ପ୍ରଣାମ ମହାନ୍ ଓଡ଼ିଆପ୍ରାଣ

ଥିଲେ କିମ୍ବଦନ୍ତୀ ପୁରୁଷ। ଅନେକ ଚର୍ଚ୍ଚିତ କାହାଣୀର ନାୟକ। ଅନେକ କ୍ଷେତ୍ରରେ ପ୍ରଥମ। ଆଉ ପ୍ରଚଣ୍ଡ ସ୍ବାଭିମାନର ପ୍ରତୀକ। ଓଡ଼ିଶାର ସୀମା ସରହଦ ଡେଇଁ ସାରା ଦେଶ ଏମିତିକି ବ୍ରିଟିଶ୍‌ ଶାସନକାଳ‌ରେ ବ୍ରିଟେନ୍‌କୁ ପରିବ୍ୟାପ୍ତ ଥିଲା ତାଙ୍କ ବ୍ୟକ୍ତିତ୍ବ। ଜାତି, ଧର୍ମ, ବର୍ଣ୍ଣର ଊର୍ଦ୍ଧ୍ବକୁ ଯାଇ ସେ ଥିଲେ ଜଣେ ସଚ୍ଚା ଓଡ଼ିଆପ୍ରାଣ। କଟକ ଥିଲା ତାଙ୍କ ଜନ୍ମଭୂମି, ତାଙ୍କର କର୍ମଭୂମି। ଏଇଠି ରହି ସେ ଆଙ୍କିଥିଲେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟଗଠନର ନକ୍ସା। ପ୍ରତ୍ୟକ୍ଷ ବା ପରୋକ୍ଷରେ ହେଉ କଟକକୁ ରାଜ୍ୟର ଆଇନ ରାଜଧାନୀ କରି ଗଢି ତୋଳିବା ପଛରେ ତାଙ୍କର ଭୂମିକା ଥିଲା ଅତୁଳନୀୟ। ମଧୁବାବୁଙ୍କ ନାମରେ ରାଜ୍ୟର ପ୍ରଥମ ଆଇନ ବିଶ୍ବବିଦ୍ୟାଳୟ ହେଉ ବା ମହାନଦୀରେ ବୃହତ୍ ମଧୁସେତୁ ହେଉ, ଏହି ମହାନ୍ ଓଡ଼ିଆଙ୍କୁ ଯତ୍‌କିଂଚିତ୍ କୃତଜ୍ଞତା ଜ୍ଞାପନ ପାଇଁ ବିଭିନ୍ନ ସମୟରେ ପ୍ରୟାସ ହୋଇ ଆସିଛି ସତ କିନ୍ତୁ ତାଙ୍କ ସ୍ମୃତିବିଜଡ଼ିିତ ଜନ୍ମମାଟି, କର୍ମସ୍ଥଳ ଆଉ ଶେଷ ଆଶ୍ରୟସ୍ଥଳର ବର୍ତ୍ତମାନର ସ୍ଥିତି ମଧୁପ୍ରେମୀଙ୍କୁ ବ୍ୟଥିତ କରୁଛି।

ଏହି ମହାନ୍ ଓଡ଼ିଆପ୍ରାଣ, ପ୍ରଚଣ୍ଡ ସ୍ବାଭିମାନର ପ୍ରତୀକଙ୍କ ଜୟନ୍ତୀରେ ତାଙ୍କୁ କୋଟିକୋଟି ପ୍ରଣାମ ସହ ମଧୁସ୍ମୃତିର ବିକାଶ ଆଉ ପ୍ରସାର ପାଇଁ ‘ସମ୍ବାଦ’ର ସ୍ବତନ୍ତ୍ର ପ୍ରୟାସ।

