ଭୁବନେଶ୍ବର: ହାତୀଙ୍କ ପିଛା ଛାଡ଼ୁନି ସଙ୍କଟ। ସେପ୍ଟେମ୍ବର ମାସର ପ୍ରଥମ ୪ ଦିନ ମଧ୍ୟରେ ୩ଟି ହାତୀଙ୍କ ଜୀବନ ଗଲାଣି। ସବୁଠାରୁ ଅଧିକ ଚିନ୍ତା ବଢ଼ାଇଛି ବିଦ୍ୟୁତ୍ ଆଘାତରେ ହାତୀଙ୍କ ମୃତ୍ୟୁ। ମାସକ ମଧ୍ୟରେ ୪ରୁ ଅଧିକ ହାତୀ ବିଦ୍ୟୁତ୍ ଆଘାତରେ ମଲେଣି। କେଉଁଠି ମନୁଷ୍ୟକୃତ ବିଦ୍ୟୁତ୍ ତାର ତ ଆଉ କେଉଁଠି ବିଦ୍ୟୁତ୍ ଖୁଣ୍ଟ ଓପାଡ଼ି ନିଜକୁ ନିଜେ ବିପଦକୁ ଡାକିଛନ୍ତି ହାତୀ। କେବଳ ଏ ବର୍ଷ ନୁହେଁ, ଲଗାତାର ୧୦ ବର୍ଷ ଧରି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ବଢ଼ି ଚାଲିଛି। ୨୦୨୪ରେ ମାସ କେଇଟା ମଧ୍ୟରେ ବିଦ୍ୟୁତ୍ ଆଘାତରେ ୯ଟି ହାତୀଙ୍କ ଜୀବନ ଯିବା ବନ ବିଭାଗ ନିଦ ହଜାଇ ଦେଲାଣି। କେଉଁଭଳି ଭାବେ ହାତୀ ମୃତ୍ୟୁ ରୋକାଯାଇପାରିବ ସେନେଇ ଘନଘନ ବୈଠକ କରାଯାଉଛି। ବିଦ୍ୟୁତ୍ ଆବଣ୍ଟନ କମ୍ପାନିମାନଙ୍କ ସହ ଖୁବ୍ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ମୁକାବିଲାର ରୂପରେଖ ପ୍ରସ୍ତୁତ ସହ ଏସ୍ଓପି ଜାରି ହେବ ବୋଲି ଜଣାପଡ଼ିଛି।
୧୦ ବର୍ଷ ତଳେ ବର୍ଷକୁ ୪ରୁ ୬ଟି ହାତୀ ମରୁଥିଲେ। ମାତ୍ର ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଗଲାଣି। ଲଗାତାର ୪ର୍ଥ ବର୍ଷ ପାଇଁ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଦୁଇ ଅଙ୍କରେ ପହଞ୍ଚିବାକୁ ଯାଉଛି। ୨୦୨୧-୨୨ରେ ୧୩ଟି ହାତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରରଣ କରିଥିଲେ। ସେଥିମଧ୍ୟରୁ ୫ଟି ଆକସ୍ମିକ ଭାବେ ବିଦ୍ୟୁତ୍ ଆଘାତ ଏବଂ ବାକି ୮ଟି ହାତୀଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିଲା। ୨୦୨୨-୨୩ରେ ବିଦ୍ୟୁତ୍ ସଂସ୍ପର୍ଶରେ ହାତୀ ମୃତ୍ୟୁ ସବୁ ରେକର୍ଡ ଭାଙ୍ଗିଥିଲା। ଆକସ୍ମିକ ଭାବେ ୮ ଓ ସୁଚିନ୍ତିତ ଭାବେ ୧୮ଟି ହାତୀଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ତେବେ ୨୦୨୩-୨୪ରେ ୧୬ଟି ହାତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମରିଥିଲେ ମଧ୍ୟ କେଉଁଭଳି ଭାବେ ହାତୀଙ୍କ ମୃତ୍ୟୁ ହୋଇଥିଲା ତାହାର ରିପୋର୍ଟ ବନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ବିଦ୍ୟୁତ୍ର ଆକସ୍ମିକ ଆଘାତ ଓ ସୁଚିନ୍ତିତ ଷଡ଼ଯନ୍ତ୍ର ଦ୍ବାରା ୧୧ ବର୍ଷ ମଧ୍ୟରେ ୧୪୨ଟି ହାତୀଙ୍କ ଜୀବନ ଯାଇସାରିଲାଣି। ୨୦୦୦ରୁ ୨୦୧୦ ମସିହା ମଧ୍ୟରେ ୬୭ ହାତୀଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିଲା। ୨୦୧୦ ଏପ୍ରିଲ୍ରୁ ୨୦୧୮ ଅଗଷ୍ଟ ମଧ୍ୟରେ ୯୦ଟି ହାତୀ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ। ତେବେ ପରବର୍ତ୍ତୀ ୬ ବର୍ଷ ମଧ୍ୟରେ ୯୬ଟି ହାତୀଙ୍କ ଜୀବନ ଗଲାଣି। ବନ ବିଭାଗ ତଥ୍ୟ କହୁଛି ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ୩୭ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩ଟିଙ୍କୁ ବିଷ ଦିଆଯାଇ, ଟ୍ରେନ୍ ଦୁର୍ଘଟଣାରେ ୨୨, ରାସ୍ତା ଦୁର୍ଘଟଣାରେ ୬, ପାହାଡ଼ରୁ ଖସିପଡ଼ି ୧୪୪ ହାତୀଙ୍କ ଜୀବନ ଯାଇଛି। ଆନ୍ଥ୍ରାକ୍ସ ରୋଗରେ ୫୪, ହର୍ପିସ୍ରେ ୧୧ ଓ ଅନ୍ୟାନ୍ୟ ରୋଗରେ ୨୧୯ଟି ହାତୀଙ୍କ ଜୀବନ ଯାଇଥିଲା। ସ୍ବାଭାବିକ ଭାବେ ୮୯ଟିର ମୃତ୍ୟୁ ହୋଇଥିଲା। ୯୦ଟି ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ମୋଟ ଉପରେ ୭୯୪ଟି ହାତୀଙ୍କ ଜୀବନ ଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।