କୌଶଲ୍ୟା ମାତା, ଶ୍ରୀରାମ ପୁତ୍ର। ପୁତ୍ର ଯେତେ ବଡ଼ ହେଉ ବା ଯେତେ ପ୍ରତିଷ୍ଠା ଲାଭକରୁ, ମାତା କେବେ ପୁତ୍ରକୁ ସ୍ତୁତି କରନ୍ତି ନାହିଁ। କିନ୍ତୁ ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରଭୃତିଙ୍କ କଥା ଭିନ୍ନ ଓ ସ୍ୱତନ୍ତ୍ର।
ତୁଳସୀ ଦାସ ବିଚରିତ ରାମାୟଣର ରାମଜନ୍ମ ଓ ବାଳଲୀଳା ଅଧ୍ୟାୟରେ ଅଛି ଏପରି ଏକ ସ୍ତୁତି।
‘ତୁଳସୀ ରାମାୟଣ’ ଅନୁସାରେ, ମଧୁମାସ, ଶୁକ୍ଳପକ୍ଷ ନବମୀ ତିଥିରେ, ସମସ୍ତ ଅନୁକୂଳ ଯୋଗ, ଲଗ୍ନ, ଗ୍ରହ, ବାର ଓ ତିଥିରେ ଏବଂ ଅଭିଜିତ୍ ନକ୍ଷତ୍ରରେ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମର ଶୁଭ ଅବସର ଆସନ୍ନ ଜାଣି ଦେବତାମାନେ ତାଙ୍କର ଦର୍ଶନପାଇଁ ଆକାଶମାର୍ଗରେ ଅପେକ୍ଷା କରି ରହିଥିଲେ। ଗନ୍ଧର୍ବମାନେ ଘନଘନ ଦୁନ୍ଦୁଭି ନାଦ କରି ଗୀତ ଗାଉଥିଲେ। ନାଗମାନେ, ମୁନିମାନେ ଓ ଦେବତାମାନେ ତାଙ୍କର ସ୍ତୁତି କରୁଥିଲେ। ଶ୍ରୀରାମ ଥିଲେ ମୁନି-ମନୋମୁଗ୍ଧକର ଶ୍ରେଷ୍ଠପୁରୁଷ; ଶ୍ୟାମଳ ସୁନ୍ଦର ଘନଶ୍ୟାମ ଅଭିରାମ। ତାଙ୍କର ଚତୁର୍ଭୁଜରେ ଆୟୁଧମାନ ଶୋଭା ପାଉଥିଲା। ବିଶାଳ ବକ୍ଷରେ ବନମାଳା ସୁନ୍ଦର ଦିଶୁଥିଲା।
ତାଙ୍କର ସେହି ସୁନ୍ଦର ରୂପ ଦେଖି ମାତା କୌଶଲ୍ୟା ଅତ୍ୟନ୍ତ ଆନନ୍ଦିତ ହୋଇ ତାଙ୍କର ସ୍ତୁତି କଲେ- “ହେ ଅନନ୍ତ, ହେ ଜଗତର ପିତା! ତୁମ୍ଭର ଜୟ ହେଉ। ବେଦ ଓ ପୁରାଣରେ ଯାହାଙ୍କର ନାମ ବର୍ଣ୍ଣିତ ହୋଇଛି, ତୁମ୍ଭେ ସେହି ମାୟାମୟ, ଜ୍ଞାନାତୀତ, କରୁଣାସାଗର, ସର୍ବଗୁଣାକର ବେଦ ବେଦଧର। ମୁଁ ଅଜ୍ଞାନ, ତୁମ୍ଭର କି ଗୁଣ ବା ବଖାଣି ପାରିବି! ହେ ଚକ୍ରପାଣି! ଯାହାଙ୍କର ଲୋମମୂଳରେ ମାଳମାଳ ବ୍ରହ୍ମାଣ୍ଡ ସ୍ଥିତ, ତୁମ୍ଭେ ସେହି; ଅଥଚ ତୁମ୍ଭେ ମୋ ଗର୍ଭରେ ବାସ କରିଛ। ମୋ ପାଇଁ ତୁମ୍ଭେ ଏ ସଂସାରରେ ଅବତୀର୍ଣ୍ଣ ହୋଇଛ। ଏହା ଅତ୍ୟନ୍ତ ଅବିଶ୍ୱାସ୍ୟ।”
ତୁଳସୀ ଦାସଙ୍କର ବର୍ଣ୍ଣନା ଅନୁସାରେ, ଜନନୀ କୌଶଲ୍ୟାଙ୍କର ଏହି ଜ୍ଞାନପୂର୍ଣ୍ଣ କଥା ଶୁଣି, ଶ୍ରୀରାମ ସ୍ମିତ ହସି, ପୂର୍ବଜନ୍ମ(ଦ୍ୱାପରଯୁଗ)ର କଥା ତାଙ୍କୁ ଶୁଣାଇଲେ ଏବଂ ତାଙ୍କ ହୃଦୟରେ ଜନନୀସୁଲଭ ପୁତ୍ରସ୍ନେହ ବୃଦ୍ଧି କଲେ। ଫଳରେ, ମାତା କୌଶଲ୍ୟାଙ୍କ ମନରୁ ସେହିସବୁ ଦିବ୍ୟଜ୍ଞାନ ଅପସରି ଗଲା। ସେ କହିଲେ- “ହେ ଭଗବାନ! ଏ ରୂପ ଛାଡ଼ି ବାଳରୂପ ଧାରଣ କରନ୍ତୁ! ବାଲ୍ୟଲୀଳା କରନ୍ତୁ!” ଭାବଗ୍ରାହୀ, ମାୟାଧର ତାହା ଶୁଣି ବାଳରୂପ ଧାରଣ କଲେ। କୌଶଲ୍ୟା ତାଙ୍କୁ କୋଳରେ ଧରି ଅପୂର୍ବ ଆନନ୍ଦ ଲାଭ କଲେ।
କୌଶଲ୍ୟାଙ୍କ ଶ୍ରୀରାମସ୍ତୁତି
/sambad/media/post_attachments/wp-content/uploads/2024/04/gjgdjgjdgj-1.jpg)