ମହିଷାସୁରର ନିଧନ ପାଇଁ, ଦେବଗଣଙ୍କର ମିଳିତ ତେଜରୁ ବ୍ରହ୍ମଅଗ୍ନିରୂପା ଦୁର୍ଗା ଜାତ ହେଲେ। ସାରଳା(ସାରୋଳ)ଦାସଙ୍କ ‘ଶ୍ରୀଚଣ୍ଡୀପୁରାଣ’ ଅନୁସାରେ- “ଅଗ୍ନିହୁଂ ଅଧିକ ଯେ ବିକଶିଲା ତେଜ / ଏକଶିର ବେନି ଚରଣ ସହସ୍ରେକ ଭୁଜ।” ଦେବଗଣ ତାଙ୍କର ନାମ ଦେଲେ ‘ତ୍ରୈଲୋକ୍ୟମୋହିନୀ’। ତା’ପରେ ସେମାନେ ତାଙ୍କୁ ଯେଉଁପରି ଭାବରେ ସ୍ତୁତି କରିଥିଲେ, ତାହାର ସୁନ୍ଦର ବର୍ଣ୍ଣନା ମଧ୍ୟ ‘ଶ୍ରୀଚଣ୍ଡୀପୁରାଣ’ରେ ଅଛି। ସେହି ଦେବତାମାନଙ୍କ ମଧ୍ୟରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତ୍ରିମୂର୍ତ୍ତି ମଧ୍ୟ ରହିଥିଲେ।
ସମସ୍ତଙ୍କର ତେଜ ଘେନି ସଂଭୂତ ହୋଇଥିବା ସେହି ‘ଶ୍ରୀସୃଷ୍ଟି’ଙ୍କୁ ତ୍ରିମୂର୍ତ୍ତି ସ୍ତୁତି କରି କହିଲେ- ହେ କାଳିକା! ତୁମ୍ଭର ଜୟ ହେଉ। ତୁମ୍ଭର ସ୍ମରଣରେ ଦୁର୍ଗତିଦୁଃଖ ଖଣ୍ଡନ ହେଉ। ତୁମ୍ଭର ସ୍ମରଣରେ ଆପଦ ନ ପଡ଼ୁ। କାଳଫାଶ ଫିଟୁ। ରୋଗ ଖଣ୍ଡନ ହେଉ। ହେ ଦେବୀଦୁର୍ଗା! ତୁମ୍ଭର ସ୍ମରଣରେ ଯମଦଣ୍ଡ ନଲାଗୁ। ଜଗତର ଦୁଃଖ ଖଣ୍ଡନ ହେଉ।
କେବଳ ଏତିକି ନୁହେଁ; ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତ୍ରିମୂର୍ତ୍ତି ଏପରି ସ୍ତୁତି କରିବା ସହିତ, ଏହା ମଧ୍ୟ କହିଲେ- ଶ୍ରୀଦୁର୍ଗାଙ୍କ ସ୍ମରଣରେ ବାସ୍ତୁ ସ୍ଥିର ହୁଏ। ଆୟୁ ଦୀର୍ଘ ହୁଏ।
‘ଶ୍ରୀଚଣ୍ଡୀପୁରାଣ’ରେ ଏହି ଦେବୀଙ୍କର ଉତ୍ସବ ବିଧାନ ମଧ୍ୟ ବର୍ଣ୍ଣିତ ହୋଇଛି। କୁହାଯାଇଛି- ଦୁର୍ଗାଦେବୀଙ୍କର ଆବିର୍ଭାବ ଦିବସଠାରୁ ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ତାଙ୍କର ଉତ୍ସବ ବିଧାନ କରିବ। ତାଙ୍କଠାରେ ଆସ୍ଥାବାନ ହୋଇ ଯେଉଁ ସନ୍ତାନ ତାଙ୍କର ଉତ୍ସବ ପାଳନ କରନ୍ତି ଏବଂ ତାଙ୍କୁ ଅର୍ଚ୍ଚନା କରନ୍ତି, ତାଙ୍କର ସକଳ ଇଚ୍ଛା ପୂର୍ଣ୍ଣ ହୁଏ। ସେହି ‘ଶ୍ରୀଦୁର୍ଗା’ ହେଉଛନ୍ତି ଜଗତଜନଙ୍କର ହିତକାରିଣୀ। ସେ ଜଗତଜନଙ୍କର ମନୋବାଞ୍ଛା ପୂରଣ କରିଥାନ୍ତି।