‘ଆଜିକୁ ଦୁଇ ମାସ ତଳେ ଆମେ ସପରିବାରରେ ପାଖ ପାର୍କକୁ ବୁଲିବାକୁ ଯାଇଥାଉ। ଦୁଇ ଜଣ ବୃଦ୍ଧା ମୋ ଝିଅ ସଙ୍ଗେ କିଛି ସମୟ କଥା ହେଲା ପରେ ଭଗବାନ ଯୀଶୁଙ୍କ ଜୀବନୀ ଉପରେ କିଛି ପୁସ୍ତିକା ବଢ଼େଇ ଦେଇ ପଚାରିଲେ, ତୁମ ପାଇଁ ଯୀଶୁଙ୍କ ପାଖରେ କ'ଣ ପ୍ରାର୍ଥନା କରିବୁ? ହଠାତ୍ ମୋ ଝିଅ କହିଲା 'ପ୍ଲିଜ୍ ପ୍ରେ ଫର୍ ଚାଇନା (ଦୟାକରି ଚୀନ୍ ପାଇଁ ପ୍ରାର୍ଥନା କରନ୍ତୁ)। କିଏ ବା ଜାଣିଥିଲା ଆଜି ଆମେରିକା ବାହାରେ ରହି କେତେ ଲୋକ ଆମେରିକା ପାଇଁ ପ୍ରାର୍ଥନା କରୁଥିବେ। ଏବଂ, ଓଡ଼ିଶା ବାହାରେ ରହି ଆମ ଭଳି ପ୍ରବାସୀ ଓଡ଼ିଆ ନିଜ ଲୋକଙ୍କ ପାଇଁ ଦୀପ ଜାଳୁଥିବେ,' କୋଭିଡ୍-୧୯ ଭୂତାଣୁକୁ ନେଇ ଏହିଭଳି ଭାବବିହ୍ବଳ ଟିପ୍ପଣୀ ଦେଇଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଲସ୍ଏଞ୍ଜେଲ୍ସଠାରେ ରହୁଥିବା ପ୍ରଣବ କୁମାର ଭାରୀମଲ।
ଶ୍ରୀ ଭାରୀମଲଙ୍କ ଘର ଭୁବନେଶ୍ବର। ସେ ଲସଏଞ୍ଜେଲ୍ସଠାରେ ଆଇଟି କନ୍ସଲ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ଭାରୀମଲ ଲସଏଞ୍ଜେଲ୍ସ ଏବଂ ଏଠାରେ ରହୁଥିବା ଓଡ଼ିଆଙ୍କ ସମ୍ପର୍କରେ 'ସମ୍ବାଦ'କୁ କହିଛନ୍ତି ଯେ, ' କାଲିଆଫର୍ଣ୍ଣିଆlରେ କରୋନାର ଭୟାବହତାକୁ ଆଖିରେ ରଖି ଏଠାକାର ରାଜ୍ୟପାଳ ଲକ୍ଡାଉନ୍ ଘୋଷଣା କରିଥିଲେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଆଇନ ଅମାନ୍ୟକାରୀଙ୍କୁ ୫୦ ହଜାରରୁ ୭୦ ହଜାର ପର୍ଯ୍ୟନ୍ତ ଜୋରିମାନା କରାଯାଉଛି।'' ବର୍ତ୍ତମାନ ନିଶ୍ଚିତ ଭାବେ ମାନସିକତା ଉପରେ ପ୍ରଭାବ ପକାଇଛି। ଏଥିରୁ ମୁକୁଳିବା ପାଇଁ ଯଥାସମ୍ଭବ ନିଜକୁ ବ୍ୟସ୍ତତା ଭିତରେ ରଖୁଛୁ, ବହିପଢ଼ା ଓ ଟିଭି ଦେଖାରେ ସମୟ ବିତାଉଛୁ। ଲସ୍ଏଞ୍ଜେଲ୍ସରେ ପ୍ରାୟ ୧ ହଜାର ପ୍ରବାସୀ ଓଡ଼ିଆ ରହୁଛନ୍ତି। ଏଠାରେ ଜଗନ୍ନାଥ ସୋସାଇଟି ପକ୍ଷରୁ ଓଡ଼ିଆ ଡାକ୍ତରଙ୍କ ସହିତ ଭିଡିଓ କନ୍ଫେରେନ୍ସ କରି ବାରମ୍ବାର ଜନସଚେତନା ସୃଷ୍ଟି କରୁଛି। ମାସର ପ୍ରଥମ ଶନିବାର ଦିନ ଜଗନ୍ନାଥ ମନ୍ଦିରକୁ ସମୂହ ପୂଜା ପାଇଁ ଯାଇପାରୁନଥିଲୁ,' ବୋଲି କହିଛନ୍ତି ଶ୍ରୀ ଭାରୀମଲ।
ତେବେ, ଓଡ଼ିଶାରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବା ମାତ୍ରେ ଆମର ହୃତ୍ସ୍ପନ୍ଦନ ବଢ଼ିଯାଉଥିବା ଶ୍ରୀ ଭାରୀମଲ କହିଛନ୍ତି। ତାଙ୍କ ସହିତ ପତ୍ନୀ ଜୟଶ୍ରୀ ସାମନ୍ତସିଂହାରଙ୍କ ସହିତ ରହୁଛନ୍ତି।
(ଯୁକ୍ତରାଷ୍ଟ୍ର ଆମେରିକାର ଲସଏଞ୍ଜେଲ୍ସ , କାଲିଫର୍ଣ୍ଣିଆଠାରେ ରହୁଥିବା ପ୍ରଣବ କୁମାର ଭାରୀମଲଙ୍କ ସହ କଥା ହୋଇଥିଲେ ‘ସମ୍ବାଦ’ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ)