ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯେମିତି ଉଠିଲେ ସେମିତି ଖସିଲେ
ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ପ୍ରଦୀପ। ଟାଟା ଆନ୍ଦୋଳନରେ ସାମିଲ ହୋଇ ଲୋକଲୋଚନକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପାଖରୁ ତାଙ୍କର ରାଜନୈତିକ ପରିଚୟ ଆରମ୍ଭ ହୋଇଥିଲା। ଏହାପରେ ସେ ସଫଳତାର ପାହାଚ ଚଢ଼ି ଚାଲିଥିଲେ। ସେ ଯେଉଁ ଭଳି ଭାବେ ସଫଳତାର ପାହାଚ ଚଢ଼ିଥିଲେ ସେଥିରୁ ଖସିବେ ବୋଲି ଭାବି ନଥିଲେ। ହେଲେ ତାଙ୍କ ସହ ଭାଗ୍ୟ ସାତ୍ ଦେଇନଥିଲେ। ବିବାବଦୀୟ ଘଟଣା କ୍ରମେ ଦଳରୁ ବହିଷ୍କୃତ ହୋଇ ଶେଷରେ ଗିରଫ ହେବାକୁ ପଡ଼ିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୮୭: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ସଭାପତି
୧୯୯୭: ଗୋପାଳପୁର ଟାଟା ପ୍ରକଳ୍ପ ସପକ୍ଷବାଦୀ ଆନ୍ଦୋଳନରେ ସାମିଲ ହୋଇ ଚର୍ଚ୍ଚା ପରିସରକୁ ଆସିଥିଲେ। ଏହାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସି ରାଜନୈତିକ ଜୀବନ ଆରମ୍ଭ କରିଥିଲେ।
୨୦୦୪-୦୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଂଜିଳି ନିର୍ବାଚନମଣ୍ଡଳୀର ପ୍ରତିନିଧି ହୋଇ ଜିଲ୍ଲାରେ ନିଜର ଦବ୍ଦବା ଜାହିର କରିଥିଲେ।
୨୦୦୯: ଗୋପାଳପୁର ବିଧାନସଭା କ୍ଷେତ୍ରରୁ ବିଜେଡିରୁ ଲଢ଼ି ପ୍ରଥମଥର ବିଧାୟକ ହୋଇଥିଲେ।
୨୦୧୪: ପୁଣି ଦ୍ବିତୀୟ ଥର ପାଇଁ ଗୋପାଳପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ପାଳିର ଅଧାରେ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା।
୨୦୧୮: ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଭାବେ ମନୋନୀତ ହେବା ସହ ଗଞ୍ଜାମ-ଗଜପତି ଜିଲ୍ଲାର ସାଧାରଣ ମଙ୍ଗ ଧରିଥିଲେ।
୨୦୧୯: ପୁଣି ତୃତୀୟ ଥର ଲାଗି ପ୍ରଦୀପ ବିଧାୟକ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଜିଲ୍ଲା ସଭାପତି ପଦ ହରାଇବାକୁ ପଡ଼ିଥିଲା ଓ ଦଳରୁ କୋଣଠେସା ହୋଇ ରହିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ବି ମଧ୍ୟ ତାଙ୍କୁ ଦେଖିବାକୁ ମିଳି ନଥିଲା।
୨୦୨୦: ଏହି ବର୍ଷ ଜାନୁଆରିରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଥିଲେ।
ମାର୍ଚ୍ଚ ମାସରେ କୋଭିଡ୍ କଟକଣା ଆରମ୍ଭ ହୋଇଥିଲା। ଜିଲ୍ଲାରେ କୋଭିଡ୍ ପରିଚାଳନା ଉପରେ ବିଧାୟକ ପ୍ରଦୀପ ଅଙ୍ଗୁଳି ନିର୍ଦ୍ଦେଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହା ତାଙ୍କ ରାଜନୈତିକ ଜୀବନରେ ଏକ ଟର୍ଣ୍ଣିଂ ପଏଣ୍ଟ୍ ଥିଲା ବୋଲି କୁହାଯାଉଛି।
ଗତମାସ ୨୭ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ଟାଟା ମୋଟର୍ସ ଠକେଇ ଘଟଣାରେ ଆକାଶ ଛନ୍ଦି ହୋଇଥିଲେ। ଆକାଶଙ୍କ ସହିତ ପ୍ରଦୀପଙ୍କ ଝିଅଙ୍କ ନିର୍ବନ୍ଧ ହୋଇଥିଲା। ଚଳିତ ମାସରେ ବାହାଘର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଟାଟା ମୋଟର୍ସ ଚାକିରି ଠକେଇରେ ପ୍ରଦୀପଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ଗତ ୨୯ତାରିଖ ରବିବାର ଦିନ ବିଜେଡି ତରଫରୁ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଥିଲା। ଏହାପରେ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଥିଲା। ଶେଷରେ ତାଙ୍କୁ ଗତକାଲି ସଂଧ୍ୟାରେ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା।