କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ : ‘କରୋନା ନିକଟରେ ଧନୀ, ପ୍ରଭାବଶାଳୀ ବି ଅସହାୟ’

ମୁମ୍ବାଇ : ଗତକାଲି ଅର୍ଥାତ୍‌ ଏପ୍ରିଲ୍‌ ୭ ସୁଦ୍ଧା ମହାରାଷ୍ଟ୍ରରେ କରୋନା ପଜିଟିଭ୍‌ ସଂଖ୍ୟା ୧୦୦୦ରୁ ଅତିକ୍ରମ କରିଛି। କେବଳ ମୁମ୍ବାଇରେ ପଜିଟିଭ୍‌ ସଂଖ୍ୟା ୭୩୬ ଏବଂ ଇତିମଧ୍ୟରେ ୪୦ ଜଣ ବି ପ୍ରାଣ ହରାଇସାରିଛନ୍ତି। କରୋନା ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ପାରୁପର୍ଯ୍ୟନ୍ତ ଉଦ୍ୟମ କରୁଛନ୍ତି। ମୁମ୍ବାଇର ଏକ ବନ୍ଦ ଫ୍ଲାଟ୍‌ରେ ରହି ଟିଭିରୁ ଏହିଭଳି ଟିକିନିଖି ଖବର ରଖୁଛନ୍ତି ନ୍ୟୁ ଇଣ୍ଡିଆ ଆସୁରାନ୍ସର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ବିଶିଷ୍ଟ ସାହିତ୍ୟିକ ରାଜୁ ସାମଲ। ଖାଲି ମହାରାଷ୍ଟ୍ର କାହିଁକି, କେନ୍ଦ୍ର ସରକାରଙ୍କ ପଦକ୍ଷେପ ଏବଂ ନିଜ ରାଜ୍ୟ ଓଡ଼ିଶାର ପ୍ରତିଟି ଘଟଣାକ୍ରମ ଉପରେ ଏହିଭଳି ନଜର ରଖୁଛନ୍ତି ସେ। ସବୁବେଳେ ଘର ଭିତରେ ରହିବାକୁ ପସନ୍ଦ କରୁଥିବା ଶ୍ରୀ ସାମଲ ଏବେ ସେହି ଘର ଭିତରେ ଥାଇ କରୋନାଜନିତ ବାହାରର ଅପ୍ରତ୍ୟାଶିତ ପରିବର୍ତ୍ତନକୁ ବେଶ୍‌ ଅନୁଭବ କରିପାରୁଛନ୍ତି। ‘କରୋନା’ ବି ସମସ୍ତଙ୍କ ଜୀବନ ଦୈନନ୍ଦନୀରେ ପରିବର୍ତ୍ତନ ଆଣିଥିବା କଥା ‘ସମ୍ବାଦ’କୁ କହିଛନ୍ତି ସେ।