ସମାଧିପୀଠ ଗୋରାକବର

ଫନି ପରଠୁ ଅବହେଳିତ ହୋଇପଡ଼ିଛି ଉତ୍କଳ ଗୌରବଙ୍କ ସମାଧିପୀଠ ଗୋରାକବର। ଗୋରାକବର ପରିସରରେ ବହୁ ପୁରୁଣା ଗଛ ଉପୁଡ଼ି ପଡ଼ିଛି। ପୂର୍ବରୁ କବରସ୍ଥାନ ମଧ୍ୟରେ ବତିଖୁଣ୍ଟ ରହିବା ସହିତ ଉପଯୁକ୍ତ ଆଲୋକ ବ୍ୟବସ୍ଥା ଥିଲା। ଏବେ ମାତ୍ର ଗୋଟିଏ ସେମି ହାଇମାଷ୍ଟ ଲାଇଟ୍ ରହିଛି, ତାହା ପୁଣି ଜଳୁନି। ଫନି ପରେ ସିଏମ୍‌ସି କମିସନର ଅନନ୍ୟା ଦାସ ଗୋରାକବର ପରିଦର୍ଶନ କରିବା ସହିତ ଏହାକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ସୂଚନା ଦେଇଥିଲେ। ତାହା କାଗଜପତ୍ରରେ ଅଟକି ଯାଇଛି।

ମଧୁବାବୁଙ୍କ ନାମରେ ପ୍ରଥମ ଆଇନ ବିଶ୍ବବିଦ୍ୟାଳୟ

ଉତ୍କଳଗୌରବଙ୍କ ଜୟନ୍ତୀରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ପ୍ରଥମ ଆଇନ ବିଶ୍ବବିଦ୍ୟାଳୟ। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ବୁଧବାରଠାରୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ବ ନେବେ ପ୍ରଫେସର କମଲଜିତ୍‌ ସିଂ। କଟକରେ ଥିବା ମଧୁସୂଦନ ଆଇନ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବା ସହିତ ଉତ୍କଳ ଗୌରବଙ୍କ ନାମରେ ନାମିତ କରି ରାଜ୍ୟସରକାର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ବିଶ୍ବବିଦ୍ୟାଳୟ ପଛରେ ରହିଛି ଦୀର୍ଘଦିନର ଇତିହାସ। ୧୮୬୯ରେ ପ୍ରଥମେ ରେଭେନ୍ସା କଲିଜିଏଟ୍‌ ସ୍କୁଲ୍‌ରେ ଆଇନର ଡିପ୍ଲୋମା ପାଠ୍ୟକ୍ରମରୁ ଏହାର ମୂଳଦୁଆ ପଡିଥିଲା। ପରେ ଏହାକୁ ରେଭେନ୍ସା କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୮୮୧ରେ ସ୍ନାତକ ପାଠ୍ୟକ୍ରମ ଖୋଲିଥିଲା। ଆଇନ କଲେଜକୁ ୧୯୪୩ ପରେ ବର୍ତ୍ତମାନର ଷ୍ଟେସନ ବଜାର ନିକଟକୁ ଅଣାଯାଇଥିଲା। ଦୀର୍ଘବର୍ଷର ଦାବି ପରେ ୨୦୧୮ରେ ମଧୁସୂଦନ ଆଇନ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ତାଙ୍କ ଜୟନ୍ତୀରେ ବୁଧବାରଠାରୁ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି।

ସଂକ୍ଷେପରେ…
ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ପ୍ରଥମ ଓଡ଼ିଆ ସ୍ନାତକ, ପ୍ରଥମ ସ୍ନାତକୋତ୍ତର ଡିଗ୍ରିଧାରୀ, ପ୍ରଥମ ବିଲାତଯାତ୍ରୀ, ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ମନ୍ତ୍ରୀ, ମନ୍ତ୍ରିପଦ ପରିତ୍ୟାଗ କରିବାରେ ପ୍ରଥମ ଭାରତୀୟ। ୧୮୪୮ ଏପ୍ରିଲ୍ ୨୮ତାରିଖରେ କଟକ ଜିଲ୍ଲାର ବହୁଗ୍ରାମ ନିକଟ ସତ୍ୟଭାମାପୁରର ଜମିଦାର ଚୌଧୁରୀ ରଘୁନାଥ ଦାସ-ପାର୍ବତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ସେ। ରେଭେନ୍‌ସା କଲିଜିଏଟ୍‌ରୁ ମାଟ୍ରିକ୍, ଭେଭେନ୍‌ସା କଲେଜ୍‌ରୁ ବିଏ ପାସ୍ କରିବା ପରେ କୋଲକାତା ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଓ ଆଇନ ଶିକ୍ଷା (ବିଏଲ୍) ପାସ୍‌ କରି ‌କୋଲ୍‌କାତାରେ ଓକିଲାତି ଆରମ୍ଭ କରିଥ‌ିଲେ। କିନ୍ତୁ ଉତ୍କଳମାତାର ଆହ୍ବାନରେ ତତ୍କାଳୀନ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପରାମର୍ଶରେ ସେ ୧୮୮୧ରେ କଟକ ଚାଲି ଆସିଥିଲେ। ୧୮୮୧ରୁ ୧୯୩୪, ଫେବ୍ରୁଆରି ୪ ତାରିଖରେ ତାଙ୍କ ଦେହାନ୍ତ ପର୍ଯ୍ୟନ୍ତ ଦୀର୍ଘ ୫୩ ବର୍ଷ ସେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ନିରନ୍ତର ପ୍ରୟାସ କରିଥିଲେ।

ମଧୁବାବୁ ୧୮୯୬ରୁ ୧୯୧୧ ମଧ୍ୟରେ ତିନିଥର ବେଙ୍ଗଲ୍‌ ଲେଜିସ୍‌ଲେଟିଭ୍ ଆସେ‌ମ୍‌ବ୍ଲିକୁ ନିର୍ବାଚିତ ହୋଇଥିଲେ। ବିହାର-ଓଡ଼ିଶା ସରକାରରେ ୧୯୨୧ରୁ ୧୯୨୩ ପର୍ଯ୍ୟନ୍ତ ସେ ମନ୍ତ୍ରୀ ଥିଲେ। କିନ୍ତୁ ନୈତିକତା ଦୃଷ୍ଟିରୁ ‌ସେ ତାହା ତ୍ୟାଗ କରିଥିଲେ। ନୈତିକତା କାରଣରୁ ମନ୍ତ୍ରିପଦ ଛାଡିବାରେ ସେ ‌ଥିଲେ ପ୍ରଥମ ଭାରତୀୟ। ସେହିପରି ଇଂରେଜଙ୍କ ଦ୍ବାରା ଗଢ଼ା ହୋଇଥିବା ‘କଟକ କ୍ଲବ୍’କୁ ଓଡ଼ିଆମାନଙ୍କ ପ୍ରବେଶ ଉପରେ କଟକଣା ଥିଲା। ଏହାର ଜବାବରେ ମଧୁବାବୁ ନିଜ ବାସଭବନ ପାଖରେ ଓଡ଼ିଆମାନଙ୍କ ପାଇଁ ଗଢ଼ିଥିଲେ ‘ୟୁନିୟନ୍ କ୍ଲବ୍’। ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ ଅଧିବେଶନରେ ସେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ତଥା ଏକଶାସନାଧୀନ କରିବା ପାଇଁ ଦାବି ଉପସ୍ଥାପନ କରିଥ‌ିଲେ। କିନ୍ତୁ ଏହି ପ୍ରସଙ୍ଗକୁ ସେତେଟା ଗୁରୁତ୍ବ ନ ମିଳିବାରୁ ସେ ‘ଉତ୍କଳ ସମ୍ମିଳନୀ’ ଜରିଆରେ ନବ ଉତ୍କଳ ଗଠନ ପାଇଁ ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର