‘ଚଷାପୁଅ’କୁ ଝୁରୁଛି ଜନ୍ମମାଟି

‘ନଟୁ ଭାଇ’ କହିଲେ ଗାଁ ଗଣ୍ଡା ଚିହ୍ନୁଥିଲା

କେବଳ ରାଜନୀତିରେ ନିପୁଣ ନ ଥିଲେ ପ୍ରଦୀପ ମହାରଥୀ। ତାଙ୍କର ଅନ୍ୟ ଏକ ପରିଚୟ ଥିଲା, ସେ ଥିଲେ ଚଷାପୁଅ। ଯେଉଁ ସଭାସମିତିକୁ ଯାଆନ୍ତ, ସେ ନିଜକୁ ‘ଚଷାପୁଅ’ ବୋଲି ପରିଚୟ ଦିଅନ୍ତି। ସାଧାରଣତଃ ଲୋକଙ୍କ ମନରେ ଧାରଣା ଥାଏ, କେବଳ ରାଜନୈତିକ ଫାଇଦା ପାଇଁ ନେତାମାନେ ଏଭଳି ଶବ୍ଦ ପ୍ରୟୋଗ କରିଥାନ୍ତି। କିନ୍ତୁ ମହାରଥୀ ଯାହା କୁହନ୍ତି, ତାହା ଅକ୍ଷରେ ଅକ୍ଷରେ ଯେ ସତ, ତାକୁ ସେ ପ୍ରମାଣିତ କରି ଦେଖାଇଥିଲେ। ନିଜେ ଚାଷ କରିବା ସହ ଅନ୍ୟ ଚାଷୀଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଥିଲେ। ସ୍ବର୍ଗତ ମହାରଥୀ ହୁଙ୍କେଇପୁର ନିକଟରେ ଦୁଇ ଦୁଇଟି ବଡ଼ ଫାର୍ମ ହାଉସ୍‌ କରିଛନ୍ତି। ଯେଉଁଥିରେ ନଡ଼ିଆ ଗଛ ସାଙ୍ଗକୁ ଅନ୍ୟାନ୍ୟ ଫଳ ଗଛ ବି ରହିଛି। ପାଖରେ ବହୁ ଜମିରେ ଧାନ ଚାଷ ବି କରନ୍ତି। ଚଳିତ ବର୍ଷ ବି ସେ ଧାନ ଚାଷ କରିଥିଲେ। ଏହା ନିକଟରେ ଏକ ବଡ଼ ପୋଖରୀ କରିଛନ୍ତି। ଫାର୍ମ ହାଉସ୍‌ ନିକଟରେ ଏକ ଶିବ ମନ୍ଦିର ବି କରିଛନ୍ତି। କେବଳ ନିଜେ ଏଭଳି କାର୍ଯ୍ୟ କରିନାହାନ୍ତି, ତାଙ୍କ ନିର୍ବାଚନମଣ୍ଡଳୀରେ ଥିବା ପ୍ରତି ଚାଷୀଙ୍କୁ ବି ସେ ଚାଷ ବିଷୟରେ ସଚେତନ କରିବା ସହ ଚାଷ କାର୍ଯ୍ୟକୁ ଆଗେଇ ନେଇଛନ୍ତି। କୃଷି ବିଭାଗର ଏଭଳି ଯୋଜନା ନାହିଁ, ଯାହା ସ୍ବର୍ଗତ ମହାରଥୀଙ୍କ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକାରୀ ହୋଇନି। ସେପଟେ ଗୋପାଳନଠାରୁ ଆରମ୍ଭ କରି ଅନ୍ୟ ରୋଜଗାରର ମାଧ୍ୟମ ବି ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ଖୋଲି ଦେଇଛନ୍ତି। ଫାର୍ମ ହାଉସ୍‌ଠାରୁ କିଛି ଦୂରରେ ଏକ ଦୁଗ୍ଧ ସଂଗ୍ରହ କେନ୍ଦ୍ର ବି ସେ ଖୋଲିଛନ୍ତି। ଚାଷକୁ ସର୍ବାଧିକ ଗୁରୁତ୍ବ ଦେଇଥିବା ସ୍ବର୍ଗତ ମହାରଥୀଙ୍କ ବିୟୋଗ ପରେ ତାଙ୍କ ଜନ୍ମମାଟି ଏବେ ଝୁରି ହେଉଛି। ନିର୍ବାଚନମଣ୍ଡଳୀର ଲୋକେ ବିଶେଷ କରି ଚାଷୀମାନେ ତାଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି।

‘ନଟୁ ଭାଇ’ କହିଲେ ଗାଁ ଗଣ୍ଡା ଚିହ୍ନୁଥିଲା
ରାଜ୍ୟ ରାଜନୀତିରେ ଏକ ଜଣାଶୁଣା ବ୍ୟକ୍ତିତ୍ବ ତଥା ଆଗଧାଡ଼ିର ନେତାଙ୍କ ଭିତରେ ପରିଗଣିତ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକଙ୍କୁ ରାଜ୍ୟବାସୀ ପ୍ରଦୀପ ମହାରଥୀଙ୍କ ନାଁରେ ଜାଣନ୍ତି। କିନ୍ତୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ସେ ‘ନଟୁ ଭାଇ’ ନାଁରେ ପରିଚିତ ଥିଲେ। ନଟୁ ଭାଇ ନାଁରେ ଗାଁ’ ଗଣ୍ଡା ତାଙ୍କୁ ଚିହ୍ନୁଥିଲା। ପିଲାଟି ବେଳୁ ଚାଷ ପ୍ରତି ଆଗ୍ରହ ଥିବା ଶ୍ରୀ ମହାରଥୀଙ୍କ ବାଲ୍ୟ ନାଁ ଥିଲା ନଟୁ। ସାଙ୍ଗ ସାଥୀ ବି ତାଙ୍କୁ ନଟୁ ବୋଲି ଡାକନ୍ତି। ନିର୍ବାଚନକୁ ଓହ୍ଲାଇବା ପରେ ସେ ଏହି ନଟୁ ଭାଇ ନାଁରେ ବେଶ୍‌ ପରିଚିତ ଥିଲେ। ଗାଁ’ ଗଣ୍ଡାରେ ପ୍ରଦୀପ ଅପେକ୍ଷା ନଟୁ ନାଁରେ ତାଙ୍କୁ ସ‌ମସ୍ତେ ଚିହ୍ନୁଥିଲେ। ପିପିଲି ବ୍ଲକ୍‌ ପାଣିଦୋଳର କୋରାପଦା ନାମକ ଏକ ଛୋଟ ଗାଁରେ ଶ୍ରୀ ମହାରଥୀଙ୍କ ଜନ୍ମ। ଗାଁ ଲୋକଙ୍କ କହିବା ମୁତାବକ, ନଟୁ ଭାଇ ପିଲାଟି ବେଳୁ ପରୋପକାରୀ ଥିଲେ। ଅନ୍ୟର ଦୁଃଖ ଶୁଣି ସାହାଯ୍ୟ ପାଇଁ ଦୌଡ଼ି ଆସୁଥିଲେ। ସମସ୍ତଙ୍କ ସୁଖଦୁଃଖର ସେ ସାଥୀ ଥିଲେ। କାହାରି କିଛି ଅସୁବିଧାହେଲେ ସଙ୍ଗେସଙ୍ଗେ ସହଯୋଗର ହାତ ବଢ଼ାଇ ଦେଉଥିଲେ। ଛାତ୍ର ଜୀବନରୁ ହିଁ ତାଙ୍କର ଏହି କାର୍ଯ୍ୟ ପାଇଁ ସେ ଗାଁ ଗଣ୍ଡାରେ ‘ନଟୁ ଭାଇ’ ନାଁରେ ପରିଚୟ ସୃଷ୍ଟି କରି ପାରିଥିଲେ।

ସମ୍ବନ୍ଧିତ ଖବର