ଶ୍ରୀ ସାମଲ ହେଉଛନ୍ତି ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗର ମୂଳନିବାସୀ। ଏବେ, ଭୁବନେଶ୍ବରସ୍ଥିତ ରସୁଲଗଡ଼ ଏବଂ ମୁମ୍ବାଇର ବୋରିଭାଲିଠାରେ ତାଙ୍କର ଘର ରହିଛି। ଦୁଇପୁଅ ମଧ୍ୟରୁ ଜଣେ ଦୁବାଇଠାରେ ରହୁଥିବାରୁ ଅନେକ ସମୟରେ ସେଠାକୁ ଯାଆନ୍ତି ବି ସେ। ୪୬ଦିନ ତଳେ ସେ ଦୁବାଇରୁ ଫେରିଥିଲେ। ଆସନ୍ତା ୧୬ ତାରିଖରେ ସେ ମଧ୍ୟ ଭୁବନେଶ୍ବରକୁ ଆସିବା ପାଇଁ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରିସାରିଥିଲେ। ମାତ୍ର, କରୋନା ତାଙ୍କୁ ଏଠାରେ ଅଟକାଇ ଦେଇଛି। ଶ୍ରୀ ସାମଲ କୁହନ୍ତି, ଗତ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁପରଠାରୁ ମୁମ୍ବାଇ ସମେତ ସାରା ମହାରାଷ୍ଟ୍ରରେ ଲୋକମାନେ ଲକ୍‌ଡାଉନ୍‌ ଅବସ୍ଥାରେ ରହିଛନ୍ତି। ତେଣୁ ଅନ୍ୟମାନଙ୍କ ଭଳି ତାଙ୍କୁ ବି ଘର ଭିତରେ ରହିବାକୁ ପଡ଼ିଛି।’ ‌ସେ କୁହନ୍ତି, ‘ଲକ୍‌ଡାଉନ୍‌ ପରିସ୍ଥିତି ବ୍ୟକ୍ତିଗତ ଭାବେ ତାଙ୍କୁ ପ୍ରଭାବିତ କରିନାହିଁ। ମୁମ୍ବାଇ ବିଶ୍ବବିଦ୍ୟାଳୟରେ ଭିଜିଟିଂ ଫାକ୍‌ଲଟି ଭାବେ କାର୍ଯ୍ୟକରୁଥିବାରୁ ନିର୍ଦ୍ଦିଷ୍ଟ ସମୟାନୁସାରେ ଯିବାକୁ ପଡ଼ିଥାଏ। ପ୍ରାତଃଭ୍ରମଣ ନିତିଦିନିଆ କାର୍ଯ୍ୟ ହୋଇଥିବାବେଳେ ଟେବୁଲ୍‌ଟେନିସ୍‌ ବି ଖେଳିଥାଏ। ତା’ନହେଲେ, ସବୁବେଳେ ଘରଭିତରେ ରହି ଲେଖାପଢ଼ାରେ ମନ ଦେଇଥାଏ।

ଶ୍ରୀ ସାମଲ ଉଭୟ ଓଡ଼ିଆ ଓ ଇଂରାଜୀରେ କେତେକ ପୁସ୍ତକ ରଚନା କରିଛନ୍ତି। ‘ନଥିବା ଗଛର ଛାଇ’, ‘ଶାନ୍ତ ପ୍ରତିଧ୍ବନି’, ‘ଖାଲି ଖାଲି ଆକାଶ’, ‘ଗୀତ ନଈର କଥା’ ଏବଂ ଇଂରାଜୀରେ ‘ବିୟଣ୍ଡ ଦି କ୍ଲାଉଡ୍‌’ ଭଳି ପୁସ୍ତକ ଲେଖିଛନ୍ତି। ସେ କୁହନ୍ତି ଯେ, ‘ଏବେ ଆଉ କୋଉଠିକି ଯିବାକୁ ପଡ଼ୁନି। ଏକ ଇଂରାଜୀ ଉପନ୍ୟାସ ଲେଖୁଥିବାରୁ ଏଥିପାଇଁ ପର୍ଯ୍ୟାପ୍ତ ସମୟ ମିଳିଯାଇଛି। ଖାଲି ସେ କାହିଁକି ଅବସର ପାଉନଥିବା ତାଙ୍କ ଭଳି ସହରୀ ଲୋକଙ୍କ ପାଇଁ ପରୋକ୍ଷରେ ଏହା ଏକ ସୁଯୋଗ ବି ଆଣିଛି।

ଏବେ ବାହାର ଦୁନିଆର ସହିତ ସମ୍ପର୍କ କହିଲେ ଅନ୍‌ଲାଇନ୍‌ରେ ପନିପରିବା, ଗ୍ରସରି ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଆଣିବାକୁ ବୁଝାଉଛି ବୋଲି କୁହନ୍ତି ଶ୍ରୀ ସାମଲ। କରୋନା ଜନିତ ପରିସ୍ଥିତିକୁ ନେଇ ସେ ବି ବ୍ୟସ୍ତ ଥିବା କଥା କୁହନ୍ତି। ସେ କୁହନ୍ତି ଯେ, ସେ ରହୁଥିବା ବେଢ଼ା‌ରେ ୯ଟି ବିଲ୍ଡିଂ ରହିଛି, ଯେଉଁଥିରେ ୧୦୦୦ଟି ଫ୍ଲାଟ୍‌ ରହିଛି। ଏବେ ୨ଟି ଫ୍ଲାଟ୍‌ରେ ଘରଘର ‌ବୁଲି ସର୍ଭେ କରାଯାଉଛି। ତେବେ, କ’ଣ ସର୍ଭେ କରାଯାଉଛି ବୋଲି ତାହା ଜାଣନ୍ତିନି।

