ବେଲୁନ୍‌ରେ ଡାକ-ସେବା

ଏକଦା ଯୁଦ୍ଧକାଳୀନ ପରିସ୍ଥିତିରେ ଫ୍ରାନ୍‌ସରେ ବେଲୁନ୍‌ ଦ୍ବାରା ଡାକ-ସେବା ଯୋଗାଯାଉଥିବାର ନଜିର ରହିଛି। ୧୮୭୦ର କଥା। ସେତେ ବେଳେ ତତ୍‌କାଳୀନ ପ୍ରୁସିଆ, ଫ୍ରାନ୍‌ସର ବ୍ୟାପକ ଅଞ୍ଚଳକୁ ଅଧିକାର କରିଥାଏ। ଚାରିଆଡ଼େ ଚାଲିଥାଏ ଘମାଘୋଟ ଲଢ଼େଇ। ସର୍ବସାଧାରଣଙ୍କ ସକାଶେ ଉଦ୍ଦିଷ୍ଟ ବିଭିନ୍ନ ଜରୁରି ସେବାମାନ କିପରି ବ୍ୟାହତ ନ ହେବ, ସେଥି ପ୍ରତି ଫରାସୀ ସରକାର ଦୃଷ୍ଟି ରଖିଥା’ନ୍ତି। ସହର-ସହର ମଧ୍ୟରେ ଡାକ-ସେବା ଚାଲୁରଖିବା ପାଇଁ ସେତେ ବେଳେ ବେଲୁନ୍‌ ବ୍ୟବହାର କରାଯାଉଥିଲା। ତେବେ, ପ୍ରୁସିଆନ୍‌ମାନେ ବେଲୁନ୍‌ଗୁଡ଼ିକୁ ଗୁଳି କରିବାରୁ, କେବଳ ରାତିର ଅନ୍ଧକାରରେ ଡାକ-ସେବା ଚାଲୁଥିଲା।

ଦିନେ ଦୁଇ ଜଣ କର୍ମଚାରୀ, ଚିଠି-ପତ୍ର ଧରି, ବେଲୁନ୍‌ରେ ବାହାରିଲେ। ରାତିରେ ପବନରେ ଦିଗ ବଦଳିଗଲା। କର୍ମଚାରୀ ଦୁହେଁ ଜାଣିପାରିଲେନାହିଁ। ସକାଳୁ ସେମାନେ ଦେଖିଲେ, ଭିନ୍ନ ଭୂ-ଖଣ୍ତ ଏବ˚ ଅଚିହ୍ନା ସମୁଦ୍ର। ଭୁଲ୍‌ବଶତଃ ନର‌୍ଓ୍ୱକୁ ଉଡ଼ିଆସିଥିବା ଜାଣିଲେ। ତେବେ, ନରଓ୍ୱର ଲୋକେ ସେମାନଙ୍କର କୌଣସି କ୍ଷତି ନ କରି, ଆତିଥ୍ୟ ଓ ଆଶ୍ରୟ ଦେଇଥିଲେ ଏବ˚ ସେମାନଙ୍କର ଘର-ବାହୁଡ଼ାର ସମସ୍ତ ବନ୍ଦୋବସ୍ତ କରିଥିଲେ। ସେହି ସମୟରେ ଗୋଟିଏ ବର୍ଷରେ ବେଲୁନ୍‌ ଜରିଆରେ ପ୍ରାୟ ତିରିଶ ଲକ୍ଷ ଚିଠି ବିଭିନ୍ନ ଠିକଣାରେ ପହଞ୍ଚାଯାଇଥିବା ଇତିହାସ କହେ।

ସମ୍ବନ୍ଧିତ ଖବର