ମୁଁ ଜଣେ ଟ୍ରୋଲ୍। ଆରେ ଆପଣ ଜାଣିନାହାନ୍ତି ଟ୍ରୋଲ୍ କ’ଣ? ଅଭିଧାନରେ ମୋ ସଂଜ୍ଞା ଖୋଜିଲେ ପାଇବେ, ପାହାଡ଼ୀ ଗୁମ୍ଫାରେ ରହୁଥିବା ଏକ କାଳ୍ପନିକ ପ୍ରାଣୀ, ଯାହା ପାଖରେ ଯାଦୁକରୀ ଶକ୍ତି ରହିଛି। ହେଲେ ମୁଁ ସେଇ ଟ୍ରୋଲ୍ ନୁହେଁ। ମୁଁ ଇଣ୍ଟରନେଟ୍ ଟ୍ରୋଲ୍। ଆଧୁନିକ ଶବ୍ଦକୋଷ ଅନୁସାରେ ମୁଁ ଏମିତି ଏକ ଜୀବ ଯିଏ ଲୋକଙ୍କୁ ଉସୁକେଇବା ଉଦ୍ଦେଶ୍ୟ ରଖି ସାମାଜିକ ଗଣମାଧ୍ୟମରେ ବରାବର ବିରକ୍ତିକର ଓ ଅପମାନଜନକ ମତ ପ୍ରକାଶ କରେ। ଆମଭଳି ଚରିତ୍ର ସବୁବେଳେ ମଣିଷମାନଙ୍କ ଭିତରେ ଥିଲେ। ହେଲେ ଏବେ ସୋସିଆଲ୍ ମିଡିଆ ଆମ ପରିଚୟକୁ ଗୁପ୍ତ ରଖିବାର ଯେଉଁ ସୁଯୋଗ ଆଣିଦେଇଛି ତଦ୍ଦ୍ବାରା ସହଜରେ ଆମ ବଂଶ ବିସ୍ତାର ଘଟିଛି ଏବଂ ପ୍ରଭାବ ବଢ଼ିଛି। ନା ପରିଚୟ ଅନାବୃତ ହେବାର ଭୟ ନା କୌଣସି ପରିଣାମର ଆଶଙ୍କା। ମୋ ଶିକାରମାନଙ୍କୁ ନିର୍ଦ୍ଦୟ ଭାବରେ ଆକ୍ରମଣ କରିବା ପାଇଁ ମତେ ଆବଶ୍ୟକ କେବଳ ଏକ ଛଦ୍ମ ଆକାଉଣ୍ଟ୍‌। ଲୋକଙ୍କ ବିଷୟରେ ଏବଂ ସେମାନଙ୍କ ପୋଷ୍ଟ୍ ତଳେ ଅନିମନ୍ତ୍ରିତ ଓ ଅରୁଚିକର ମନ୍ତବ୍ୟ ଦେବାରେ ମତେ ମିଳେ ଅଫୁରନ୍ତ ଆନନ୍ଦ। ମୁଁ ଦେଉଥିବା ମନ୍ତବ୍ୟଗୁଡ଼ିକରେ ଭରି ରହିଥାଏ ବ୍ୟକ୍ତିଗତ ଆକ୍ରୋଶ, ତର୍କହୀନ ବିଚାର ଓ ନୀଚ ପ୍ରମାଣ କରିବାର ଉଦ୍ଦେଶ୍ୟ। ମୋର କେବଳ ଓ ଏକମାତ୍ର ଲକ୍ଷ୍ୟ ହେଲା ଅନ୍ୟର ପୀଡ଼ାରୁ ଆତ୍ମସନ୍ତୋଷ ଲାଭ କରିବା। ମୋର ଉପସ୍ଥିତି କେବଳ ପୋଷ୍ଟ୍ କମେଣ୍ଟ୍‌ଯାଏ ସୀମିତ ନ ଥାଏ। ମୁଁ ଏତେ ବଳବାନ୍‌ ଯେ, ଲୋକଙ୍କ ମନ ଆଉ ହୃଦୟରେ ନିଃଶୁଳ୍କ ବସା ବାନ୍ଧିବାରେ ସକ୍ଷମ ହୋଇଥାଏ। ବୁଝିପାରିଲେନି? ମନେକରାଯାଉ କାହାର କୌଣସି ପୋଷ୍ଟ୍‌ରେ ନଅଟି ପ୍ରଂଶସାଭରା କମେଣ୍ଟ୍ ଆସିଛି। ମୁଁ ସେଥିରେ ଗୋଟିଏ ବିଷାକ୍ତ ମତ ଯୋଡ଼ିଦିଏ। ବିଚରା ଲୋକଟି ନଅଟି ଭଲକଥା ଭୁଲିଯାଇ ମୋରି ମତାମତକୁ ନେଇ ଦୀର୍ଘ ସମୟଯାଏ ଘାଣ୍ଟି ହେଉଥାଏ। ସେ ଏତେ ବିଚଳିତ ହୋଇଯାଏ ଯେ, ତା’ର ସମ୍ପୂର୍ଣ୍ଣ ଦିନଟି ମୋ ପାଇଁ ମାରା ହୋଇଯାଏ। ଏହା କ’ଣ କୋଉ ମହାଶକ୍ତିଠାରୁ କମ୍? ସାଧାରଣ ବ୍ୟକ୍ତିଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିତ୍ୱ, କେହି ବି ମୋ ଶିକାର ହୋଇପାରେ। ମୋ ପ୍ରରୋଚିତ ମନ୍ତବ୍ୟକୁ ନେଇ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହେଉଥିବା ଯେ କୌଣସି ଦୁର୍ବଳ ମଣିଷ ମୋ ଶିକାର ହୋଇପାରେ।
ଆଚ୍ଛା, ଆଉ ଗୋଟେ କଥା। ମୋତେ ସମାଲୋଚକ ବୋଲି ଭାବିବାର ଭୁଲ୍‌ କରିବେ ନାହିଁ। ଜଣେ ସମାଲୋଚକ ଏକ ଅର୍ଥପୂର୍ଣ୍ଣ, ସଭ୍ୟ ଏବଂ ଯୁକ୍ତିସଙ୍ଗତ ଆଲୋଚନାରେ ବିଶ୍ୱାସ ରଖେ। ତା’ର ଭିନ୍ନମତକୁ ପରିପ୍ରକାଶ କରିବା ପାଇଁ ସେ କଟୁଶବ୍ଦ ବ୍ୟବହାର କରୁଥାଇପାରେ। ହେଲେ ଏହା ପଛରେ ସବୁବେଳେ ଥାଏ ଏକ ରଚନାତ୍ମକ ସମାଲୋଚନା।
ମୁଁ ଧ୍ୟାନ-ଆକର୍ଷଣ ପିପାସୁ। ମୋ ପ୍ରତି ଲୋକଙ୍କର ଧ୍ୟାନ ଆକର୍ଷିତ ହେଉଥିବା ଦରକାର। ଲୋକଙ୍କୁ ଚିଡ଼େଇ, ମାନସିକ ଯନ୍ତ୍ରଣା ଦେଇ, ସେମାନଙ୍କଠାରୁ କୌଣସି ମତେ ପ୍ରତିକ୍ରିୟା ଆଦାୟ କଲେ ମତେ ଗଡ଼ ଜିତିଲା ପରି ଲାଗେ। ମତେ ମାତ୍ ଦେବାର ରହସ୍ୟ କ’ଣ? ଖୁବ୍ ସହଜ। କିନ୍ତୁ କେବେ କେବେ ସହଜ ଉପାୟ ହିଁ ମଣିଷକୁ ସବୁଠାରୁ କଠିନ ମନେହୁଏ। ମୋ ଠାରୁ ମୁକ୍ତି ପାଇବାର ବାଟ ହେଉଛି ମତେ ଅଣଦେଖା କରିବା, ପ୍ରତିକ୍ରିୟାଶୂନ୍ୟ ହୋଇଯିବା। ପ୍ରତିକ୍ରିୟା ନ ମିଳିଲେ ମୁଁ ଭିତରୁ ଛଟପଟ ହୁଏ, ବ୍ୟତିବ୍ୟସ୍ତ ହୋଇଯାଏ। ମୁଁ ନିଜକୁ ଉଦ୍ଦେଶ୍ୟହୀନ, ଶକ୍ତିହୀନ ମନେକରେ। ମୁଁ ହାରିଯାଏ। କିଛି ଲୋକ ବ୍ଲକ୍ ବା ମ୍ୟୁଟ୍ କରି ମତେ ଅଣଦେଖା କରିବାରେ ସଫଳ ହୋଇଥାନ୍ତି। କିନ୍ତୁ ଅଧିକାଂଶ ଲୋକ ବିଫଳ ହୁଅନ୍ତି। ସେମାନେ ଭାବନ୍ତି, ତାଙ୍କ ଚତୁରତା, ବୁଦ୍ଧି, ତର୍କ ବା ପ୍ରତିଆକ୍ରମଣଦ୍ୱାରା ମତେ ପରାସ୍ତ କରିପାରିବେ। ହେଲେ ସେସବୁ ମୋ ପାଇଁ କିଛି ଗୁରୁତ୍ୱ ରଖେନାହିଁ। ମତେ ଗାଳି ଦିଅନ୍ତୁ, ଯୁକ୍ତି କରନ୍ତୁ କିମ୍ବା ମୋ ପ୍ରତି ବୀତସ୍ପୃହ ହୋଇ ନିଜ ମତକୁ ପରିପ୍ରକାଶ କରିବା ବନ୍ଦ କରିଦିଅନ୍ତୁ- ଉଭୟରେ ମୋର ବିଜୟ। ଏବେ ଆଉ ଏକ କଥା ସ୍ବୀକାର କରୁଛି। ମୁଁ ଜଣେ ଭୀରୁ। ମୋର ପ୍ରାଦୁର୍ଭାବ କେବଳ ଅନ୍‌ଲାଇନ୍‌ରେ। ବାସ୍ତବ ଜୀବନରେ ସେସବୁ କଥା ଦୋହରାଇବାର ସାମର୍ଥ୍ୟ ମୋର ନାହିଁ।
ଏଥିରେ ମୋର କିଛି ଦୋଷ ନାହିଁ। ମୋର ପିଲାଦିନେ ସବୁଠି, ସବୁବେଳେ ହୀନମନ୍ୟତାର ଶିକାର ହୋଇ ମୋ ଭିତରେ ଏକ ଅସୁରକ୍ଷିତ ଭାବ ଜନ୍ମ ନେଲା। ଅନ୍ୟକୁ ନୀଚ ପ୍ରମାଣ କରି ନିଜକୁ ଉଚ୍ଚ ଦେଖାଇବା ଏବଂ ମୋର ଅସଫଳ, ଅତି ସାଧାରଣ ଜୀବନରୁ କିଛି କ୍ଷଣ ମୁକ୍ତି ପାଇବା ପାଇଁ ମୁଁ ଧୀରେ ଧୀରେ ଏହି ବାଟ ଆପଣେଇ ନେଲି। କିଛି ବର୍ଷ ପରେ ମୁଁ ହୃଦୟଙ୍ଗମ କଲି, ଅନ୍ୟକୁ କଷ୍ଟ ଦେଇ ମୋତେ ଯେଉଁ ସନ୍ତୋଷ ମିଳୁଛି ତାହା କ୍ଷଣସ୍ଥାୟୀ। ରାଜନୈତିକ ଦଳଠାରୁ ଆରମ୍ଭ କରି ସେଲିବ୍ରିଟି ଫ୍ୟାନ୍‌ କ୍ଲବ୍‌ ପର୍ଯ୍ୟନ୍ତ ସମସ୍ତେ ମତେ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କଲେ। ଅନ୍ୟକୁ ସବୁବେଳେ ଘୃଣା, ବିଦ୍ୱେଷ ବାଣ୍ଟିବା ଦ୍ୱାରା, ସବୁବେଳେ ଏକ ନକାରାତ୍ମକ ଦୁନିଆରେ ବୁଡ଼ି ରହିବାଦ୍ୱାରା, ମୋ ବ୍ୟକ୍ତିଗତ ଜୀବନ ଏବଂ ସମ୍ପର୍କ ସବୁ ପ୍ରଭାବିତ ହେଲା। ମୁଁ ମୋର ମାନସିକ ସନ୍ତୁଳନ ହରାଇ ବସିଲି। ଏବେ ଜଣେ ମନୋବିଜ୍ଞାନୀଙ୍କ ପରାମର୍ଶକ୍ରମେ କାଉନ୍‌ସେଲିଂ ଓ ଔଷଧ ମାଧ୍ୟମରେ ମୋର ଚିକିତ୍ସା ଚାଲିଛି। ଆଜି ଚତୁର୍ଥ ବୈଠକ ପାଇଁ ମୁଁ ଆସିଛି। ଅପେକ୍ଷା କକ୍ଷରେ ବସି ମୋ ଅନୁଭୂତି ଲେଖୁଛି।

Advertisment

ତନୟା ପଟ୍ଟନାୟକ
ସଂପାଦକ