ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରାରେ, ବିଭିନ୍ନ ନୀତି ନିର୍ବାହ ପାଇଁ ବିଜେପ୍ରତିମାମାନଙ୍କୁ ସଂପୃକ୍ତ ଦେବତାଙ୍କଠାରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। ଏହାକୁ ବିଜେପ୍ରତିମାଙ୍କ ନିମନ୍ତେ ସଂପୃକ୍ତ ଦେବତାଙ୍କର କାର୍ଯ୍ୟାଦେଶ ବୋଲି ବିବେଚନା କରାଯାଏ। କିନ୍ତୁ ଶ୍ରୀମନ୍ଦିରର ରୀତିନୀତି ବିଷୟକ ଗ୍ରନ୍ଥ ‘ବାମଦେବ ସଂହିତା’ ଓ ‘ନୀଳାଦ୍ରି ମହୋଦୟ’ରେ ଏହି ଆଜ୍ଞାମାଳର ଅନ୍ୟ ତାତ୍ପର୍ଯ୍ୟ ସୂଚିତ ହୋଇଛି। ‘ନୀଳାଦ୍ରି ମହୋଦୟ’ର ୩୪ ଅଧ୍ୟାୟ, ୨୦୮ ଶ୍ଳୋକରେ କୁହାଯାଇଛି- ଏହି ବିଜେପ୍ରତିମା ବା ଉତ୍ସବପ୍ରତିମାମାନଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ଦ୍ୱାରା, ଶ୍ରୀବିଗ୍ରହ ଓ ଶ୍ରୀପ୍ରତିମାଙ୍କ ମଧ୍ୟରେ ଆଉ କୌଣସି ଭେଦ ରହେ ନାହିଁ।
ଆଜ୍ଞାମାଳ ମାଧ୍ୟମରେ ଶ୍ରୀବିଗ୍ରହଙ୍କ ଶକ୍ତି ଓ ଜ୍ୟୋତି, ବିଜେ ପ୍ରତିମାଙ୍କ ଶରୀରରେ ପ୍ରବେଶ କରେ ଏବଂ ଶ୍ରୀବିଗ୍ରହ ଓ ଶ୍ରୀପ୍ରତିମା ଅଭେଦ ହୋଇ ଯାଆନ୍ତି।
ସେହିପରି, ‘ବାମଦେବସଂହିତା’ର ୨୧ ଅଧ୍ୟାୟରେ ଏହାର ଅନ୍ୟ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ବର୍ଣ୍ଣିତ ହୋଇଛି। ତାହାର ୩୯-୪୦ ଶ୍ଳୋକରେ କୁହାଯାଇଛି- “ଜନାର୍ଦ୍ଦନ ବିଷ୍ଣୁଙ୍କୁ ବନ୍ଦାପନା କରି ପ୍ରାର୍ଥନା କରିବ- ହେ ଜଗନ୍ନାଥ! ପ୍ରାସାଦର ବହିଃପ୍ରଦେଶରେ ଫଲଗୁ ଉତ୍ସବ ଅନୁଷ୍ଠାନ କରିବାପାଇଁ ଶ୍ରୀଗୋବିନ୍ଦଙ୍କୁ, ଶ୍ରୀଦେବୀଙ୍କୁ ଓ ଭୂଦେବୀଙ୍କୁ ଆଜ୍ଞାପ୍ରଦାନ କରନ୍ତୁ। ଶ୍ରୀଜଗନ୍ନାଥଙ୍କ ଆଜ୍ଞା ଅନୁସାରେ, ଶ୍ରୀଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀଙ୍କ ପ୍ରତିମାଙ୍କୁ ଆଜ୍ଞାମାଳ ପିନ୍ଧାଇ ବିଜେ କରାଇବ।” ସେହିପରି ୫୮-୫୯ ଶ୍ଳୋକରେ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ପ୍ରସଙ୍ଗରେ କୁହାଯାଇଛି- “ହେ ଦେବଦେବ! ଶ୍ରୀଗୋବିନ୍ଦଙ୍କ ପ୍ରତିମା ଏବଂ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦୋଳାରେ କ୍ରୀଡ଼ା କରିବାପାଇଁ ଆଜ୍ଞା ଦିଅନ୍ତୁ। ଏହା କହି ଶ୍ରୀବିଷ୍ଣୁ (ଶ୍ରୀଜଗନ୍ନାଥ)ଙ୍କ ଶରୀରରୁ ଆଜ୍ଞାମାଳ ଆଣି ଶ୍ରୀଗୋବିନ୍ଦଙ୍କ ପ୍ରତିମା ଗଳାରେ ପିନ୍ଧାଇ ଦେବ। ଦେବତାଙ୍କ ଶରୀରରୁ ଜ୍ୟୋତି ଆସି ଗୋବିନ୍ଦ ପ୍ରତିମାଙ୍କ ଶରୀରରେ ପ୍ରବେଶ କଲା ବୋଲି ଚିନ୍ତା କରି ତାଙ୍କୁ ସାତଥର ପରିକ୍ରମା କରାଇବ।”
ଏହା ସୂଚାଏ, ଯେ ଆଜ୍ଞାମାଳ ମାଧ୍ୟମରେ ଶ୍ରୀବିଗ୍ରହଙ୍କ ଶକ୍ତି ଓ ଜ୍ୟୋତି, ବିଜେ ପ୍ରତିମାଙ୍କ ଶରୀରରେ ପ୍ରବେଶ କରେ ଏବଂ ଶ୍ରୀବିଗ୍ରହ ଓ ଶ୍ରୀପ୍ରତିମା ଅଭେଦ ହୋଇ ଯାଆନ୍ତି।
-ଅସିତ ମହାନ୍ତି