ୫ମିଟର ଦୂରରେ ଯାଇ ଅଟକି ଥିଲା । ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
୨.ମହେଶ ଚନ୍ଦ୍ର : ଜୟପୁରର ଫୁଲେରାରେ ରହୁଥିବା ମହେଶ ଜୟପୁରରୁ ଟ୍ରେନ ନେଇ ବାହାରିଥିଲେ । ଏହି ସମୟରେ ପୁଲିଙ୍ଗ ପଏଣ୍ଟରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗି ଯାଇଥିବା ସେ ଦେଖିବାକୁ ପାଇଥିଲେ। ପାଖରେ ଡ଼ିଜେଲ ଟ୍ୟାଙ୍କର ଥିବା ଏକ ଟ୍ରେନ୍ ଠିଆ ହୋଇଥିଲା । ନିଆଁ ଲାଗିଥିବା ଗାଡ଼ିରେ ପାଖାପାଖି ୮୦୦ରୁ ଅଧିକ ଲୋକ ଯାତ୍ରା କରୁଥିଲେ । ଏହାର ସୂଚନା ମୁଁ ଷ୍ଟେସନ ମାଷ୍ଟରଙ୍କୁ ଦେବା ପରେ ଅନ୍ୟ ଇଞ୍ଜିନ ସାହାଯ୍ୟରେ ନିଆଁ ଲାଗିଥିବା ବଗିକୁ ପୁଲିଙ୍ଗ ପଏଣ୍ଟରୁ ଦୂରକୁ ନିଆ ଯାଇଥିଲା । ଯାହା ଦ୍ୱାରା ଏକ ବଡ଼ ଦୁର୍ଘଟଣା ହେବାରୁ ଲୋକମାନେ ବର୍ତ୍ତି ଯାଇଥିଲେ । ମୋର ଏହି କାମ ପାଇଁ ମୋତେ ଜିଏମ୍ଙ୍କ ତରଫରୁ ସମ୍ମାନିତ କରାଯାଇଥିଲା ।
୩.ସୋମବୀର : ଜୁଲାଇ ମାସରେ ଏକ ମାଲବାହୀ ଟ୍ରେନ ନେଇ ମୁଁ ମର୍ଓ୍ଵାଡ଼ା ଯାଉଥିଲି । କିଶନଗଞ୍ଜ ଷ୍ଟେସନ ଆଗରେ ସିଗ୍ନାଲ ଗ୍ରୀନ୍ ଥିଲା । କିନ୍ତୁ ଅଣ୍ଡରପାସ୍ରୁ ଯେମିତି ଟ୍ରେନର ଇଞ୍ଜିନ ବାହାରି ଥିଲା ସଙ୍ଗେ ସଙ୍ଗେ ପୋଲ ଦବି ଯିବା ସହ ଟ୍ରେନକୁ ଝଟକା ଲାଗିଥିଲା । ଟ୍ରେନର ପଛ ବଗି ଗୁଡ଼ିକ ହଲିବାକୁ ଲାଗିଥିଲା । ଯାହା ଫଳରେ ତୁରନ୍ତ ମୁଁ ଟ୍ରେନକୁ ଅଟକାଇଥିଲି । ଷ୍ଟେସନ ମାଷ୍ଟର ଏହାକୁ ଜାଣି ପାରି ପଛରୁ ଆସୁଥିବା ଯାତ୍ରୀବାହୀ ଟ୍ରେନକୁ ରୋକି ଦେଇଥିଲେ ।