ମହାରାଷ୍ଟ୍ର ଓ ମୁମ୍ବାଇ ସମ୍ପର୍କରେ ମତ ରଖି ଶ୍ରୀ ସାମଲ କୁହନ୍ତି ଯେ, ଇଉରୋପୀୟ ରାଷ୍ଟ୍ର ସହିତ ମୁମ୍ବାଇର ସମ୍ବନ୍ଧ ଥିବାରୁ ଏଠାରେ କରୋନାର ବ୍ୟାପକତା ଦେଖିବାକୁ ମିଳିଛି। ଧରାବୀ ଭଳି ବସ୍ତି ରହିଛି ଏବଂ ବହୁଳ ଜନସଂଖ୍ୟାବିଶିଷ୍ଟ ସହର ବି ଇଏ। ଯେଉଁଥିପାଇଁ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ଏହି ବିତ୍ତୀୟ ରାଜଧାନୀର ହୃଦ୍‌ସ୍ପନ୍ଦନ ଷ୍ଟକ୍‌ବଜାର ଉପରେ ନିର୍ଭର କରୁଛି, ଯାହାକି ଏବେ ୨୮ ପ୍ରତିଶତକୁ ଖସିଆସିଛି। ତେବେ, କରୋନା ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ସମୁଚିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ଦିଗରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ବି ପ୍ରଶଂସନୀୟ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଓଡ଼ିଶା ସରକାର କରୋନା ଭୂତାଣୁ କୋଭିଡ୍‌ କବଳରୁ ଆମ ଲୋକଙ୍କୁ ରକ୍ଷା କରିବା ପାଇଁ ଯଥେଷ୍ଟ ଉଦ୍ୟମ କରୁଛନ୍ତି। ତା’ ସତ୍ତ୍ବେ କରୋନାକୁ ନେଇ ସୃଷ୍ଟି ହୋଇଥିବା ଏହି ଦୁର୍ଦ୍ଦିନର ବଳୟ କେବେ ଅପସାରଣ ହେବ, ତାହାକୁ ନେଇ ଅନ୍ୟମାନଙ୍କ ଭଳି ସେ ବି ସନ୍ଦିହାନ ଥିବା କୁହନ୍ତି ଶ୍ରୀ ସାମଲ।

‘ଲକ୍‌ଡାଉନ୍‌ରେ ଥିବାରୁ ଚାରିପାଖର ଦୃଶ୍ୟକୁ ସ୍ବଚକ୍ଷୁରେ ଦେଖିବାର କୌଣସି ଅବକାଶ ନାହିଁ। କିନ୍ତୁ ଯେଉଁ ବାସ୍ତବ ସତ୍ୟ ତାଙ୍କ ସାମ୍‌ନାରେ ଉଙ୍କି ମାରୁଛି, ତା’ହେଉଛି, କରୋନା ଧନୀ ଓ ପ୍ରଭାବଶାଳୀଙ୍କୁ ବି ଅସହାୟ କରିଦେଇଛି! ‘କୋଉଠିକି ନଯିବା’ (ଲକ୍‌ଡାଉନ୍‌) ଏବେ ମାନବତାର ଏକ ସୁଖବୋଧ,’ ବୋଲି ମତ ଦିଅନ୍ତି ଏହି ଅବସରପ୍ରାପ୍ତ ଅଧିକାରୀ ଓ ସାହିତ୍ୟିକ ଶ୍ରୀ ସାମଲ।

(ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ସହିତ ଫୋନ୍‌ରେ କଥା ହେଲାବେଳେ ଯାହା କୁହନ୍ତି)

ସମ୍ବନ୍ଧିତ ଖବର